୧୨ଟି ରଣନୈତିକ ସହଭାଗିତା ଜରିଆରେ ୧୫୦ କୋଟି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବା ଆଶା
- ଭାରତରେ ବ୍ୟାପକ ସ୍ତରରେ ସଫଳତା ପ୍ରମାଣିତ କରିଥିବା ପ୍ରଯୁକ୍ତିକୁ ଏବେ ବିଶ୍ୱବଜାରକୁ ନେବା ପାଇଁ ପ୍ରସ୍ତୁତି
- ବିକଶିତ ଦେଶଠାରୁ ଆରମ୍ଭ କରି ଏସିଆ, ଦକ୍ଷିଣ ଆମେରିକା ଓ ଆଫ୍ରିକା ଯାଏଁ ବ୍ୟବସାୟିକ ସୁଯୋଗର ସନ୍ଧାନ
ମୁମ୍ବାଇ, ୧୭ ଅକ୍ଟୋବର ୨୦୨୬: ଜିଓର ଆଇପିଓ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରୁ ମୁମ୍ବାଇରେ ଏକାଠି ହୋଇଥିବା ବ୍ରୋକରମାନଙ୍କ ସହ ଆଲୋଚନା ସମୟରେ ଏକ ପ୍ରଶ୍ନର ଉତ୍ତର ଦେଇ ଜିଓ ପ୍ଲାଟଫର୍ମସର ପରିଚାଳନା ନିର୍ଦ୍ଦେଶକ ଆକାଶ ଅମ୍ବାନୀ କମ୍ପାନିର ବିଶ୍ୱସ୍ତରୀୟ ଯୋଜନା ସମ୍ପର୍କରେ ଏଯାବତର ସବୁଠାରୁ ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ ଆଗାମୀ ଦିନରେ ପ୍ରାୟ ୧୨ଟି ରଣନୈତିକ ସହଭାଗିତା ଜରିଆରେ ଜିଓର ପ୍ରଯୁକ୍ତି ଆଉ ୧୫୦ କୋଟି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିପାରିବ। ଆମେରିକା ଓ ଜର୍ମାନୀ ଭଳି ବିକଶିତ ଦେଶଠାରୁ ଆରମ୍ଭ କରି ପୂର୍ବ ଏସିଆ, ଦକ୍ଷିଣ ଆମେରିକା ଓ ଆଫ୍ରିକା ଯାଏଁ ଜିଓ ବିଭିନ୍ନ ସମ୍ଭାବନା ଅନୁଧ୍ୟାନ କରୁଛି।
ଜିଓ ପୂର୍ବରୁ ମଧ୍ୟ ନିଜର ଆନ୍ତର୍ଜାତିକ ବ୍ୟବସାୟ ଏବଂ ନିଜସ୍ୱ ଭାବେ ବିକଶିତ ପ୍ରଯୁକ୍ତି ଭିତ୍ତିଭୂମିକୁ ବିଦେଶୀ ବଜାରରେ ପହଞ୍ଚାଇବା ନେଇ ଘୋଷଣା କରିଆସିଛି। କିନ୍ତୁ ଏବେ ପ୍ରଥମ ଥର ପାଇଁ ଏହି ଯୋଜନାର ସମ୍ଭାବ୍ୟ ବ୍ୟାପକତା ସାମ୍ନାକୁ ଆସିଛି। ଅର୍ଥାତ୍, ଜିଓର ବିଶ୍ୱସ୍ତରୀୟ ସମ୍ପ୍ରସାରଣ ଯୋଜନା ଆଉ କେବଳ ଉଦ୍ଦେଶ୍ୟ ମଧ୍ୟରେ ସୀମିତ ନାହିଁ। କମ୍ପାନି ଏବେ ସମ୍ଭାବ୍ୟ ସହଭାଗିତା ଏବଂ ଏହା ଜରିଆରେ ଯୋଡ଼ି ହୋଇପାରିବାକୁ ଥିବା ଉପଭୋକ୍ତାଙ୍କ ସଂଖ୍ୟାକୁ ନେଇ ଆକଳନ କରୁଛି।
ଆକାଶ ଅମ୍ବାନୀଙ୍କ ଅନୁଯାୟୀ, ଜିଓର ସୁଯୋଗ କେବଳ ସେହି ଦେଶଗୁଡ଼ିକରେ ସୀମିତ ନୁହେଁ, ଯେଉଁଠାରେ ଡିଜିଟାଲ୍ ଭିତ୍ତିଭୂମି ଦୁର୍ବଳ ରହିଛି। ଆମେରିକା ଓ ଜର୍ମାନୀ ଭଳି ବିକଶିତ ବଜାରରେ ମଧ୍ୟ ଫାଇବର ନେଟୱର୍କ ସମ୍ପ୍ରସାରଣର ବର୍ତ୍ତମାନର ସ୍ଥିତି ଜିଓ ପାଇଁ ନୂଆ ସୁଯୋଗ ସୃଷ୍ଟି କରିପାରେ। ଏହା ବ୍ୟତୀତ ପୂର୍ବ ଏସିଆ, ଦକ୍ଷିଣ ଆମେରିକା ଓ ଆଫ୍ରିକା ମଧ୍ୟ ସମ୍ଭାବ୍ୟ ବଜାର ତାଲିକାରେ ରହିଛି।
ଏହି ଦେଶଗୁଡ଼ିକରେ ସିଧାସଳଖ ପ୍ରବେଶ କରି ଟେଲିକମ୍ ଅପରେଟର ହେବା ଜିଓର ଉଦ୍ଦେଶ୍ୟ ନୁହେଁ। ବରଂ ସ୍ଥାନୀୟ ଟେଲିକମ୍ ଅପରେଟରମାନଙ୍କ ସହ ସହଭାଗିତା ଜରିଆରେ ନିଜର ପ୍ରଯୁକ୍ତି ଭିତ୍ତିଭୂମି ଉପଲବ୍ଧ କରାଇବାକୁ କମ୍ପାନି ଯୋଜନା କରୁଛି। ଜିଓ ନିଜର ସମନ୍ୱିତ ହୋମ୍ ବ୍ରଡବ୍ୟାଣ୍ଡ୍ ପ୍ରଯୁକ୍ତି ଭିତ୍ତିଭୂମିକୁ ଏଭଳି ଏକ ବଡ଼ ବିଶ୍ୱସ୍ତରୀୟ ସୁଯୋଗ ଭାବେ ଦେଖୁଛି। ଆକାଶ କହିଛନ୍ତି ଯେ ପ୍ରଯୁକ୍ତି ବିକଶିତ କରିବା ଏବଂ ତାହାକୁ ବ୍ୟାପକ ସ୍ତରରେ ସଫଳତାର ସହ ରୂପାୟନ ତଥା ପରିଚାଳନା କରିବା ଦୁଇଟି ଭିନ୍ନ ଦକ୍ଷତା। ଜିଓ ଭାରତରେ ଏହି ଉଭୟ ଦକ୍ଷତାକୁ ପ୍ରମାଣିତ କରିସାରିଛି।
ଏହି କାରଣରୁ ଏହି ଯୋଜନା କେବଳ ଜିଓ ପାଇଁ ନୁହେଁ, ଭାରତ ପାଇଁ ମଧ୍ୟ ଗୁରୁତ୍ୱ ବହନ କରୁଛି। ଦୀର୍ଘ ସମୟ ଧରି ଭାରତ ବିଶ୍ୱର ବଡ଼ ବଡ଼ ପ୍ରଯୁକ୍ତି କମ୍ପାନିଗୁଡ଼ିକ ପାଇଁ ଏକ ବିଶାଳ ଉପଭୋକ୍ତା ବଜାର ଭାବେ ପରିଚିତ ଥିଲା। ଏବେ ଜିଓର ଉଦ୍ୟମ ହେଉଛି, ଭାରତରେ ବିକଶିତ ଏବଂ କୋଟି କୋଟି ଲୋକଙ୍କ ମଧ୍ୟରେ ବ୍ୟାପକ ସ୍ତରରେ ସଫଳତାର ସହ ବ୍ୟବହୃତ ହୋଇଥିବା ପ୍ରଯୁକ୍ତିକୁ ବିଶ୍ୱର ଅନ୍ୟ ବଜାରଗୁଡ଼ିକରେ ପହଞ୍ଚାଇବା। ଆକାଶ ଅମ୍ବାନୀ ପୂର୍ବରୁ ମଧ୍ୟ ଭାରତ ଏକ ପ୍ରଯୁକ୍ତି ଆମଦାନିକାରୀ ଦେଶରୁ ପ୍ରଯୁକ୍ତି ରପ୍ତାନିକାରୀ ଦେଶରେ ପରିଣତ ହେବାର ସମ୍ଭାବନା ବିଷୟରେ କହିଛନ୍ତି।
ଏହି ବିଶ୍ୱସ୍ତରୀୟ ଯୋଜନାରେ ହୋମ୍ ବ୍ରଡ୍ବ୍ୟାଣ୍ଡ୍ ବ୍ୟତୀତ ୫ଜି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରେ। ବିଭିନ୍ନ ଦେଶର ଆବଶ୍ୟକତା ଅନୁଯାୟୀ ନିଜର ପ୍ରଯୁକ୍ତି ପ୍ଲାଟଫର୍ମ ପାଇଁ ଭିନ୍ନ ଭିନ୍ନ ବଜାର ଚିହ୍ନଟ କରୁଛି କମ୍ପାନି।
ଯଦି ଏହି ସହଭାଗିତାଗୁଡ଼ିକ ବାସ୍ତବ ରୂପ ନିଏ, ତେବେ ଜିଓ ପାଇଁ ବିଦେଶୀ ବଜାରରୁ ଆୟ କରିବାର ଏକ ନୂଆ ମାର୍ଗ ଖୋଲିବ। ଏଥିସହ ଭାରତ ପାଇଁ ଏହାର ବଡ଼ ବାର୍ତ୍ତା ହେଉଛି ଯେ ଦେଶ ଏବେ କେବଳ ପ୍ରଯୁକ୍ତିର ଜଣେ ବଡ଼ ଉପଭୋକ୍ତା ହୋଇ ରହିବାକୁ ଚାହୁଁନାହିଁ; ବରଂ ପ୍ରଯୁକ୍ତି ବିକଶିତ କରିବା, ଏହାକୁ ବ୍ୟାପକ ସ୍ତରରେ ସଫଳତାର ସହ ପରିଚାଳନା କରିବା ଏବଂ ବିଶ୍ୱକୁ ଯୋଗାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ଦିଗରେ ଅଗ୍ରସର ହେଉଛି।