ଜିଲ୍ଲାପାଳ, ଡିଆଇଜି ଓ ଏସ୍ପିଙ୍କୁ ଭେଟିଲା ସେଣ୍ଟ୍ରାଲ ପୂଜା କମିଟି
ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଦୁର୍ଗାପୂଜା ମୂର୍ତ୍ତି ବିସର୍ଜନ ସମୟରେ ଟ୍ରାଫିକ୍ ଭିଡ଼ ନିୟନ୍ତ୍ରଣ ସହ ଭକ୍ତ ଓ ସାଧାରଣ ଜନତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଉରକେଲାରେ ଏକ ଅତିରିକ୍ତ ବିସର୍ଜନ ପୋଖରୀ ନିର୍ମାଣ ପାଇଁ ଦାବି ଉଠାଇଛି ସେଣ୍ଟ୍ରାଲ ପୂଜା କମିଟି।
ଏହି ମର୍ମରେ ଆଜି କମିଟିର ସମ୍ପାଦକ ଶ୍ରୀ ବୀରେନ୍ଦ୍ର ନାରାୟଣ ସ୍ୱାଇଁଙ୍କ ନେତୃତ୍ୱରେ କମିଟିର ସମସ୍ତ ପଦାଧିକାରୀ ଡିଆଇଜି କାର୍ଯ୍ୟାଳୟରେ ଜିଲ୍ଲାପାଳ, ପଶ୍ଚିମାଞ୍ଚଳ ଡିଆଇଜି ଓ ରାଉରକେଲା ଏସ୍ପିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ।
ବୈଠକରେ ଲୁଆକେରା, ସେକ୍ଟର-୧୩ ନିକଟସ୍ଥ ନଦୀକୂଳରେ ଏକ ଅତିରିକ୍ତ ବିସର୍ଜନ ପୋଖରୀ ନିର୍ମାଣ କରିବାକୁ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଅଧିକାରୀମାନେ ଏହି ପ୍ରସ୍ତାବକୁ ସକାରାତ୍ମକ ଭାବେ ଗ୍ରହଣ କରିବା ସହ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଥିବା କମିଟି ପକ୍ଷରୁ କୁହାଯାଇଛି।
ପ୍ରସ୍ତାବିତ ବିସର୍ଜନ ପୋଖରୀ ନିର୍ମାଣ ହେଲେ ଦୁର୍ଗାପୂଜା ସମୟରେ ମୂର୍ତ୍ତି ବିସର୍ଜନ ଯୋଗୁଁ ସୃଷ୍ଟି ହେଉଥିବା ଟ୍ରାଫିକ୍ ଭିଡ଼ ଅନେକାଂଶରେ ହ୍ରାସ ପାଇବ। ଏଥିସହ ସମସ୍ତ ପୂଜା କମିଟି, ଭକ୍ତ ଓ ସାଧାରଣ ଜନତାଙ୍କ ପାଇଁ ବିସର୍ଜନ ପ୍ରକ୍ରିୟା ଅଧିକ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ସୁଗମ ହୋଇପାରିବ।
ଅଧିକାରୀମାନଙ୍କ ସହ ଆଲୋଚନା ଅତ୍ୟନ୍ତ ସକାରାତ୍ମକ ଓ ଉତ୍ସାହଜନକ ରହିଥିବାରୁ ଏହି ଜନକଲ୍ୟାଣମୂଳକ ପ୍ରସ୍ତାବ ଉପରେ ଖୁବ୍ଶୀଘ୍ର ଠୋସ୍ ପଦକ୍ଷେପ ନିଆଯିବ ବୋଲି ସେଣ୍ଟ୍ରାଲ ପୂଜା କମିଟି ଆଶା ପ୍ରକାଶ କରିଛି। ଏହି ପଦକ୍ଷେପ ରାଉରକେଲାରେ ଦୁର୍ଗାପୂଜାର ସୁଚାରୁ ଆୟୋଜନ, ଜନସାଧାରଣଙ୍କ ସୁବିଧା ଓ ଟ୍ରାଫିକ୍ ପରିଚାଳନାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ।