ଚୁଡ଼ାଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଦାବି

10

ବିପଦସଙ୍କୁଳ ପୁରୁଣା କୋଠା ଭାଙ୍ଗିବା ସହ ନୂତନ ଶ୍ରେଣୀଗୃହ, ଶୌଚାଳୟ , କମ୍ପ୍ୟୁଟର ଓ ବେଞ୍ଚ ଯୋଗାଣ ପାଇଁ ବିଧାୟକଙ୍କ ହସ୍ତକ୍ଷେପ ଲୋଡ଼ିଲେ ପ୍ରଧାନଶିକ୍ଷକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଚୁଡ଼ାଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବିଭିନ୍ନ ମୌଳିକ ଭିତ୍ତିଭୂମି ସମସ୍ୟାର ସମାଧାନ ଓ ବିଦ୍ୟାଳୟର ଶିକ୍ଷା ପରିବେଶର ଉନ୍ନତି ପାଇଁ ବିଧାୟକଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି। ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀଙ୍କୁ ଲିଖିତ ଭାବେ ଅନୁରୋଧ କରିଛନ୍ତି।
ପ୍ରଧାନଶିକ୍ଷକଙ୍କ ପତ୍ରରେ ବିଦ୍ୟାଳୟରେ ଥିବା ଏକ ପୁରୁଣା ଓ ବିପଦସଙ୍କୁଳ କୋଠାକୁ ସୁରକ୍ଷା ଦୃଷ୍ଟିରୁ ଆକଳନ କରି ନିୟମାନୁସାରେ ଭାଙ୍ଗିବା ପାଇଁ ଦାବି କରାଯାଇଛି। ଏହା ସହିତ ବର୍ତ୍ତମାନର ଛାତ୍ରଛାତ୍ରୀ ସଂଖ୍ୟା ଅନୁପାତରେ ଶ୍ରେଣୀଗୃହ ଅଭାବ ଥିବାରୁ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ଅନୁରୋଧ କରାଯାଇଛି। ବିଶେଷକରି ୨୦୨୪ ମସିହାରୁ ୧୦୦ ଜଣ ଛାତ୍ରଙ୍କ ପାଇଁ ହଷ୍ଟେଲ ସୁବିଧା ଯୋଡ଼ାଯିବା ପରେ ଅତିରିକ୍ତ କୋଠାର ଆବଶ୍ୟକତା ଅଧିକ ବଢ଼ିଥିବା ପତ୍ରରେ ଉଲ୍ଲେଖ ରହିଛି।
ବିଦ୍ୟାଳୟର ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ପାଇଁ ପୃଥକ ଶୌଚାଳୟ ସୁବିଧା ସହ ଛାତ୍ରମାନଙ୍କ ପାଇଁ ମଧ୍ୟ ଅତିରିକ୍ତ ଶୌଚାଳୟ ନିର୍ମାଣ ଦାବି ହୋଇଛି। ଏଥିସହ ଡିଜିଟାଲ ଶିକ୍ଷା , ଏଆଇ ଓ ଇ-ଲର୍ଣ୍ଣିଂକୁ ଗୁରୁତ୍ୱ ଦେଇ ବିଦ୍ୟାଳୟରେ ଅଧିକ କମ୍ପ୍ୟୁଟର ସିଷ୍ଟମ ଯୋଗାଇବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି।
ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଓ ସୁବିଧାଜନକ ବସିବା ପାଇଁ ଆବଶ୍ୟକ ସ୍ଥାନରେ ଡୁଆଲ୍ ବେଞ୍ଚ/ଡେସ୍କ ଯୋଗାଇବାକୁ ମଧ୍ୟ ପ୍ରଧାନଶିକ୍ଷକ ଦାବି ଜଣାଇଛନ୍ତି।
ବିଦ୍ୟାଳୟର ସୁରକ୍ଷା , ଭିତ୍ତିଭୂମି ଓ ଶିକ୍ଷା ପରିବେଶର ଉନ୍ନତି ନିମନ୍ତେ ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆବଶ୍ୟକ ସମନ୍ୱୟ କରି ଉକ୍ତ କାର୍ଯ୍ୟଗୁଡ଼ିକର ମଞ୍ଜୁରୀ ଓ କାର୍ଯ୍ୟାନ୍ୱୟନରେ ସହଯୋଗ କରିବାକୁ ବିଧାୟକଙ୍କୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.