ନନ୍ଦିଘୋରରେ ୩୯ତମ ଦୁର୍ଗାପୂଜା ଉତ୍ସବ

14

ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ହର୍ଷୋଲ୍ଲାସରେ ଗ୍ରାମବାସୀ,

ଓଡ଼ଗାଁ, ୨୧।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ନନ୍ଦିଘୋର ଗ୍ରାମରେ ୩୯ତମ ଦୁର୍ଗାପୂଜା ଉତ୍ସବ ଧୁମ୍‌ଧାମରେ ପାଳିତ ହେଉଛି। ତିନି ଦିନ ଧରି ଚାଲିଥିବା ଏହି ଉତ୍ସବକୁ ନେଇ ଗ୍ରାମରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳୁଛି। ପ୍ରତି ସନ୍ଧ୍ୟାରେ ମା’ ଦୁର୍ଗାଙ୍କ ଦର୍ଶନ ପାଇଁ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବର ଆକର୍ଷଣକୁ ଦ୍ୱିଗୁଣିତ କରୁଛି। ଏଥିରେ ଗ୍ରାମବାସୀଙ୍କ ସମେତ ଆଖପାଖ ଅଞ୍ଚଳର ଲୋକେ ଉତ୍ସାହର ସହ ସାମିଲ ହେଉଛନ୍ତି। ଉତ୍ସବର ତୃତୀୟ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ମଞ୍ଚରେ ନନ୍ଦିଘୋର ସରପଞ୍ଚ ଶ୍ୱେତଲୀନା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ବାସନ୍ତୀ ରାଉତ, ବାଘେରା ସାହି ସଭାପତି ରମେଶ ଚନ୍ଦ୍ର ମହାପାତ୍ର ଓ ଉପସଭାପତି ଆନନ୍ଦ ଚନ୍ଦ୍ର ସେଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଗଜେନ୍ଦ୍ର ମହାରଣା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ମା’ ଦୁର୍ଗା ଆସୋସିଏସନର ସଭାପତି ଲକ୍ଷ୍ମୀଧର ପରିଡ଼ା, ସମ୍ପାଦକ ଦିଗାମ୍ବର ଡାକୁଆ, ଉପସଭାପତି ବେଣୁଧର ସେଠୀ ଓ କୋଷାଧ୍ୟକ୍ଷ ସଞ୍ଜୀବ ମଣ୍ଡଳଙ୍କ ସମେତ ପୂଜା କମିଟିର ୫୮ ସଦସ୍ୟଙ୍କ ସହଯୋଗରେ ଉତ୍ସବ ସଫଳ ହୋଇପାରୁଛି । ସୂଚନାଯୋଗ୍ୟ, ପୂଜା ଉତ୍ସବର ପ୍ରଥମ ଦିନରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ଦ୍ୱିତୀୟ ଦିନରେ ଶିଳ୍ପପତି ତାପସ ରଞ୍ଜନ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆସନ୍ତା ୨୩ ତାରିଖରେ ମା’ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.