ନୟାଗଡ଼(ବିଶ୍ୱଜିତ ନାୟକ):- ଯକ୍ଷ୍ମା ନିରାକରଣ ଦିଗରେ ଜାତୀୟ ପ୍ରୟାସକୁ ଆହୁରି ସୁଦୃଢ଼ କରିବା ଏବଂ ସମୁଦାୟର ସକ୍ରିୟ ସହଭାଗିତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦେଇ ତୃଣମୂଳ ସ୍ତରରେ ଟିବି ମୁକ୍ତ ଭାରତ ଅଭିଯାନର ବାର୍ତ୍ତକୁ ପ୍ରଚାର କରିବା ପାଇଁ ଜୋର ଦେଇଥିଲେ । ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ସାମାଜିକ ସ୍ୱାସ୍ଥ୍ୟ ପାଇଁ ମିଳିତ ସଚେତନତା ଓ ସେବା ପ୍ରସାର ଉଦେଶ୍ୟରେ ‘ଜୋସ୍’ ଟିମର କାର୍ଯ୍ୟକରିବ ବୋଲି ମତ ପ୍ରକାଶ କରିଥିଲେ । ଠିକ ସେହିପରି ବ୍ଲକ ସ୍ତରରେ ଏକ ସମର୍ପିତ ‘ଟିବି ମୁକ୍ତ ଭାରତ ଟିମ୍’ (ଜୋସ୍ ଟିମ୍) ଗଠନ ସମ୍ପର୍କରେ ଆଲୋଚନା କରାଯାଇଥିଲା, ଯେଉଁଥିରେ ଜଣେ ନୋଡାଲ ଅଫିସରଙ୍କ ନେତୃତ୍ୱରେ ‘ମାଇଁ ଭାରତ’ର ୫ ଜଣ ସ୍ୱେଚ୍ଛାସେବୀ ଏବଂ ନି-କ୍ଷୟ ମିତ୍ର ଭାବେ ପଞ୍ଜୀକୃତ ୫ ଜଣ ଏନସିସି କ୍ୟାଡେଟ୍ ସାମିଲ ରହିବେ । ବୈଠକରେ ଟିବି ନିରାକରଣ ପାଇଁ ରାଷ୍ଟ୍ରୀୟ ସ୍ତରୀୟ ‘ଜୋସ୍’ ଟିମ୍ କାର୍ଯ୍ୟକ୍ରମର ଆଭାସୀ ମାଧ୍ୟମରେ ଶୁଭାରମ୍ଭ ହୋଇଥିଲା, ତତ ସହିତ ଉପସ୍ଥିତ ସଦସ୍ୟମାନଙ୍କୁ ଓରିଏଣ୍ଟେସନ ମାଧ୍ୟମରେ ସେମାନଙ୍କ ଦାୟିତ୍ୱ ବିଷୟରେ ଅବଗତ କରାଯାଇଥିଲା। ଏଥିସହ ଯୁବ ସଂଗଠନ, ସଚେତନତା ରାଲି, ମାଗଣା ସ୍କ୍ରିନିଂ, ‘ଟିବି ମୁକ୍ତ ଭାରତ ଆପ୍’ର ବ୍ୟବହାର ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କ ଦ୍ୱାରା ‘ଟିବି ମୁକ୍ତ ଭାରତ ଶପଥ’ ପାଠ କରାଯାଇଥିଲା। ୨୦୨୫ ମସିହାରେ ଉଲ୍ଲେଖନୀୟ ସଫଳତା ପାଇଁ ‘ଟିବି ମୁକ୍ତ ପଞ୍ଚାୟତ ପୁରସ୍କାର’ ପ୍ରଦାନ କରାଯାଇଥିଲା, ଯେଉଁଥିରେ ନୟାଗଡ଼ ବ୍ଲକର ଗମ୍ଭାରୀଡିହି, ଲେଙ୍କୁଡ଼ିପଡ଼ା ଓ ନଡ଼ିଆଳି; ନୂଆଗାଁ ବ୍ଲକର ଢେଙ୍କେନା ଓ ସିକ୍ରିଡ଼ା; ଓଡ଼ଗାଁ ବ୍ଲକର ହରିଡ଼ାବନ୍ଧ ଓ ସୋଲାପଟା ଏବଂ ଭାପୁର ବ୍ଲକର ଭାଗବାନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ତତ ସଂଯୁକ୍ତ ଜିଲ୍ଲା ପରିଷଦ ସଭ୍ୟମାନେ ଯୋଗଦେଇ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି। ରାଷ୍ଟ୍ରୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ଟିବି ରୋଗର ପ୍ରାରମ୍ଭିକ ଚିହ୍ନଟ, ମାଗଣା ଚିକିତ୍ସା ଏବଂ ନି-କ୍ଷୟ ପୋଷଣ ଯୋଜନା ମାଧ୍ୟମରେ ରୋଗୀଙ୍କୁ ନିୟମିତ ସହାୟତା ଯୋଗାଇଦେବା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱେଚ୍ଛାସେବୀ ଓ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଛି। ତୃଣମୂଳ ସ୍ତରରେ ଜନ ଭାଗିଦାରୀକୁ ବ୍ୟାପକ କରି ‘ଟିବି ମୁକ୍ତ ନୟାଗଡ଼’ ଗଠନ ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ କରାଯାଇଥିଲା । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଶ୍ରୀ ବି. ଏସ. ରାଓ, ଡ଼ି. ପି. ଏମ. ପ୍ରକାଶ ବଳିୟାରସିଂ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି ଏବଂ ଜିଲ୍ଲା ସ୍ତରୀୟ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।