ଡିଏଭି ସ୍ପୋର୍ଟସ କ୍ଲଷ୍ଟର ଏବଂ ଜୋନସ୍ତରୀୟ କରାଟେ ଓ ତାଇକୋଣ୍ଡୋ ଚାମ୍ପିୟନଶିପ ଅନୁଷ୍ଠିତ

12

ଝାରସୁଗୁଡ଼ା,୬ ଅକ୍ଟୋବର ୨୦୨୬:ଡିଏଭି ସ୍ପୋର୍ଟସ କ୍ଲଷ୍ଟର ଏବଂ ଜୋନସ୍ତରୀୟ କରାଟେ ଓ ତାଇକୋଣ୍ଡୋ ଚାମ୍ପିୟନଶିପ ଡିଏଭି ପବ୍ଲିକ ସ୍କୁଲ, ଝାରସୁଗୁଡ଼ା ଆନୁକୂଲ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ଚାମ୍ପିୟନଶିପରେ ୧୪ ବର୍ଷରୁ କମ ଓ ୧୭ ବର୍ଷରୁ କମ ବିଭାଗରେ ମୋଟ ୧୪୬ ଜଣ ପ୍ରତିଯୋଗୀ, ୩୮ ଜଣ ଏସ୍କର୍ଟ ଶିକ୍ଷକ ଏବଂ ୧୫ ଜଣ କ୍ରୀଡ଼ା ଅଧିକାରୀ ଯୋଗଦେଇଥିଲେ। ଝାରସୁଗୁଡ଼ା ଡିଏଭି ଅଧ୍ୟକ୍ଷ ତଥା କ୍ଲଷ୍ଟର ହେଡ଼ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ୱରେ ଆୟୋଜିତ ଚାମ୍ପିୟନଶିପର ଉଦଘାଟନୀ ଅଧିବେଶନରେ ଜିଲ୍ଲା ଆଥଲେଟିକ ଆସୋସିଏସନର କାର୍ଯ୍ୟକାରୀ ସଭାପତି, ଓଡ଼ିଶା ରାଜ୍ୟ କ୍ରୀଡ଼ା ପରିଷଦର ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ତାପସ କୁମାର ରାୟ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବ୍ରଜରାଜନଗର ଇବ ଭ୍ୟାଲି ଡିଏଭି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବୁର୍ଲା ଡିଏଭି ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ବେଦବାକ ଓ ବସୁନ୍ଧରା ଡିଏଭି ଅଧ୍ୟକ୍ଷ ରଞ୍ଜନ କୁମାର ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦାନପୂର୍ବକ କୃତୀ ପ୍ରତିଭାଗୀଙ୍କୁ ପୁରସ୍କୃତ କରିଥିଲେ । କରାଟେ ଓ ତାଇକୋଣ୍ଡୋ ଚାମ୍ପିୟନଶିପ ଆୟୋଜନର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଅବଧାରଣା ଦେବା ସାଙ୍ଗକୁ ଅତିଥିମାନେ ପ୍ରତିଯୋଗୀମାନଙ୍କର ଉତ୍ସର୍ଗୀକୃତ ମନୋଭାବ, ଶୃଙ୍ଖଳା ଓ କ୍ରୀଡ଼ା ପ୍ରତିଭାକୁ ପ୍ରଶଂସା କରିବା ସହ ନିଷ୍ଠା, ଧୈର୍ଯ୍ୟ, ଦୃଢ଼ ମନୋବଳ ଓ କ୍ରୀଡ଼ାସୁଲଭ ମନୋଭାବ ନେଇ ଜୀବନରେ ଉତ୍କର୍ଷ ହାସଲ କରିବାକୁ ଆହ୍ୱାନ ଦେଇଥିଲେ ।

ଜାତୀୟ ସ୍ତରୀୟ ଅଭିଜ୍ଞ ରେଫରୀ ସଂଗୋଷ୍ଠୀରୁ ରାଜୀବ କୁମାର ସିଂହ, ମହେଶ ଚନ୍ଦ୍ର ବରାଳ, ସୁରେଶ ଚନ୍ଦ୍ର ଜାଲ, ମନୁ ଯୋଶୀ, ଅସୀମ ଭୋଇ, ସର୍ବେଶ ଅଗ୍ରୱାଲ, ରଞ୍ଜନ କୁମାର ପାତ୍ର, ବ୍ୟୋମକେଶ ବେହେରା କରାଟେ ଏବଂ ଏହସାସ ହୋତା, ମୁକେଶ କୁମାର ପଣ୍ଡା, ବିବେକାନନ୍ଦ ସାମଲ, କୁମାର କଶ୍ୟପ ଷଡ଼ଙ୍ଗୀ, ଶ୍ୱେତା ପୁଆରୀ, ଶେଫାଳି ବୁଡ଼ାସାଗର, ମିନାକ୍ଷୀ ନାୟକ ତାଇକୋଣ୍ଡୋ ପରିଚାଳନା କରିଥିଲେ । କରାଟେରେ ବାଳକ ଗ୍ରୁପରେ ଏ.ଏନ. ଖୋସଲା ଡିଏଭିକୁ ଚାମ୍ପିୟନ ଓ ଚନ୍ଦ୍ରଶେଖରପୁର ଡିଏଭିକୁ ରନର୍ସ ଅପ ଏବଂ ବାଳିକା ଗ୍ରୁପରେ ଟିଟିଲାଗଡ଼ ଡିଏଭିକୁ ଚାମ୍ପିୟନ ଓ ଏ.ଏନ. ଖୋସଲା ଡିଏଭିକୁ ରନର୍ସ ଅପ ଟ୍ରଫି ପ୍ରଦାନ କରାଯାଇଥିଲା। ସେହିପରି ତାଇକୋଣ୍ଡୋରେ ବାଳକ ଗ୍ରୁପରେ ଇବ ଭ୍ୟାଲି କ୍ଷେତ୍ର, ବ୍ରଜରାଜନଗର ଡିଏଭିକୁ ଚାମ୍ପିୟନ ଓ ବଲାଣୀ ଡିଏଭିକୁ ରନର୍ସ ଅପ ଏବଂ ବାଳିକା ଗ୍ରୁପରେ ଗାନ୍ଧୀନଗର ବ୍ରହ୍ମପୁର ଡିଏଭିକୁ ଚାମ୍ପିୟନ ଓ ଶ୍ରୀବିହାର ଫୁଲବାଣୀ ରୋଡ଼, ଭଞ୍ଜନଗର ଡିଏଭିକୁ ରନର୍ସ ଅପ ଘୋଷଣା କରାଯାଇ ଟ୍ରଫି ପ୍ରଦାନ କରାଯାଇଥିଲା । ଏତଦବ୍ୟତୀତ ବିଭିନ୍ନ ବର୍ଗରେ ଉତ୍କୃଷ୍ଟ ପ୍ରଦର୍ଶନ କରି ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟର ପିଇଟି ବିଜୟ ଦାଶ ଓ ପୁନମ ପରିଚାଳନାଗତ ସହଯୋଗ କରିଥିଲେ । ପରିଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ନୀଳିମା ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.