ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ଇଣ୍ଡିଆ ମେଣ୍ଟ ତରଫରୁ ଓଡିଶା ବନ୍ଦ ପାଳନରେ ଗୁଣୁପୁର ସହର ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ମୂଖ୍ୟତଃ ଚାରୋଟି ଦାବି ନେଇ ଇଣ୍ଡିଆ ମେଣ୍ଟ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଥିଲା । ସେହି ଦାବି ମଧ୍ୟରେ ରହିଛି ଏମ ଏମ ଡ଼ି ଆର (MMDR) ସଂଶୋଧିତ ଅଧିନିୟମକୁ ତୁରନ୍ତ ରଦ୍ଧ କରିବା, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଓ ଗିରଫଦାରୀ, ଏସ ଆଇ ଆର ପ୍ରତ୍ୟାହାର, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଓ ବହିଷ୍କାର, ବନ୍ୟା ପ୍ରଭାବିତ ଅଞ୍ଚଳରେ ସରକାରଙ୍କ ଉଦାସୀନତାକୁ ସ୍ୱଛତା କରିବା ଦାବୀରେ ଇଣ୍ଡିଆ କ୍ଳବ ପକ୍ଷରୁ ଜୋରଦାର ଅପିଲ କରାଯାଇଛି । ଏହି ପରିପ୍ରେକ୍ଷୀରେ ସି.ପି.ଆଇ (ଏମଏଲ) ଲିବରେସନ ଓ କଂଗ୍ରେସ ମିଳିତ ଭାବେ ଗୁଣପୁର ବାଇପାସ୍ ଛକ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଅବିଳମ୍ବେ ବହିଷ୍କାର କରିବା ସହିତ ଭୋଟ ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ତୁରନ୍ତ ବନ୍ଦ କରିବା, ଭୁଲରେ ବାଦ୍ ପଡ଼ିଥିବା ଲୋକଙ୍କ ଭୋଟ ଦାନ ଅଧିକାର ପୁନଃ ସ୍ଥାପିତ କରିବା, ଭାରତୀୟ ନିର୍ବାଚନ ଆୟୋଗର ସ୍ଵାଧୀନ ଏବଂ ଗଣତାନ୍ତ୍ରିକ କାର୍ଯ୍ୟ ପ୍ରଣାଳୀକୁ ପୁନଃସ୍ଥାପିତ କରିବା, ନିର୍ବାଚନ କମିଶନରଙ୍କ ନିଯୁକ୍ତିର ବର୍ତମାନ ବ୍ୟବସ୍ଥାକୁ ସୁପ୍ରିମ କୋର୍ଟଙ୍କ ଦ୍ୱାରା ପ୍ରସ୍ତାବିତ ଚୟନ କମିଟି ଯଥା: ପ୍ରଧାନମନ୍ତ୍ରୀ, ବିରୋଧୀ ନେତା ଓ ଭାରତର ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟି ନିର୍ଦ୍ଧାରଣରେ ସୁନିଶ୍ଚିତ କରିବା ଇତ୍ୟାଦି ଦାଵୀ କରିବା ସହ ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟ ପ୍ରଣାଳୀକୁ ବିରୋଧ କରାଯାଇଛି । ଯଦିଓ ୪ଗୋଟି ଦାବି ସରକାର ଶିଘ୍ର ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ ତୀବ୍ର ହେବ ବୋଲି ସିପିଆଇ (ଏମ ଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଏବଂ ମାନ୍ୟବର ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ(କଂଗ୍ରେସ) ଦାବୀ ଜଣାଇଛନ୍ତି । ଆଜିର ଏହି ବନ୍ଦ ପାଳନରେ ଅନାସିମ ଶବର, କୈଳାସ ଶବର, ମିନ ଶବର, ସଞ୍ଜୟ ଶବର, ମେରୀ ଗମାଙ୍ଗ, ମାଥ୍ୟୁ ଭୂଇଁ, ସନ୍ତୋଷ ଶବର, ରଞ୍ଜନ କୁମାର ରାଇକା ପ୍ରମୁଖ ଉପସ୍ଥିତ ରହି ବନ୍ଦ ପାଳନ କୁ ସଫଳ କରିଥିଲେ ।