ପିଏମ୍ ଶ୍ରୀ ବିଦ୍ୟାଳୟ ପରିଦର୍ଶନ କଲେ ପ୍ରାଥମିକ ଶିକ୍ଷା ଉପନିର୍ଦ୍ଦେଶକ

8

ବେଲଗୁଣ୍ଠା,-17/10/2026-:(ଶିବରାମ ଚୌଧୁରୀ )-:ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ହିମାଂଶୁ ଓଝା ବେଲଗୁଣ୍ଠା ବ୍ଲକ୍‌ର ବିଭିନ୍ନ ପିଏମ୍ ଶ୍ରୀ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟଗୁଡ଼ିକର ଶୈକ୍ଷିକ ଓ ପ୍ରଶାସନିକ କାର୍ଯ୍ୟର ସମୀକ୍ଷା କରିଛନ୍ତି।ଏହି କ୍ରମରେ ସେ ବୋରୀସ୍ଥିତ ପିଏମ୍ ଶ୍ରୀ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ, କ୍ଷତ୍ରିୟବରପୁର ସ୍ଥିତ ପିଏମ୍ ଶ୍ରୀ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ବେଲଗୁଣ୍ଠାସ୍ଥିତ ପିଏମ୍ ଶ୍ରୀ ନୋଡାଲ ସରକାରୀ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ପରିଚାଳିତ ଏହି ବିଦ୍ୟାଳୟଗୁଡ଼ିକରେ ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ବିଭିନ୍ନ ରେକର୍ଡପତ୍ର ଯାଞ୍ଚ କରିବା ସହ ସରକାରୀ ପାଣ୍ଠିର ସୁପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ।ଏଥିସହ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ବିଭିନ୍ନ ଶୈକ୍ଷିକ ଓ ସହଶୈକ୍ଷିକ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଓ କର୍ମଚାରୀଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ। ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ ଆବଶ୍ୟକ ସହଯୋଗ କରିଥିଲେ। ପରିଦର୍ଶନ ଅବସରରେ ସେ ଗାଙ୍ଗପୁରସ୍ଥିତ ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟକୁ ମଧ୍ୟ ଯାଇଥିଲେ। ବିଦ୍ୟାଳୟର ସୁନ୍ଦର ପରିବେଶ, ଶିକ୍ଷାଦାନ ଶୈଳୀ ଓ ବିଭିନ୍ନ ସହଶୈକ୍ଷିକ କାର୍ଯ୍ୟକ୍ରମ ଦେଖି ସେ ଭାବବିହ୍ୱଳ ହୋଇପଡ଼ିଥିବା ପ୍ରକାଶ କରିଥିଲେ। ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ସମେତ ସମସ୍ତ ସହକାରୀ ଶିକ୍ଷକ ଓ କର୍ମଚାରୀଙ୍କ ଉଦ୍ୟମକୁ ସେ ଭୂୟସୀ ପ୍ରଶଂସା କରିଥିଲେ। ବିଦ୍ୟାଳୟର ଉନ୍ନତ କାର୍ଯ୍ୟଧାରାରେ ସନ୍ତୋଷ ପ୍ରକାଶ କରିବା ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ମଧ୍ୟ ବଜାୟ ରଖିବା ପାଇଁ ସେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ପ୍ରକାଶ ଥାଉକି ସୋରଡା ବିଧାୟକ ନୀଳମଣି ବିଷୋୟୀଙ୍କ ସହଯୋଗ କ୍ରମେ ବେଲଗୁଣ୍ଠା ବ୍ଳକ୍ ରେ ତିନୋଟି ଉଚ୍ଚ ବିଦ୍ୟାଳୟ ପିଏମ୍ ଶ୍ରୀ ବିଦ୍ୟାଳୟରେ ପରିଣତ ହୋଇଥିବା ବେଳେ ଆଗାମୀ ଦିନରେ ବ୍ଳକ୍ ରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଏବଂ ପିଏମ୍ ଶ୍ରୀ ବିଦ୍ୟାଳୟ ସଂଖ୍ୟା ବୃଦ୍ଧି ପାଇବା ଦିଗରେ ପ୍ରୟାସ ଜାରି ରହିବ ବୋଲି ବିଧାୟକ ଶ୍ରୀ ବିଷୋୟୀ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.