ଓଡ଼ଗାଁ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା,

18

  • ଅପରାଧିକ ମାମଲା ଅଭିଯୋଗରେ ଉପସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚକୁ ନେଇ ହଟ୍ଟଗୋଳ,
  • ନିର୍ବାଚନ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ଜିଲ୍ଲାପାଳ;

ଓଡ଼ଗାଁ, ୧୦।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଲାଗିରହିଛି। ଉପସଭାପତି ପଦ ପାଇଁ ଜଣେ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଅଭିଯୋଗ ଉଠିବା ଏବଂ ଏହାକୁ ଆଧାର କରି ପ୍ରାର୍ଥୀପତ୍ର ନାକଚ ହୋଇଥିବା ଘଟଣାକୁ ନେଇ ଆଜି କଲେଜ ପରିସରରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ହୋହଲ୍ଲା ହୋଇଛି। ପରିସ୍ଥିତି ଅଣାୟତ୍ତ ହେବା ଆଶଙ୍କାରେ ପ୍ରଶାସନିକ ଅଧିକାରୀ ଓ ପୁଲିସ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି। ଅନ୍ୟପକ୍ଷରେ, ନିର୍ବାଚନ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ କଲେଜ କର୍ତ୍ତୃପକ୍ଷ ନୟାଗଡ଼ ଜିଲ୍ଲାପାଳଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶୁକ୍ରବାର ଛାତ୍ର ସଂସଦ ନିର୍ବାଚନର ସଭାପତି ସମେତ ବିଭିନ୍ନ ପଦବୀ ପାଇଁ ବୈଧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଥିଲା। ଉପସଭାପତି ପଦ ପାଇଁ ରୋଜାଲିନ ସାହୁ ଓ ଶୁଭମ୍ ରଞ୍ଜନ ସାହୁଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀଙ୍କ ପ୍ରସ୍ତାବକ ନିର୍ଦ୍ଧାରିତ ସମୟ ପରେ କଲେଜରେ ପହଞ୍ଚିଥିବା ନେଇ ଅଭିଯୋଗ ହେବାରୁ ବିବାଦ ଉପୁଜିଥିଲା। ଏହାକୁ ବିରୋଧ କରି ଗୋଟିଏ ପକ୍ଷର ଛାତ୍ରମାନେ କଲେଜ ଫାଟକ ବନ୍ଦ କରିବା ସହ ପ୍ରତିବାଦ କରିଥିଲେ। ପରେ ଅଭିଯୋଗକାରୀଙ୍କ ଦାବି ଅନୁଯାୟୀ, ତହସିଲ ପ୍ରଶାସନ, ପୁଲିସ ଓ କଲେଜ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା। ଯାଞ୍ଚରୁ ସମ୍ପୃକ୍ତ ପ୍ରସ୍ତାବକ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚିଥିବା ଜଣାପଡ଼ିବା ପରେ ସେହି ବିବାଦର ସମାଧାନ ହୋଇଥିଲା।
ତେବେ ଶନିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଧାର୍ଯ୍ୟ ଅପରାହ୍ନ ୧ଟା ସମୟ ଶେଷ ହେବା ପରେ ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ଥିଲା। ଏହି ସମୟରେ ଉପସଭାପତି ପଦ ପାଇଁ ଜଣେ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ସମ୍ପର୍କିତ ଅଭିଯୋଗ ଉଠିଥିଲା। ଏହାକୁ ନେଇ ତାଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ଜଣାପଡ଼ିବା ପରେ ସମର୍ଥକ ଛାତ୍ରମାନେ ଏହାର ପ୍ରତିବାଦ କରିଥିଲେ। ସେମାନେ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋହଲ୍ଲା କରିବା ସହ କଲେଜ ପରିସରରେ ଉତ୍ତେଜନା ସୃଷ୍ଟି କରିଥିଲେ। ଏହି ଘଟଣାରେ ସଭାପତି ପଦ ପାଇଁ ମଳୟ କୁମାର ଜେନା ଓ ରାକେଶ ବିଶୋଇଙ୍କ ନାମ ଚୟନ ହୋଇଥିବା ବେଳେ ରାକେଶ ବିଶୋଇଙ୍କ ବିରୋଧରେ ଅପରାଧିକ ମାମଲା ଥିବା ନେଇ ପ୍ରତିପକ୍ଷ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି। ତାଙ୍କ ପ୍ରାର୍ଥୀପତ୍ର ନାକଚ କରିବାକୁ ଦାବି କରି ପ୍ରତିପକ୍ଷ ଛାତ୍ରମାନେ ହୋହଲ୍ଲା ଜାରି ରଖିଥିଲେ। ତେବେ ଅଭିଯୋଗର ସତ୍ୟାସତ୍ୟ ସମ୍ପର୍କରେ ସ୍ୱାଧୀନ ଭାବେ ଯାଞ୍ଚ ହୋଇଥିବା ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ଗାଁର ଅତିରିକ୍ତ ତହସିଲଦାର ଜି. ଶ୍ରୀନୁ, ଶରଣକୁଳ ଏସ୍‌ଡିପିଓ ଦୀପ୍ତିକାନ୍ତ ପ୍ରଧାନ ଓ ଆଇଆଇସି ସତ୍ୟନାରାୟଣ ବାରିକ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ। ଅନ୍ୟପକ୍ଷରେ, ପ୍ରଶାସନିକ ଅଧିକାରୀ, କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କ ଉପସ୍ଥିତିରେ ଅଭିଯୋଗକୁ ନେଇ ଆଲୋଚନା ଜାରି ରହିଥିଲା। ସମର୍ଥକ ଛାତ୍ରମାନେ ବାରମ୍ବାର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ଯାଇ ନିଜ ନିଜର ଦାବି ଓ ଯୁକ୍ତି ଉପସ୍ଥାପନ କରୁଥିବା ଦେଖାଯାଇଥିଲା। ଗୋଟିଏ ପରେ ଗୋଟିଏ ଅଭିଯୋଗକୁ ନେଇ କଲେଜ ପରିସରରେ ଉତ୍ତେଜନା ଲାଗି ରହିଥିବାରୁ କର୍ତ୍ତୃପକ୍ଷ ଏକ ଜରୁରୀ ବୈଠକ ଡାକି ଘଟଣାର ସମୀକ୍ଷା କରିଥିଲେ। ରାତି ୧୧ ଟା ପରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଦାୟିତ୍ୱ ନୟାଗଡ଼ ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରାଯାଇଥିବା ଜଣାପଡ଼ିଛି। ଆସନ୍ତାକାଲି ଜିଲ୍ଲାପାଳଙ୍କ ନିଷ୍ପତ୍ତି ପରେ ନିର୍ବାଚନର ପରବର୍ତ୍ତୀ ସ୍ଥିତି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.