ଗୁଣପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ନାମଙ୍କନ ପତ୍ର ଦାଖଲ

10

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଫେରିଥିବା ବେଳେ ଗୁଣପୁର ମହାବିଦ୍ୟାଳୟରେ ମଧ୍ୟ ଛାତ୍ର ରାଜନୀତି ସରଗରମ ହୋଇଉଠିଛି । ଆଜି ନାମାଙ୍କନ ପତ୍ର ଦାଖଲ ଚାଲିଥିବା ବେଳେ କଲେଜ କ୍ୟାମ୍ପସରେ ଆରମ୍ଭ ହୋଇଛି ନିର୍ବାଚନୀ ପ୍ରକ୍ରିୟା । ନାମାଙ୍କନ ଦାଖଲ ପୂର୍ବରୁ ପ୍ରାର୍ଥିମାନେ ନିଜ ନିଜ ସମର୍ଥକଙ୍କ ସହ ମନ୍ଦିରରେ ପୂଜାପାଠ କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ପଦ ପାଇଁ ଆଶାୟୀ ପ୍ରାର୍ଥୀମାନେ ସମର୍ଥକଙ୍କ ଗହଣରେ ଯାଇ ନାମାଙ୍କନ ଦାଖଲ କରୁଥିବାରୁ କଲେଜ କ୍ୟାମ୍ପସରେ ଉତ୍ସାହ ବଢ଼ିଛି । ବିଜ୍ଞପ୍ତି ଅନୁସାରେ ମୋଟ ୧୮ଟି ପଦ ପାଇଁ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଵେ । ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ ପ୍ରାର୍ଥୀ ହେବାପାଇଁ ଆଶାୟୀଙ୍କ ଉପରେ ବିଭିନ୍ନ କଟକଣା ରଖାଯାଇଛି । ଯେପରିକି, ଯୁକ୍ତ ୩ ଛାତ୍ରଛାତ୍ରୀ ମାନେ ହିଁ ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରିପାରିବେ , ଆଶାୟୀଙ୍କ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ହେବା ଆବଶ୍ୟକ , ପ୍ରାର୍ଥୀଙ୍କର ଅତି କମରେ ୭୫ ପ୍ରତିଶତ ଉପସ୍ଥାନ ଥିବ , ଆଶାୟୀଙ୍କ ନାମରେ କୌଣସି ଏକାଡେମିକ୍ ବକେୟା ନଥିବା ସହ ଅପରାଧିକ ରେକର୍ଡ ନଥିବ , କଲେଜ ପକ୍ଷରୁ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇନଥିବା ନେଇ ଆଶାୟୀ ପ୍ରାର୍ଥୀମାନେ ଘୋଷଣା କରିବେ । ଜଣେ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ନିର୍ବାଚନୀ ଖର୍ଚ୍ଚ କରିପାରିବେ । ଆଜି ୧୦ଟାରୁ ୧ ଘଣ୍ଟା ଯାଏଁ ନାମାଙ୍କନ ପତ୍ର ଦାଖଲ ହେବା ସହ ଅପରାହ୍ନ ୨ଟା ଠାରୁ ୫ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।
ତେବେ ଚଳିତ ଛାତ୍ର ସଂସଦ ନିର୍ବାଚନରେ ବିଶେଷ କରି ଛାତ୍ର ଭୋଟରଙ୍କ ମନୋଭାବ , ସଙ୍ଗଠନ ଗୁଡ଼ିକର ମିଳିତ ରଣନୀତି ଓ ପ୍ରାର୍ଥୀଙ୍କର ବ୍ୟକ୍ତିଗତ ଲୋକପ୍ରିୟତା ନିର୍ବାଚନୀ ଫଳାଫଳ ନିର୍ଣ୍ଣୟ କରିବ । ତେବେ ଛାତ୍ର ନିର୍ବାଚନ କେବଳ ଶକ୍ତି ପ୍ରଦର୍ଶନ ନହୋଇ ଛାତ୍ରଛାତ୍ରୀ ଙ୍କ ସମସ୍ୟା , ଶିକ୍ଷାନୁଷ୍ଠାନ ର ବିକାଶ , ହଷ୍ଟେଲ ସମସ୍ୟା , ପାନୀୟ ଜଳ , କ୍ୟାଣ୍ଟିନ୍ , ଖେଳକୁଦ , ଛାତ୍ରବୃତ୍ତି , ନିଯୁକ୍ତିମୂଖୀ ଶିକ୍ଷା ଭଳି ପ୍ରସଙ୍ଗ ନିର୍ବାଚନୀ ଚର୍ଚ୍ଚାର କେନ୍ଦ୍ରରେ ରହିବା ଆବଶ୍ୟକ ।

Leave A Reply

Your email address will not be published.