ଦ୍ବିତୀୟ ଡେଭିଡ୍ ମେମୋରିଆଲ୍ କ୍ରିକେଟ୍: ଫାଇନାଲରେ ଏମ୍‌କେ ସିସି ଜଟଣୀ

9


ଗବର ଇଲେଭେନକୁ ୬ ଉଇକେଟ୍‌ରେ ହରାଇଲା, ଦ୍ୱିତୀୟ ଥର ଫାଇନାଲରେ ପ୍ରବେଶ

ଓଡ଼ଗାଁ, ୨୨।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଦ୍ୱିତୀୟ ଡେଭିଡ୍ ମେମୋରିଆଲ୍ ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ-୨୦୨୬ର ଚତୁର୍ଥ ଦିବସରେ ଦୁଇଟି ରୋମାଞ୍ଚକର ମ୍ୟାଚ୍ ଅନୁଷ୍ଠିତ ହୋଇଛି। ଦିନର ପ୍ରଥମ ମ୍ୟାଚ୍‌ରେ କେଉଁଝରର ଗବର ଇଲେଭେନ ବିଜୟୀ ହୋଇଥିବା ବେଳେ ପ୍ରଥମ ସେମିଫାଇନାଲ୍‌ରେ ଜଟଣୀର ଏମ୍‌କେ ସିସି ବିଜୟ ହାସଲ କରି ଫାଇନାଲ୍‌ରେ ପ୍ରବେଶ କରିଛି। ଦିନର ପ୍ରଥମ ମ୍ୟାଚ୍‌ରେ କେଉଁଝରର ଗବର ଇଲେଭେନ ଓ ଭୁବନେଶ୍ୱରର ଜେଏମ୍‌ଡି ମଧ୍ୟରେ କ୍ୱାର୍ଟର ଫାଇନାଲ୍ ମୁକାବିଲା ହୋଇଥିଲା। ଟସ୍ ଜିତି ଜେଏମ୍‌ଡି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଗବର ଇଲେଭେନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୮ ଉଇକେଟ୍ ହରାଇ ୧୩୬ ରନ୍ ସଂଗ୍ରହ କରିଥିଲା। ଜବାବରେ ୧୩୭ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ଜେଏମ୍‌ଡି ଦଳ ୧୧.୨ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୦୮ ରନ୍ କରିପାରିଥିଲା।ଫଳରେ ଗବର ଇଲେଭେନ ୨୮ ରନ୍‌ରେ ବିଜୟୀ ହୋଇ ସେମିଫାଇନାଲ୍‌କୁ ଉନ୍ନୀତ ହୋଇଥିଲା।
ଦିନର ଦ୍ୱିତୀୟ ମ୍ୟାଚ୍‌ରେ ପ୍ରଥମ ସେମିଫାଇନାଲ୍‌ରେ ଗବର ଇଲେଭେନ ଓ ଜଟଣୀର ଏମ୍‌କେ ସିସି ମଧ୍ୟରେ ମୁକାବିଲା ହୋଇଥିଲା। ଟସ୍ ଜିତି ଗବର ଇଲେଭେନ ପ୍ରଥମେ ବ୍ୟାଟିଂ କରି ୧୧.୩ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୧୦ ରନ୍ ସଂଗ୍ରହ କରିଥିଲା। ଜବାବରେ ଏମ୍‌କେ ସିସି ଦଳ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ କରି ୯.୪ ଓଭରରେ ୪ ଉଇକେଟ୍ ବିନିମୟରେ ୧୧୧ ରନ୍ ସଂଗ୍ରହ କରି ୬ ଉଇକେଟ୍‌ରେ ବିଜୟୀ ହୋଇଥିଲା। ଏହି ବିଜୟ ସହ ଏମ୍‌କେ ସିସି ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ପ୍ରବେଶ କରିଛି। ଏଥିସହ ଦଳ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଫାଇନାଲ୍‌ରେ ପହଞ୍ଚିବାର ଗୌରବ ହାସଲ କରିଛି। ମ୍ୟାଚ୍‌ଗୁଡ଼ିକୁ ଜ୍ଞାନରଞ୍ଜନ ସ୍ୱାଇଁ ଓ ଶ୍ରୀକାନ୍ତ ପରିଚାଳନା କରିଥିଲେ। କ୍ରିକେଟ୍ ବାଣୀ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଖେଳର ସିଧା ପ୍ରସାରଣ କରାଯାଇଥିଲା। ଆସନ୍ତା ଶୁକ୍ରବାର ଗଞ୍ଜାମ ଓ ପୁରୀ ଜିଲ୍ଲାର ମହିଳା କ୍ରିକେଟ୍ ଦଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ।

Leave A Reply

Your email address will not be published.