ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ:ଭଞ୍ଜନଗର ତହସିଲ କାର୍ଯ୍ୟାଳୟ ପକ୍ଷରୁ ଚଳିତ ବର୍ଷ ଅତ୍ୟନ୍ତ ଆଡ଼ମ୍ବର ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଅନ୍ୟତ୍ର ବିରଳ “ଅଷ୍ଟବେତାଳ ପୂଜା ଉତ୍ସବ”। ମା’ ଦୁର୍ଗାଙ୍କ ଆବାହନଠାରୁ ଆରମ୍ଭ କରି ବିସର୍ଜନ ପର୍ଯ୍ୟନ୍ତ—ଗଞ୍ଜାମର ଏହି ପ୍ରସିଦ୍ଧ ପରମ୍ପରା ଆଜି ବି ଆସ୍ଥା ଓ ବିଶ୍ୱାସର ପ୍ରତୀକ ହୋଇ ରହିଛି।
ଗଞ୍ଜାମ ଜିଲ୍ଲା ଘୁମୁସର ଅଞ୍ଚଳର ଅନ୍ୟତମ ପ୍ରସିଦ୍ଧ ତଥା ଅନ୍ୟତ୍ର ବିରଳ ‘ଅଷ୍ଟବେତାଳ ପୂଜା’ ଭଞ୍ଜନଗର ତହସିଲ କାର୍ଯ୍ୟାଳୟ ପରିସରରେ ଖୁବ୍ ଧୂମଧାମ ଓ ନୀତିକାନ୍ତି ସହ ସମ୍ପନ୍ନ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୁଖ୍ୟତଃ ତିନିଦିନ ଧରି ଏହି ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଜଳତୁଠରୁ ମା’ ଦୁର୍ଗାଙ୍କ ପ୍ରତିମା ସହିତ ଅଷ୍ଟବେତାଳଙ୍କୁ ଆବାହନ କରାଯାଇ ହୋମ, ଯଜ୍ଞ ଓ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଦଶମୀ ଦିବସରେ ରାଜଭୋଗ ଲାଗି ହେବା ପରେ ଅଷ୍ଟବେତାଳଙ୍କ ଜଳ ବିସର୍ଜନ କାର୍ଯ୍ୟକ୍ରମ ସହ ଏହି ଐତିହାସିକ ଉତ୍ସବର ଉଦ୍ଯାପନ ଘଟିଛି।
୨ ଶହ ବର୍ଷର ଐତିହାସିକ ପରମ୍ପରା ଓ ଲୋକକଥା:
ଐତିହାସିକ ମାନ୍ୟତା ଓ ଲୋକକଥା ଅନୁସାରେ, ଏହି ବିରଳ ଅଷ୍ଟବେତାଳ ପୂଜା ଗଞ୍ଜାମ ଜିଲ୍ଲାର କେବଳ ଭଞ୍ଜନଗରଠାରେ ହିଁ ଦେଖିବାକୁ ମିଳେ, ଯାହାର ଇତିହାସ ପ୍ରାୟ ୨୦୦ ବର୍ଷ ପୁରୁଣା।
ପୂର୍ବେ ଭଞ୍ଜନଗର ତହସିଲ କାର୍ଯ୍ୟାଳୟ ସହିତ ଅନ୍ୟ ୧୫/୧୬ ଗୋଟି ତହସିଲ ଏକତ୍ର ହୋଇ କାର୍ଯ୍ୟ କରୁଥିଲେ। ସେହି ସମୟରେ ଚାରିଆଡ଼େ ଘଞ୍ଚ ଜଙ୍ଗଲ ଓ ଅରଣ୍ୟ ଥିଲା, ନଥିଲା ଆଲୋକର ସୁବିଧା। ଚୋରି, ଡକାୟତି ଓ ଅଶରୀରୀ ମାନଙ୍କ ଭୟ ସଦାସର୍ବଦା ଲାଗିରହୁଥିଲା। ଫଳରେ ସରକାରୀ କାର୍ଯ୍ୟରେ ବାହାରକୁ ଯାଉଥିବା କର୍ମଚାରୀମାନେ ସନ୍ଧ୍ୟା ସୁଦ୍ଧା ସୁରକ୍ଷିତ ଫେରିବେ କି ନାହିଁ, ସେ ନେଇ ଆଶଙ୍କା ଥିଲା। ସମସ୍ତ ବିପଦ ଓ ବାଧାବିଘ୍ନରୁ ରକ୍ଷା ପାଇବା ପାଇଁ ସେତେବେଳର ରାଜା, ମହାରାଜା ଓ କର୍ମଚାରୀମାନେ ମା’ ଦୁର୍ଗାଙ୍କ ସହ ଆତ୍ମସୁରକ୍ଷା ଓ ସର୍ବସିଦ୍ଧି ନିମନ୍ତେ ‘ଅଷ୍ଟବେତାଳ’ଙ୍କ ସାଧନା ଓ ପୂଜାର୍ଚ୍ଚନା କରୁଥିଲେ। ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳପକ୍ଷ ଅଷ୍ଟମୀ (ଦୁର୍ଗାପୂଜା) ତିଥିରୁ ଆରମ୍ଭ ହେଉଥିବା ଏହି ପୂଜାରେ ନାଟ, ଯାନିଯାତ୍ରା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା, ଯାହାକୁ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିଲା। କାଳକ୍ରମେ ସମୟ ବଦଳିଥିଲେ ବି ସେହି ଶତାବ୍ଦୀ ପୁରୁଣା ଆସ୍ଥା ଓ ବିଶ୍ୱାସ ଆଜି ବି ଭଞ୍ଜନଗର ତହସିଲ କାର୍ଯ୍ୟାଳୟରେ ଜୀବନ୍ତ ରହିଛି। ଚଳିତ ୨୦୨୬ ବର୍ଷରେ ତହସିଲଦାର ଶ୍ରୀମତୀ ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅବିନାଶ ମାହାର ଏବଂ ସମସ୍ତ ତହସିଲ କର୍ମଚାରୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ନିମନ୍ତ୍ରଣ ପତ୍ର ବଣ୍ଟନଠାରୁ ଆରମ୍ଭ କରି ଅଷ୍ଟମୀ, ନବମୀ ଓ ଦଶମୀ ଦିନ ଅଷ୍ଟବେତାଳଙ୍କ ବିସର୍ଜନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ଅତ୍ୟନ୍ତ ଭବ୍ୟ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଯାଇଛି।