ଯୋଜନାର ସୁଫଳ ଶେଷ ଧାଡ଼ିର ହିତାଧିକାରୀଙ୍କ ନିକଟରେ ପହଞ୍ଚୁ: ବାଚସ୍ପତି
ଓଡ଼ଗାଁ, ୬।୧୦(ଶ୍ରୀକାନ୍ତ କୁମାର ମିଶ୍ର): ସରକାରୀ ଯୋଜନାର ସୁଫଳ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ସଙ୍କଳ୍ପ ନେଇ ଓଡ଼ଗାଁ ବ୍ଲକ ସଭାଗୃହରେ ‘ସେବା ସେତୁ ସଙ୍କଳ୍ପ ଅଭିଯାନ-୨୦୨୬’ ଅନୁଷ୍ଠିତ ହୋଇଛି। ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟକ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜନପ୍ରତିନିଧି ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ରହିଲେ ସରକାରୀ ଯୋଜନାର ସୁଫଳ ସମାଜର ଶେଷ ଧାଡ଼ିରେ ଥିବା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ। ଏହାହିଁ ଅଭିଯାନର ପ୍ରକୃତ ସଫଳତା ବୋଲି ବାଚସ୍ପତି ପାଢ଼ୀ କହିଥିଲେ। ବିଡିଓ ପ୍ରୀତିବାଳା ରଣା ଓ ଗୋଡ଼ିପଡ଼ା ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ବ୍ଲକସ୍ତରୀୟ ଅଧିକାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଏଥିରେ ଯୋଗଦେଇଥିଲେ। ସଭା ପୂର୍ବରୁ ବାଚସ୍ପତି ବିଭିନ୍ନ ବିଭାଗ ପକ୍ଷରୁ ଖୋଲାଯାଇଥିବା ଷ୍ଟଲ ପରିଦର୍ଶନ କରିଥିଲେ।