୮୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ଯୋଗଦାନ; କୃତୀ ପ୍ରତିଯୋଗୀ ପୁରସ୍କୃତ
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ): କଳାହାଣ୍ଡି ଜିଲ୍ଲାର ମାଡ଼ିଂପଦର ଆଶ୍ରମ ବିଦ୍ୟାଳୟ ପରିସରରେ ଅକ୍ଟୋବର ୯ ତାରିଖ ଶୁକ୍ରବାର ଦିନ କର୍ଲାପଡ଼ା କ୍ଲଷ୍ଟରସ୍ତରୀୟ ‘ଶିଶୁ ସୁରଭି-୨୦୨୬’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିଶୁକୈନ୍ଦ୍ରିକ କାର୍ଯ୍ୟକ୍ରମରେ ପ୍ରାୟ ୮୫୦ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅତିଥି ଓ ଅଭିଭାବକ ଯୋଗଦେଇଥିଲେ। ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶ ଓ ପ୍ରଦର୍ଶନ ପାଇଁ ଏହି ମଞ୍ଚ ସୁଯୋଗ ସୃଷ୍ଟି କରିଥିଲା।
ମାଡ଼ିଂପଦର ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୌଭାଗ୍ୟ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଭବାନୀପାଟଣା ବ୍ଲକର ବ୍ଲକ୍ ରିସୋର୍ସ ସେଣ୍ଟର କୋ-ଅର୍ଡିନେଟର (ବିଆରସିସି) ଜୟ କୁମାର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧଳ ଦେବ ମୁଣ୍ଡ, ଜିଲ୍ଲା ପରିଷଦ ସଦସ୍ୟ ଦୟାନିଧି ନାଏକ, କର୍ଲାପଡ଼ା ସରପଞ୍ଚ ସୁଷମା ସେନାପତି, କର୍ଲାପଡ଼ା ଡିଗ୍ରୀ କଲେଜର ଅଧ୍ୟାପକ ଲଳିତ କୁମାର ପଣ୍ଡା, ପଞ୍ଚାୟତ ସମିତି ଅଧ୍ୟକ୍ଷ ତପନ କୁମାର ରଥ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାଳୀ ପ୍ରସାଦ ରଥ, ସୁଜାତା ଯୋଶୀ, ବରିଷ୍ଠ ପ୍ରଧାନଶିକ୍ଷକ ଜଗନ୍ନାଥ ଦାଶ, ଶୁକ୍ରୁ ଜାନୀ, ମୀନକେତନ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କ୍ଷେତ୍ରୀ କୁମାର ରାଉତ, ପ୍ରଶିକ୍ଷକ ସଞ୍ଚିତା ଦାଶ ଓ ରଶ୍ମିତା ବେହେରା, ଅର୍ଜୁନ ସାହୁ, ସମାଜସେବୀ ନିରାକାର ଶବର ଏବଂ ବିଦ୍ୟାଳୟର ଏସଏମସି ସଭାପତି ହେମନ୍ତ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ରୋହିତ କୁମାର ନାଏକ, ବରିଷ୍ଠ ସାମ୍ବାଦିକ କବିରାଜ ଦୁର୍ଗା ଓ ସାମ୍ବାଦିକ ଗୁପ୍ତେଶ୍ୱର ହାତୀ ମଧ୍ୟ ମଞ୍ଚାସୀନ ଥିଲେ।
ପ୍ରାରମ୍ଭରେ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଶ୍ରୀଗଣେଶ ଓ ମା’ ସରସ୍ୱତୀଙ୍କ ମନ୍ତ୍ରପାଠ ସହ ଦୀପ ପ୍ରଜ୍ୱଳନ କରାଯାଇଥିଲା। ମାଡ଼ିଂପଦର ଆଶ୍ରମ ବିଦ୍ୟାଳୟର ଛାତ୍ରୀମାନଙ୍କ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ପରେ କାର୍ଯ୍ୟକ୍ରମର ଆବାହକ ତଥା ସାଧନ କେନ୍ଦ୍ର ସଂଯୋଜକ ପ୍ରଦ୍ୟୁମ୍ନ କୁମାର ହୋତା ‘ଶିଶୁ ସୁରଭି’ର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ସରଳ ଓ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ। ଅନ୍ୟ ଅତିଥିମାନେ ମଧ୍ୟ ନିଜ ନିଜର ଅଭିଭାଷଣରେ ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ଶିକ୍ଷା ସହ ସହପାଠ୍ୟକ୍ରମ କାର୍ଯ୍ୟକଳାପର ଗୁରୁତ୍ୱ ଉପରେ ମତ ରଖିଥିଲେ।
