ଆର୍ଥିକ ସାକ୍ଷରତା ଓ ନିବେଶକଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ
ବଲାଙ୍ଗୀର, ୯ ଅକ୍ଟୋବର: ନିବେଶକଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ବୃଦ୍ଧି, ସଚେତନ ନିବେଶ ଅଭ୍ୟାସର ପ୍ରସାର ଏବଂ ନିବେଶକଙ୍କ ସ୍ୱାର୍ଥ ସୁରକ୍ଷା ଉଦ୍ଦେଶ୍ୟରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗୀରଠାରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଏବଂ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନ୍ଏସ୍ଇ)ର ମିଳିତ ସହଯୋଗରେ ଏକ ଆଞ୍ଚଳିକ ନିବେଶକ ସଚେତନତା ଓ ସଶକ୍ତୀକରଣ ସେମିନାର ଅନୁଷ୍ଠିତ ହୋଇଯାଇଛି।
ବିଶ୍ୱବିଦ୍ୟାଳୟର ନୂତନ ଶିକ୍ଷା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅପରାହ୍ଣ ୨ଟା ୩୦ରୁ ୫ଟା ପର୍ଯ୍ୟନ୍ତ ଆୟୋଜିତ ଏହି ସେମିନାରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଭୂତି ଭୂଷଣ ମଲ୍ଲିକ ଅଧ୍ୟକ୍ଷତା କରିଥିଲେ। ବାଣିଜ୍ୟ ବିଭାଗର ମୁଖ୍ୟ ଡ. କୌଶଲ୍ୟା କିଷାନଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀ ଏଥିରେ ଉପସ୍ଥିତ ଥିଲେ। ଏନ୍ଏସ୍ଇର ଉପପ୍ରବନ୍ଧକ ଶ୍ରୀ ପ୍ରଦୀପ୍ତ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରତିଭୂତି ବଜାରର କାର୍ଯ୍ୟପ୍ରଣାଳୀ, ନିବେଶ ପ୍ରକ୍ରିୟା ଏବଂ ନିବେଶକଙ୍କ ସୁରକ୍ଷା ସମ୍ପର୍କରେ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ।
ସେମିନାରରେ ସେବି ଓ ଷ୍ଟକ୍ ଏକ୍ସଚେଞ୍ଜର ଭୂମିକା, ପ୍ରତିଭୂତି ବଜାରର କାର୍ଯ୍ୟପ୍ରଣାଳୀ, ଡିମାଟ୍ ଖାତା ଖୋଲିବା, ସେୟାର କିଣାବିକା ପ୍ରକ୍ରିୟା ଏବଂ ପଞ୍ଜୀକୃତ ମଧ୍ୟସ୍ଥିଙ୍କ ମାଧ୍ୟମରେ ନିବେଶ କରିବାର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା। ଏଥିସହ ନିବେଶ ସହ ଜଡ଼ିତ ବିପଦ, ଠକେଇପୂର୍ଣ୍ଣ ଯୋଜନା ଏବଂ ଆର୍ଥିକ ନିଷ୍ପତ୍ତି ନେବା ପୂର୍ବରୁ ଉପଲବ୍ଧ ତଥ୍ୟର ସତ୍ୟତା ଯାଞ୍ଚ କରିବା ଉପରେ ଅଂଶଗ୍ରହଣକାରୀଙ୍କୁ ସଚେତନ କରାଯାଇଥିଲା।
ନିବେଶରେ ବିପଦ ଓ ଲାଭ ମଧ୍ୟରେ ଥିବା ସମ୍ପର୍କକୁ ବୁଝିବା, ଉତ୍ତମ ଆର୍ଥିକ ଅଭ୍ୟାସ ଗଢ଼ିତୋଳିବା ଏବଂ ଅଳ୍ପ ସମୟରେ ଅଧିକ ଲାଭ ଦେବାର ଅବାସ୍ତବ ପ୍ରତିଶ୍ରୁତିରୁ ଦୂରେଇ ରହିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହା ସହିତ ନିବେଶକଙ୍କ ଅଭିଯୋଗର ସମାଧାନ ପ୍ରକ୍ରିୟା ଏବଂ ନିୟାମକ ସଂସ୍ଥା ପକ୍ଷରୁ ଉପଲବ୍ଧ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ଏହି ସେମିନାର ଅଂଶଗ୍ରହଣକାରୀଙ୍କୁ ଆର୍ଥିକ ବଜାର ସମ୍ପର୍କରେ ଜ୍ଞାନ ଓ ବ୍ୟବହାରିକ ମାର୍ଗଦର୍ଶନ ପ୍ରଦାନ କରିବା ସହ ଦାୟିତ୍ୱପୂର୍ଣ୍ଣ ନିବେଶ ଏବଂ ସଚେତନ ଆର୍ଥିକ ନିଷ୍ପତ୍ତି ଗ୍ରହଣ ପାଇଁ ପ୍ରେରଣା ଯୋଗାଇଥିଲା। ଏଭଳି କାର୍ଯ୍ୟକ୍ରମ ଜନସାଧାରଣଙ୍କ ମଧ୍ୟରେ ଆର୍ଥିକ ସଚେତନତା ବୃଦ୍ଧି କରିବା ସହ ଏକ ଆତ୍ମବିଶ୍ୱାସୀ ଓ ଆର୍ଥିକ ଭାବେ ସଶକ୍ତ ସମାଜ ଗଠନରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା। ଶେଷରେ ଶ୍ରୀ ଓମ୍ ପ୍ରକାଶ ପୂଜାହାରୀ ଧନ୍ୟବାଦ ଅର୍ପଣ କରିଥିଲେ।