ଡାବୁଗାଁ _ ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ)ତା,୧୨/୧୦/୨୬ ଡାବୁଗାଁ ବ୍ଲକ ଅନ୍ତର୍ଗତ ବାଇଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷର ବିଷୟବସ୍ତୁ ‘ସମୃଦ୍ଧ ଭାଷା , ସମୃଦ୍ଧ ଓଡ଼ିଶା’ ଆଧାରରେ ଆୟୋଜିତ ଏହି ମହୋତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ମହତ୍ତ୍ୱ ସହ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଇଓ ରଶ୍ମିତା ନେତାମ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ,ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର,ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ , ଚଚରା ଗୁଡା ସରପଞ୍ଚ ରଞ୍ଜୁ ଭତରା ଓ ବିଆରସିସି ଭଗବାନ ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ ।ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ‘ସୁରଭି’ ମହୋତ୍ସବର ମହତ୍ତ୍ୱ ଓ ଏହା ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶରେ କିପରି ସହାୟକ ହେଉଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ।ଶିଶୁ ଙ୍କୁ ଶୃଙ୍ଖଳା,ଚରିତ୍ର ଗଠନ ସହ ଭଲ ପାଠ ପଢି ଜିଲ୍ଲା ଓ ରାଜ୍ୟର ନାମ ରଖିବାକୁ କହିଥିଲେ। ଏଥିସହ ମାତୃଭାଷାର ସୁରକ୍ଷା, ଓଡ଼ିଆ ଭାଷାର ପ୍ରଚାରପ୍ରସାର ଏବଂ ଭାଷା ସହ ସଂସ୍କୃତିର ନିବିଡ଼ ସମ୍ପର୍କ ଉପରେ ମତବ୍ୟକ୍ତ କରିଥିଲେ। ମହୋତ୍ସବରେ ‘ସମୃଦ୍ଧ ଭାଷା , ସମୃଦ୍ଧ ଓଡ଼ିଶା’ ବିଷୟକୁ ନେଇ ବିତର୍କ,ପ୍ରବନ୍ଧ ଲିଖନ,ଚିତ୍ରାଙ୍କନ,କୁଇଜ୍,ସଙ୍ଗୀତ,ସୃଜନଶୀଳ ଲିଖନ,ବକ୍ତୃତା,ଦଳଗତ ନୃତ୍ୟ ପ୍ରତିଯୋଗିତା ସହ ମଧ୍ୟାନ୍ନ ଭୋଜନ ସମ୍ପର୍କିତ ଚିତ୍ରକଳା ଓ ଶିଳ୍ପକଳା ପ୍ରଦର୍ଶନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଦଳଗତ ନୃତ୍ୟରେ କେଲିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଥମ, ମେଦନା ସରକାରୀ ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ଓ ମେଣ୍ଡରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରିଥିଲା । ସିଆରସିସି ଗୁପ୍ତ ପ୍ରସାଦ ନାଗ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଲକ ର ୮ ଗୋଟି କ୍ଲଷ୍ଟର ର ସିଆରସିସି ଓ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।