ଏହାପରେ ବିଭିନ୍ନ ବିଭାଗରେ ଛାତ୍ରଛାତ୍ରୀଙ୍କ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ୧ଟା ସମୟରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅତିଥି ଓ ଅଭିଭାବକଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଭୋଜନ ପରେ ବିଭିନ୍ନ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ଶିଶୁମାନେ ନିଜର କଳା ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।
ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପଛରେ ମାଡ଼ିଂପଦର ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୌଭାଗ୍ୟ ସାହୁଙ୍କ ସମେତ ବରିଷ୍ଠ ଶିକ୍ଷକ ମୀନକେତନ, ସୁଶାନ୍ତ, କେଦାର, ଘନଶ୍ୟାମ, ଖୁସିରାମ, ଅର୍ଜୁନ ସାହୁ, ସୁରେଶ ଓ ଅନ୍ୟ ସମସ୍ତ କର୍ମକର୍ତ୍ତାଙ୍କ ନିଃସ୍ୱାର୍ଥପର ସହଯୋଗକୁ ପ୍ରଶଂସା କରାଯାଇଛି। ଚାରି ଦିନ ଧରି ସେମାନେ ନିରନ୍ତର ପରିଶ୍ରମ କରି କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ପରିଚାଳନାରେ ନିଜକୁ ନିୟୋଜିତ କରିଥିଲେ।
ସେହିପରି କର୍ଲାପଡ଼ା କ୍ଲଷ୍ଟରର ବରିଷ୍ଠ ଶିକ୍ଷକ ଜଗନ୍ନାଥ ଦାଶ, ଶୁକ୍ରୁ ଜାନୀ, ଚିନୁଲତା ଭୋଇ, ମୃତ୍ୟୁଞ୍ଜୟ, କଳନ୍ଦ୍ରୀ ଏବଂ ସିଆରସିସି ପ୍ରଦ୍ୟୁମ୍ନ କୁମାର ହୋତାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସମନ୍ୱୟକୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟନ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଜୁରି ସଦସ୍ୟ, ଆୟୋଜକ ଦଳ, ମଞ୍ଚ ସଜ୍ଜା ଓ ଧ୍ୱନି ବ୍ୟବସ୍ଥାରେ ନିୟୋଜିତ କର୍ମକର୍ତ୍ତାମାନେ ଧୈର୍ଯ୍ୟ ଓ ନିଷ୍ଠାର ସହ ନିଜ ନିଜ ଦାୟିତ୍ୱ ତୁଲାଇଥିଲେ।
ଶେଷରେ ଆବାହକ ତଥା ସିଆରସିସି ପ୍ରଦ୍ୟୁମ୍ନ କୁମାର ହୋତା କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ସଦସ୍ୟ, କର୍ମକର୍ତ୍ତା, ଜୁରି ସଦସ୍ୟ, ଶିକ୍ଷକ-ଶିକ୍ଷୟିତ୍ରୀ, ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟ ସହଯୋଗୀଙ୍କୁ ଅନ୍ତରିକ କୃତଜ୍ଞତା ଜଣାଇଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଥିଲେ।
କର୍ଲାପଡ଼ା କ୍ଲଷ୍ଟରରେ ଏଭଳି ଏକ ବ୍ୟାପକ ଶିଶୁ ସୁରଭି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଆୟୋଜକ ଦଳକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଏହା ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ, ଆତ୍ମବିଶ୍ୱାସ ବୃଦ୍ଧି ଓ ସୃଜନଶୀଳତାକୁ ଉତ୍ସାହିତ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।