ମତ୍ସ୍ୟ-କଚ୍ଛପ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ, ଶ୍ରଦ୍ଧାଳୁଙ୍କ ଭିଡ଼
ଓଡ଼ଗାଁ, ୨୨।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ ଯାତ୍ରାର ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ଗାଁର ପ୍ରସିଦ୍ଧ ସ୍ୱର୍ଣ୍ଣକଳଶ କ୍ଷେତ୍ରରେ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ମତ୍ସ୍ୟ-କଚ୍ଛପ ବେଶ ଅନୁଷ୍ଠିତ ହୋଇଥିଲା। ଏହି ମନୋରମ ବେଶରେ ପ୍ରଭୁ ଶ୍ରୀ ରଘୁନାଥ ଜିଉ ମତ୍ସ୍ୟ ରୂପରେ ଏବଂ ଅନୁଜ ଲକ୍ଷ୍ମଣ କଚ୍ଛପ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ। ପଞ୍ଚୁକର ଏହି ପବିତ୍ର ଅବସରରେ ନବଦୁର୍ବାଦଳ ଶ୍ୟାମଳ ବର୍ଣ୍ଣରେ ବିଭୂଷିତ ପ୍ରଭୁ ଶ୍ରୀ ରଘୁନାଥଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥିଲା। ସନ୍ଧ୍ୟାର ସମସ୍ତ ନୀତିକାନ୍ତି ସମାପନ ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ମନ୍ଦିର ଦ୍ୱାର ଖୋଲାଯାଇଥିଲା। ପାଳିଆ ପଣ୍ଡା ବେଣୁଧର ନନ୍ଦଙ୍କ ଦ୍ୱାରା ଶ୍ରୀଜିଉ, ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ଆଳତି କରାଯିବାର ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଥିଲା। ବହୁ ବୃଦ୍ଧବୃଦ୍ଧା ଓ ହବିଷ୍ୟାଳୀ ଶ୍ରୀ ରଘୁନାଥଙ୍କ ଦର୍ଶନରେ ଶ୍ରୀଜଗନ୍ନାଥଙ୍କ ଭାବ ଅନୁଭବ କରି ଭାବବିହ୍ୱଳ ହୋଇପଡ଼ିଥିଲେ। ପୂଜକ ପରିଷଦର ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର, ମନ୍ଦିର ପରିଚ୍ଛା ଓ ମନ୍ଦିର ପରିଚାଳକ ଜିତେନ୍ଦ୍ର ମିଶ୍ରଙ୍କ ତତ୍ତ୍ୱାବଧାନରେ ସମସ୍ତ ନୀତିକାନ୍ତି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଅନ୍ୟପକ୍ଷରେ, ପଞ୍ଚୁକ ପର୍ବ ହେଉ କିମ୍ବା ଶ୍ରୀଜିଉଙ୍କ ପ୍ରମୁଖ ଯାତ୍ରା ଶ୍ରୀରାମ ନବମୀ, ପ୍ରତ୍ୟେକ ସମୟରେ ମନ୍ଦିରର ଦକ୍ଷିଣ ଦ୍ୱାର ପ୍ରବେଶ ପଥ ନିକଟରେ ଅବ୍ୟବସ୍ଥିତ ଭାବେ ଚପଲ ପଡ଼ିରହୁଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଅନ୍ୟ ମନ୍ଦିରଗୁଡ଼ିକ ଭଳି ଏଠାରେ ମଧ୍ୟ ମନ୍ଦିର ପ୍ରଶାସନ କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚପଲ ରଖିବା ପାଇଁ ଏକ ସୁବ୍ୟବସ୍ଥିତ ସ୍ଥାନ ଓ ପରିଚାଳନା ବ୍ୟବସ୍ଥା କରାଯିବାକୁ ଶ୍ରଦ୍ଧାଳୁମାନେ ଆଶା ପ୍ରକାଶ କରିଛନ୍ତି।