କୁଲିହାମାଲରେ ପଞ୍ଚାୟତସ୍ତରୀୟ ସମନ୍ୱୟ ମେଳା

9


ଜଳ ସଂରକ୍ଷଣ ଓ ଗ୍ରାମାଞ୍ଚଳର ସମସ୍ୟା ସମାଧାନ ଉପରେ ଗୁରୁତ୍ୱ


ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ କୁଲିହାମାଲ ଖେଳପଡ଼ିଆରେ ଶୁକ୍ରବାର ପଞ୍ଚାୟତସ୍ତରୀୟ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ବିକାଶ ସଂସ୍ଥାର ସହାୟତା ଏବଂ ସେୱା ଅନୁଷ୍ଠାନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୁଲିହାମାଲ ପଞ୍ଚାୟତ ସମନ୍ୱୟ କମିଟି ପକ୍ଷରୁ ଏହି ମେଳା ଆୟୋଜିତ ହୋଇଥିଲା। ଅଞ୍ଚଳର ଜଳ ସୁରକ୍ଷା, ଭୂତଳ ଜଳ ସଂରକ୍ଷଣ, କୃଷିର ବିକାଶ ଓ ପାନୀୟ ଜଳ ସମସ୍ୟାର ସମାଧାନ ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ସେୱା ଅନୁଷ୍ଠାନର ସମ୍ପାଦକ ସୁଶିଲ କୁମାର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସେ ମେଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ତାଙ୍କ ସୂଚନା ଅନୁଯାୟୀ, କୁଲିହାମାଲ ପଞ୍ଚାୟତର ସମସ୍ତ ଗ୍ରାମରେ ଦୀର୍ଘ ଆଠ ମାସ ଧରି ସର୍ଭେ କରାଯାଇ ଲୋକଙ୍କ ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ଚିହ୍ନଟ କରାଯାଇଥିଲା। ଏହି ସର୍ଭେର ମୁଖ୍ୟ ଲକ୍ଷ୍ୟ ଥିଲା ଏକ ଜଳ ସୁରକ୍ଷିତ ଗ୍ରାମ ପଞ୍ଚାୟତ ଗଠନ କରିବା।

ମେଳାରେ ବ୍ଲକ ଓ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଆମନ୍ତ୍ରଣ କରାଯାଇଥିଲା। ସର୍ଭେରେ ଚିହ୍ନଟ ହୋଇଥିବା ସମସ୍ୟାଗୁଡ଼ିକୁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରାଯାଇ ସମାଧାନ ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାଦ୍ୱାରା ଭୂତଳ ଜଳ ସଂରକ୍ଷଣ ସହ ଚାଷ ଓ ପାନୀୟ ଜଳ ସମସ୍ୟାର ସମାଧାନ ସମ୍ଭବ ହୋଇପାରିବ ବୋଲି ଶ୍ରୀ ଦାଶ ଆଶାବ୍ୟକ୍ତ କରିଥିଲେ।

ଏହି ଅବସରରେ ପଣ୍ଡକିମାଲ, କୁସୁମଡିହି, ରଜାମାଲ, କୁଲିହାମାଲ, ଧୁବେନବୁଡ଼, ଜାମଚୁଆଁ, ଗଙ୍ଗାଡ଼ିହି, ଭୋଇପଡ଼ା ଓ ସୁନାମୁହାନ ଆଦି ଗ୍ରାମର ଜିପିସିସି ସଦସ୍ୟମାନେ ମଞ୍ଚରେ ନିଜ ନିଜ ଗ୍ରାମର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। ଏଥିରେ ରବିରତ୍ନ ଭୋଇ, ଉର୍ବଶୀ ଭୋଇ, ଜଗଦୀଶ କିସାନ, ଅରୁଣା ବାଗ, ଗୀତା ପ୍ରଧାନ, କଲ୍ୟାଣୀ ନାଏକ, ହେମକାନ୍ତି ମସାନ୍ତ, କିଶୋର ବଞ୍ଛୋର, ବଂଶୀଧର ଭୋଇ, ସନ୍ତୋଷ କିସାନ, ସୋମନାଥ କିସାନ, ହୀରାବତୀ କୁଅଁର, ପ୍ରତିଭା କୁଅଁର, ସାହିତା କିସାନ, ପୁଷ୍ପବତୀ ବାଗ ଓ ମହେନ୍ଦ୍ର ବାଗ ପ୍ରମୁଖ ନିଜ ଅଞ୍ଚଳର ସମସ୍ୟା ଓ ଆବଶ୍ୟକତା ଉପସ୍ଥାପନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଗ୍ରାମ ବିକାଶ ସଂସ୍ଥାର ଅଧିକାରୀ ମଧୁସ୍ମିତା ପଟ୍ଟନାୟକ, କୋଲାବିରାର ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶୁଭଶ୍ରୀ ପାଢ଼ୀ, ବ୍ଲକ କୃଷି ଅଧିକାରୀ ଭେରୋନିକା ତିର୍କୀ, ସେୱାର ସଭାପତି ସୁକାନ୍ତ କୁମାର ପଟେଲ ଏବଂ କୁଲିହାମାଲ ସରପଞ୍ଚ ବିନୋଦିନୀ ପଟେଲ ଯୋଗଦେଇ ନିଜ ନିଜ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ।

ସେୱାର ବିତ୍ତ ଅଧିକାରୀ ଶ୍ରୀକାନ୍ତ କଉଡ଼ି ସଭା ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଜେନେରାଲ ମ୍ୟାନେଜର ସୁଶ୍ରୀ ସଙ୍ଗୀତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମେଳାରେ ବ୍ଲକ ଓ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ କୁଲିହାମାଲ ପଞ୍ଚାୟତର ଏକ ହଜାରରୁ ଊର୍ଦ୍ଧ୍ୱ ଲୋକ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ସେୱା ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ କର୍ମୀ ସହଯୋଗ କରିଥିଲେ।

Leave A Reply

Your email address will not be published.