ଦ୍ବିତୀୟ ଡେଭିଡ୍ ମେମୋରିଆଲ୍ ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ-୨୦୨୬ :ଗବର ଇଲେଭେନ ଓ ଜେଏମ୍‌ଡି ବିଜୟୀ

43

ଓଡ଼ଗାଁ, ୨୧।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଦ୍ୱିତୀୟ ଡେଭିଡ୍ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ-୨୦୨୬ର ତୃତୀୟ ଦିବସରେ ବୁଧବାର ଦୁଇଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇଛି। ପ୍ରଥମ ମ୍ୟାଚ୍‌ରେ କେନ୍ଦୁଝରର ଗବର ଇଲେଭେନ ଦଳ କନ୍ଧମାଳର ଜାମୁନ୍ ମ୍ୟାଜିକ୍‌କୁ ୩୦ ରନ୍‌ରେ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଭୁବନେଶ୍ୱରର ଜେଏମ୍‌ଡି ଦଳ ପୁରୀର ବ୍ରହ୍ମଗିରି ଇଲେଭେନକୁ ୨୬ ରନ୍‌ରେ ହରାଇଛି। ପ୍ରଥମ ମ୍ୟାଚ୍‌ରେ ଟସ୍ ଜିତି ଗବର ଇଲେଭେନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୫ଟି ୱିକେଟ୍ ହରାଇ ୧୩୨ ରନ୍ ସଂଗ୍ରହ କରିଥିଲା। ଜବାବରେ ଜାମୁନ୍ ମ୍ୟାଜିକ୍ ୬ଟି ୱିକେଟ୍ ହରାଇ ୧୦୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଗବର ଇଲେଭେନ ୩୦ ରନ୍‌ରେ ବିଜୟୀ ହୋଇଥିଲା। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଜେଏମ୍‌ଡି, ଭୁବନେଶ୍ୱର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୧୨ ଓଭରରେ ୪ଟି ୱିକେଟ୍ ହରାଇ ୧୫୧ ରନ୍‌ର ଏକ ବଡ଼ ସ୍କୋର ଛିଡ଼ା କରିଥିଲା। ଏହାର ଜବାବରେ ବ୍ରହ୍ମଗିରି ଇଲେଭେନ ୭ଟି ୱିକେଟ୍ ହରାଇ ୧୨୫ ରନ୍ ସଂଗ୍ରହ କରିଥିଲା। ଫଳରେ ଜେଏମ୍‌ଡି ୨୬ ରନ୍‌ରେ ବିଜୟ ହାସଲ କରିଥିଲା। ମ୍ୟାଚ୍‌ ଦୁଇଟିକୁ ଶ୍ରୀକାନ୍ତ ଓ ଜ୍ଞାନ ରଞ୍ଜନ ସ୍ୱାଇଁ ପରିଚାଳନା କରିଥିଲେ। ଆସୋସିଏସନ୍‌ର ସମ୍ପାଦକ ତଥା କ୍ରୀଡ଼ା ସଂଗଠକ ଦିବାକର ନାଏକ ଟୁର୍ଣ୍ଣାମେଣ୍ଟର ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି। ଆସନ୍ତାକାଲି ତୃତୀୟ କ୍ୱାର୍ଟର ଫାଇନାଲ୍‌ ଓ ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ଜଣାପଡ଼ିଛି।

Leave A Reply

Your email address will not be published.