ରାୟଗଡ଼ା ମାଟିର ବୀର ସହିଦ ଯବାନ ଭି . ତେଜାଙ୍କୁ କାଶୀପୁର ସାମ୍ବାଦିକଙ୍କ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

16

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଦେଶମାତୃକାର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ରାୟଗଡ଼ା ମାଟିର ବୀର ଯବାନ ସ୍ୱର୍ଗତ ବି. ତେଜାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ବଳିଦାନକୁ ସ୍ମରଣ କରି ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ସାମ୍ବାଦିକମାନଙ୍କ ପକ୍ଷରୁ ଗଭୀର ଶୋକ ପ୍ରକାଶ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
ସୂଚନା ଅନୁଯାୟୀ, ନାଗାଲାଣ୍ଡରେ କାର୍ଯ୍ୟରତ ଥିବା ସମୟରେ ଛାତିରେ ଗୁଳି ବାଜିବାରୁ ବୀର ଯବାନ ବି. ତେଜାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କର ଅକାଳ ବିୟୋଗ କେବଳ ତାଙ୍କ ପରିବାର ପାଇଁ ନୁହେଁ, ବରଂ ସମଗ୍ର ରାୟଗଡ଼ା ଜିଲ୍ଲା ପାଇଁ ଏକ ଅପୂରଣୀୟ କ୍ଷତି। ଦେଶର ସୁରକ୍ଷା ପାଇଁ ନିଜ କର୍ତ୍ତବ୍ୟ ପାଳନ କରୁଥିବା ଏହି ବୀର ଯବାନଙ୍କ ବଳିଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ।
ଏହି ଅବସରରେ କାଶୀପୁର ବ୍ଲକର ସାମ୍ବାଦିକମାନେ ଏକତ୍ରିତ ହୋଇ ସ୍ୱର୍ଗତ ବି. ତେଜାଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ କରି ନିରବ ପ୍ରାଥର୍ନା ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଶୋକାକୁଳ ପରିବେଶରେ ସମସ୍ତେ ବୀର ଯବାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ  ପରିବାରକୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଓ ସାହସ ମିଳୁ ବୋଲି ପ୍ରାର୍ଥନା କରିଥିଲେ।


ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଚନ୍ଦ୍ରଶେଖର ପାତ୍ର, ବୈକୁଣ୍ଠ ଦୁରିଆ, ହୃଷିକେଶ ସାହୁ, ପ୍ରଫୁଲ୍ଲ ବେହେରା, ଅରବିନ୍ଦ ସାହୁ, ଆକାଶ ନାଏକ, ରତ୍ନାକର ନାଏକ, ମହେନ୍ଦ୍ର ସ୍ୱାଇଁ, ବିମଳେଶ୍ୱର ପାତ୍ରଙ୍କ ସମେତ କାଶୀପୁର ବ୍ଲକର  ସାମ୍ବାଦିକମାନେ ଉପସ୍ଥିତ ରହି ବୀର ସହିଦଙ୍କ ପ୍ରତି ନିଜର ଗଭୀର ସମ୍ମାନ ଓ ଶ୍ରଦ୍ଧା ଜଣାଇଥିଲେ।
ବୀର ଯବାନ ବି. ତେଜା ଅମର ରହନ୍ତୁ। ତାଙ୍କର ବଳିଦାନ ଆଗାମୀ ପିଢ଼ି ପାଇଁ ସାହସ, ଦେଶପ୍ରେମ ଓ କର୍ତ୍ତବ୍ୟନିଷ୍ଠାର ପ୍ରେରଣା ହୋଇ ରହିବ। ରାୟଗଡ଼ା ମାଟି ତାଙ୍କର ଏହି ମହାନ ତ୍ୟାଗକୁ ସଦା ସ୍ମରଣ କରିବ।

Leave A Reply

Your email address will not be published.