ଦଶମ ବୋର୍ଡ ପରୀକ୍ଷା ମୁଣ୍ଡ ଉପରେ, ବର୍ଷେ ହେଲା ନାହାଁନ୍ତି ଗଣିତ ଶିକ୍ଷକ

12

ଗଣିତ ଶିକ୍ଷକ ନଥିବାରୁ ପିଲାମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି

ବେଲଗୁଣ୍ଠା,୧୨/୧୦ -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ୍‌ ଷଢଙ୍ଗୀପଲୀ ରେ ଥିବା ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ଦୀର୍ଘଦିନ ଧରି ଗଣିତ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହୋଇଛି। ୧୯୬୪ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀରେ ମୋଟ ୨୪୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସୂଚନା ଅନୁସାରେ, ବିଦ୍ୟାଳୟର ଗଣିତ ଶିକ୍ଷକ ବିଶ୍ୱଜିତ୍ ନାୟକ ୨୦୨୫ ଅକ୍ଟୋବରରେ ସ୍ୱାସ୍ଥ୍ୟଜନିତ କାରଣରୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କ ଅନୁପସ୍ଥିତିରେ ବିଦ୍ୟାଳୟରେ ଗଣିତ ଶିକ୍ଷାଦାନ ବ୍ୟାହତ ହୋଇଥିଲା। ଦୁର୍ଭାଗ୍ୟବଶତଃ, ୨୦୨୬ ଜୁଲାଇରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ନାୟକଙ୍କ ଅକାଳ ବିୟୋଗ ଘଟିଥିଲା।
ଶିକ୍ଷକଙ୍କ ଅନୁପସ୍ଥିତି ସମ୍ପର୍କରେ ପ୍ରଧାନଶିକ୍ଷୟିତ୍ରୀ ଡୋକି ସରୋଜିନୀ ଙ୍କ ପ୍ରତିକ୍ରିୟା ନେବାରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦୁଇଥର ଅବଗତ କରାଇଥିବା ସେ ପ୍ରକାଶ କରିଥିଲେ । ଏଲ୍‌ଟିଆର୍‌ ଶିକ୍ଷକ କିମ୍ବା ଡେପୁଟେସନ୍‌ରେ ଜଣେ ଗଣିତ ଶିକ୍ଷକ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଏଯାଏଁ ବିଦ୍ୟାଳୟରେ କୌଣସି ଗଣିତ ଶିକ୍ଷକ ଯୋଗ ଦେଇନାହାନ୍ତି।ଅନ୍ୟପକ୍ଷରେ, ଏହି ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରତିବର୍ଷ ଉତ୍ତମ ହୋଇଆସୁଛି। ଚଳିତ ବର୍ଷ ମଧ୍ୟ ୬ ଜଣ ଛାତ୍ରଛାତ୍ରୀ A1 ଗ୍ରେଡ୍‌ ପାଇବା ଆଶାରେ ରହିଛନ୍ତି। ମାତ୍ର ଆଗକୁ ଆଉ କିଛି ମାସ ପରେ ଦଶମ ବୋର୍ଡ ପରୀକ୍ଷା ଥିବାବେଳେ ଗଣିତ ଶିକ୍ଷକ ନଥିବାରୁ ପିଲାମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ବିଦ୍ୟାଳୟରେ ନିୟମିତ ଗଣିତ କ୍ଲାସ୍‌ ହୋଇପାରୁନଥିବାରୁ ପାଠ୍ୟକ୍ରମ ମଧ୍ୟ ଶେଷ ହୋଇପାରିନାହିଁ। ଅନଲାଇନ୍‌ରେ ଖାନ୍‌ ଏକାଡେମୀ ମାଧ୍ୟମରେ ପାଠ ପଢ଼ିବାର ବିକଳ୍ପ ଥିଲେ ମଧ୍ୟ ଆବଶ୍ୟକ ସହାୟତା ଓ ନିୟମିତ ଶିକ୍ଷକଙ୍କ ଅଭାବରୁ ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେଇପାରୁନାହାନ୍ତି।ତେଣୁ ଦଶମ ବୋର୍ଡ ପରୀକ୍ଷା ପୂର୍ବରୁ ତୁରନ୍ତ ଜଣେ ଗଣିତ ଶିକ୍ଷକଙ୍କୁ ଡେପୁଟେସନ୍‌ କିମ୍ବା ଏଲ୍‌ଟିଆର୍‌ ମାଧ୍ୟମରେ ନିଯୁକ୍ତି ଦେଇ ପାଠପଢ଼ା ସ୍ୱାଭାବିକ କରିବାକୁ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

Leave A Reply

Your email address will not be published.