ଭାଗବତ ସୂର୍ଯ୍ୟ ଶ୍ରୀ ରାଧାକାନ୍ତ ଦାସ ମହାରାଜଙ୍କ ଦ୍ୱାରା ‘ମହାରାସ ବିଶେଷାଙ୍କ’ ଉନ୍ମୋଚିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରସ୍ଥିତ ଐତିହାସିକ ପରିଚ୍ଛା ମଠ ପରିସରରେ ପବିତ୍ର ‘ଦାମୋଦର’ ଲୀଳାର କାର୍ତ୍ତିକ ବ୍ରତ ଏବଂ ବାଳ-ମୁକୁନ୍ଦ କେନ୍ଦ୍ରର ମାସବ୍ୟାପୀ କାର୍ତ୍ତିକ ସେବା ଓ ସଂସ୍କାର କାର୍ଯ୍ୟକ୍ରମ ବିଭିନ୍ନ ଆଧ୍ୟାତ୍ମିକ ଅନୁଷ୍ଠାନ ମଧ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଉଦ୍ଯାପିତ ହୋଇଯାଇଛି। ଧର୍ମମାସ କାର୍ତ୍ତିକର କଠୋର ତପସ୍ୟା , ସଂଯମ ଓ ବ୍ରତ ପାଳନ ପରେ ପବିତ୍ର ମାର୍ଗଶିର ମାସର ଶୁଭାରମ୍ଭ ଅବସରରେ ଭକ୍ତମାନେ ନୂତନ ଆଧ୍ୟାତ୍ମିକ ସଂକଳ୍ପ ଗ୍ରହଣ କରିଛନ୍ତି।
ଏହି ପବିତ୍ର ଅବସରରେ ବ୍ରହ୍ମପୁରରୁ ଆଗତ ପ୍ରସିଦ୍ଧ ରସଧାରା ପ୍ରବକ୍ତା ତଥା ‘ଭାଗବତ ସୂର୍ଯ୍ୟ’ ଶ୍ରୀ ରାଧାକାନ୍ତ ଦାସ ମହାରାଜ—ଯିଏ ବର୍ତ୍ତମାନ ବଡ଼ ରାଧାକାନ୍ତ ମଠରେ ଅନୁଷ୍ଠିତ ଶ୍ରୀମଦ୍ ଭାଗବତ ସପ୍ତାହ ଜ୍ଞାନଯଜ୍ଞରେ ପ୍ରବଚନ ପ୍ରଦାନ କରୁଛନ୍ତି—ପରିଚ୍ଛା ମଠ ବିଜେ ଶ୍ରୀରସିକରାଜ ମହାପ୍ରଭୁଙ୍କ ମନ୍ଦିରର ପ୍ରାଚୀନ ଐତିହ୍ୟ ଓ ଇତିହାସ ଜାଣିବାକୁ ମଠ ପରିଦର୍ଶନ କରିଥିଲେ। ସେ ମନ୍ଦିରର ଗୌରବମୟ ଇତିହାସ ଜାଣିବା ସହିତ ମଠ ପାଠାଗାରରେ ସଂରକ୍ଷିତ ଅତି ପୁରାତନ ଓ ଦୁର୍ଲଭ ବଙ୍ଗଳା ଗ୍ରନ୍ଥରାଜି ପଠନ କରି ଅତ୍ୟନ୍ତ ଆନନ୍ଦିତ ଓ ଆଶ୍ଚର୍ଯ୍ୟଚକିତ ହୋଇଥିଲେ। ଏହି ଅମୂଲ୍ୟ ଶାସ୍ତ୍ରୀୟ ଗ୍ରନ୍ଥଗୁଡ଼ିକର ଉତ୍ତମ ଯତ୍ନ ଓ ସୁରକ୍ଷା ଦେଖି ସେ ମଠର ପୁରୋଧା ହରେ ରାମ କୃଷ୍ଣ ଚୌଧୁରୀ ଏବଂ ମନ୍ଦିର ପରିଚାଳକ ମୁରଲୀଧର ପରିଚ୍ଛାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ଶ୍ରୀ ରାଧାକାନ୍ତ ଦାସ ମହାରାଜ ବାଳ-ମୁକୁନ୍ଦ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ‘ବାଳ-ମୁକୁନ୍ଦ କାନ୍ଥ ପତ୍ରିକା’ (ମହାରାସ ବିଶେଷାଙ୍କ)କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ। ସେ ପତ୍ରିକାରେ ସନ୍ନିବେଶିତ ଚାରୋଟି ଆଧ୍ୟାତ୍ମିକ ସ୍ତମ୍ଭ— ଶ୍ରୀଜଗନ୍ନାଥ ସଂସ୍କୃତି, ଶ୍ରୀମଦ୍ଭଗବଦ୍ ଗୀତା, ଜଗଦ୍ଗୁରୁ ଶ୍ରୀ କୃପାଳୁ ଦର୍ଶନ ଏବଂ ପୂଜ୍ୟ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ‘ମନ ନିୟନ୍ତ୍ରଣ’ ବାର୍ତ୍ତାକୁ ପାଠ କରିଥିଲେ। ସେ କହିଥିଲେ ଯେ, ଯେପରି ମହାରାସ ମଣ୍ଡଳର ଠିକ୍ କେନ୍ଦ୍ରବିନ୍ଦୁରେ ଭଗବାନ ଶ୍ରୀକୃଷ୍ଣ ବିରାଜମାନ ଥାଇ ସମଗ୍ର ବ୍ରହ୍ମାଣ୍ଡକୁ ଆନନ୍ଦିତ କରନ୍ତି, ସେହିପରି ଆମ ଜୀବନର ପ୍ରତ୍ୟେକ କର୍ମ ଭଗବାନଙ୍କୁ କେନ୍ଦ୍ର କରି ସମ୍ପାଦିତ ହେଲେ ଜୀବନ ସାର୍ଥକ ଓ ଧନ୍ୟ ହୋଇଥାଏ।
ବାଳ-ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ମଠର ସେବାୟତ, ଶ୍ରଦ୍ଧାଳୁ ଓ କେନ୍ଦ୍ରର ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ।