ଭୁବନେଶ୍ୱର, ନଭେମ୍ବର ୨୧: କୃତ୍ରିମ ବୁଦ୍ଧିମତା (ଏଆଇ) ଜୀବନର ପ୍ରାୟ ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରୁଥିବା ବେଳେ ଆଗାମୀ ଦିନରେ ଆସିବାକୁ ଥିବା ‘ଫିଜିକାଲ୍ ଏଆଇ’ ବା ଭୌତିକ କୃତ୍ରିମ ବୁଦ୍ଧିମତା ଚିନ୍ତନଶୀଳ ଯନ୍ତ୍ରର ଯୁଗରେ ଏକ ବୈପ୍ଳବିକ ପରିବର୍ତନ ଆଣିବ ବୋଲି ଜଣେ ବିଶିଷ୍ଟ ଶିକ୍ଷାବିତ୍ ମତବ୍ୟକ୍ତ କରିଛନ୍ତି ।
‘ଏଆଇର ପ୍ରଥମ ପର୍ଯ୍ୟାୟ କେବଳ ସ୍କ୍ରିନ୍ ମଧ୍ୟରେ ସୀମିତ ଥିଲା । ଏହା ଶବ୍ଦ, ଛବି ଓ ସଂଖ୍ୟା ସହ କାମ କରୁଥିଲା । କିନ୍ତୁ ଫିଜିକାଲ୍ ଏଆଇ ସ୍କ୍ରିନ୍ରୁ ବାହାରି ବାସ୍ତବ ଦୁନିଆକୁ ପ୍ରବେଶ କରିବ । ଏହା ହେଉଛି ହାତ, ଚକ ଓ ଡେଣା ଥବା ଏଆଇ । ଏହା ଦେଖିପାରିବ, ଅନୁଭବ କରିପାରିବ, ଗତି କରିପାରିବ ଏବଂ ଭୌତିକ ବସ୍ତୁ ଉପରେ କାର୍ଯ୍ୟ କରିପାରବ,’ ବୋଲି ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ)ର ପୁର୍ବତନ ଅଧ୍ୟକ୍ଷ ପ୍ରଫେସର ଟି.ଜି. ସିତାରମ କହିଛନ୍ତି ।
ବର୍ତମାନ ଏଆଇ କୋଡ୍ ଲେଖିବା, ଆଇନଗତ ଯୁକ୍ତି ପ୍ରସ୍ତୁତ କରିବା, ଏମ୍ଆର୍ଆଇ ସ୍କାନ୍ ପଢ଼ିବା, ଔଷଧ ପାଇଁ ନୂତନ ଅଣୁର ଡିଜାଇନ୍ କରିବା, ଭାରତୀୟ ଭାଷାଗୁଡ଼ିକରେ ପ୍ରଶ୍ନର ଉତର ଦେବା ସହ ନିଜେ ଅନେକ କାର୍ଯ୍ୟ ସମ୍ପାଦନ କରିପାରୁଛି । କିନ୍ତୁ ଏଆଇର ପରବର୍ତୀ ପର୍ଯ୍ୟାୟ ‘ଫିଜିକାଲ୍ ଏଆଇ’ ଭାରତକୁ ଏହି ବିପ୍ଳବର ନେତୃତ୍ୱ ନେବା ସ୍ଥିତିକୁ ନେଇଯାଇ ପାରିବ ବୋଲି ପ୍ରଫେସର ସିତାରାମ କହିଛନ୍ତି ।
ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ସପ୍ତମ ସମାବର୍ତନ ଉତ୍ସବରେ ଅଭିଭାଷଣ ପ୍ରଦାନ କରି ସେ ଏହା କହିଥିଲେ ।
ପିଏଚ୍ଡି ଡିଗ୍ରୀଧାରୀ, ସ୍ୱର୍ଣ୍ଣପଦକ ବିଜେତା, ଛାତ୍ରଛାତ୍ରୀ, ଗବେଷକ ଓ ଅଧ୍ୟାପକମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, ଦୀର୍ଘ ଦଶନ୍ଧି ଧରି ଡିଜିଟାଲ୍ ବିପ୍ଳବ ତଥ୍ୟ ଓ ଡିଜିଟାଲ୍ ସୂଚନାର ରୂପାନ୍ତର କରିଆସିଛି । କିନ୍ତୁ ଫିଜିକାଲ୍ ଏଆଇ ରାସ୍ତାଘାଟ, କାରଖାନା, କୃଷି କ୍ଷେତ୍ର, ଡାକ୍ତରଖାନା ଓ ଗୃହଗୁଡ଼ିକୁ ପରିବର୍ତିତ କରିବ ।
‘ଏପରି ଏକ ସର୍ଜିକାଲ୍ ରୋବୋଟ ବିଷୟରେ ଚିନ୍ତା କରନ୍ତୁ, ଯାହା ଅସ୍ତ୍ରୋପଚାର ସମୟରେ ଡାକ୍ତରଙ୍କ ହାତକୁ ସ୍ଥିର ରଖିବାରେ ସହାୟତା କରିବ । ଏକ ଡ୍ରୋନ୍ ଚାଷୀଙ୍କୁ ତାଙ୍କ ଜମିର କେଉଁ ଅଂଶରେ ପାଣି ଆବଶ୍ୟକ ତାହା ଜଣାଇବ । ଏକ ରୋବୋଟ୍ ସେତୁ, ବନ୍ଧ କିମ୍ବା ସୁଡ଼ଙ୍ଗରେ ଫାଟ ସୃଷ୍ଟି ହୋଇ ବଡ଼ ବିପର୍ଯ୍ୟୟ ଘଟିବା ପୂର୍ବରୁ ତାହା ଯାଂଚ କରିପାରିବ ବା ଏକ ସ୍ମାର୍ଟର୍ ଗ୍ରିଡ ଯାହା ଗୋଟିଏ ରାଜ୍ୟରେ ସୌରଶକ୍ତିର ସନ୍ତୁଳିତ ବଂଟନ କରିପାରିବ’ ।
ସୋଆର କୁଳାଧିପତି ପ୍ରଫେସର ଅମିତ ବାନାର୍ଜୀ ଏହି ସମାବର୍ତନ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଉତ୍ସବରେ ୨୨୪ ଜଣ ଗବେଷକଙ୍କୁ ପିଏଚ୍ଡି ଡିଗ୍ରୀ ଏବଂ ଅନ୍ୟ ୨୬୬ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ ।
ଏହି ଅବସରରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କାନାଡା ସ୍ଥିତ ୟୁନିଭର୍ସିଟି ଅଫ୍ ୱାଟରଲୁର ବୈଜ୍ଞାନିକ ପ୍ରଫେସର ବାସୁଦେବନ ଲକ୍ଷ୍ମୀନାରାୟଣନନ୍ଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟର ଅଫ୍ ସାଇନ୍ସ ଉପାଧି ପ୍ରଦାନ କରାଯାଇଥିଲା ।
‘ଶତାବ୍ଦୀ ଧରି ଶିକ୍ଷାର ଅର୍ଥ ଥିଲା ମନରେ ଜ୍ଞାନ ସଂଚୟ କରି ରଖିବା । କିନ୍ତୁ ଆଜି ଯେ କୌଣସି ତଥ୍ୟ କେବଳ କିଛି ସେକେଣ୍ଡ ମଧ୍ୟରେ ମିଳିଯାଉଛି ଏବଂ ଏଆଇ କିଛି ମିନିଟ୍ରେ ଏକ ବିଶାଳ ପୁସ୍ତକାଳୟର ସାରାଂଶ ପ୍ରସ୍ତୁତ କରିପାରୁଛି । ତେଣୁ ଶିକ୍ଷାର ମୂଲ୍ୟ ଏବେ ଆପଣ କ’ଣ ଜାଣିଛନ୍ତି ତାହାଠାରୁ ଘୁଂଚି ଆପଣ ଜାଣିଥିବା ନିଜ ଜ୍ଞାନକୁ କିପରି ବ୍ୟବହାର କରୁଛନ୍ତି, ସେଥିରେ ପରିବର୍ତିତ ହେଉଛି,’ ବୋଲି ପ୍ରଫେସର ସିତାରମ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ କହିଥିଲେ ।
ସେ ଆହୁରି କହିଥିଲେ ଯେ, ସଠିକ୍ ପ୍ରଶ୍ନ ପଚାରିବା, ମିଳୁଥିବା ଉତରର ମୂଲ୍ୟାଙ୍କନ କରିବା, ବିଭିନ୍ନ କ୍ଷେତ୍ରର ଚିନ୍ତାଧାରାକୁ ଯୋଡ଼ିବା ଏବଂ ଦାୟିତ୍ୱର ସହ କାର୍ଯ୍ୟ କରିବା ହେଉଛି ବର୍ତମାନ ସମୟର ମୁଖ୍ୟ ଆବଶ୍ୟକତା ।
ଜାତୀୟ ଶିକ୍ଷାନୀତି-୨୦୨୦ର ପ୍ରଣେତାମାନେ ଏହି ପରିସ୍ଥିତିକୁ ବହୁ ପୂର୍ବରୁ ଅନୁମାନ କରିଥିଲେ ବୋଲି ପ୍ରକାଶ କରି ସେ କହିଥିଲେ ଯେ ଏହି ନୀତିରେ ବହୁବିଷୟକ ଶିକ୍ଷା, ନମନୀୟ ଶିକ୍ଷା ପଦ୍ଧତି, ଡିଗ୍ରୀ ସହିତ ଦକ୍ଷତା ବିକାଶ ଏବଂ ନିଜ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି ।
ଇଞ୍ଜିନିୟରିଂ ଓ ମେଡିସିନ୍, ଆଇନ୍ ଓ ପ୍ରଯୁକ୍ତିବିଦ୍ୟା ଓ କୃଷି ଓ ଡାଟା ସାଇନ୍ସ ମଧ୍ୟରେ ଥିବା ପାରମ୍ପରିକ ସୀମାରେଖା ଧୀରେ ଧୀରେ ଲୋପ ପାଉଛି ବୋଲି ସେ କହିଥିଲେ । ‘ଆପଣମାନଙ୍କ ଜୀବନ କାଳର ସବୁଠାରୁ ବଡ଼ ଆବିଷ୍କାର ସେହିମାନଙ୍କ ଦ୍ୱାରା ହେବ, ଯେଉଁମାନେ କି ଏକ ସମୟରେ ଦୁଇଟି ଭିନ୍ନ କ୍ଷେତ୍ରରେ ଠିଆ ହୋଇ ଚିନ୍ତା କରିପାରିବେ’ ବୋଲି ସେ କହିଥିଲେ ।

ଏହି ବିକାଶ ତାଙ୍କୁ କାହିଁକି ଉତ୍ସାହିତ କରୁଛି, ତାହା ବ୍ୟାଖ୍ୟା କରି ପ୍ରଫେସର ସିତାରାମ କହିଥିଲେ ଯେ ଦୀର୍ଘ ଦଶନ୍ଧି ଧରି ଡିଜିଟାଲ ବିପ୍ଳବ କେବଳ ଡିଜିଟାଲ୍ ତଥ୍ୟର ରୂପାନ୍ତର କରିଆସିଛି । କିନ୍ତୁ ଫିଜିକାଲ୍ ଏଆଇର ଆଗମନ ସହିତ ଭାରତ ଏହି ବିପ୍ଳବର ନେତୃତ୍ୱ ନେବାର ସୁଯୋଗ ପାଇଛି । ଭାରତର ବିଶାଳ ଉତ୍ପାଦନ କ୍ଷମତା, ଲକ୍ଷ ଲକ୍ଷ ଚାଷୀ, ବ୍ୟାପକ ଭିତିଭୂମିର ଆବଶ୍ୟକତା ଏବଂ ଯୁବ ପ୍ରତିଭା ଏହି କ୍ଷେତ୍ରରେ ଦେଶକୁ ଆଗୁଆ କରିପାରିବେ । ଭାରତ କେବଳ ଏହି ବିପ୍ଳବର ଉପଭୋକ୍ତା ନ ହୋଇ ଏହାର ନେତୃତ୍ୱ ନେଇପାରିବ ବୋଲି ସେ ଆଶା ପ୍ରକାଶ କିରଥିଲେ ।
ଡକ୍ଟରେଟ ଡିଗ୍ରୀ ହାସଲ କରିଥିବା ଗବେଷକମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ, “ଆପଣଙ୍କ ଡିଗ୍ରୀ ଶିକ୍ଷାର ଶେଷ ସୋପାନ ନୁହେଁ । ଏହା ନିରନ୍ତର ଶିକ୍ଷା ପାଇଁ ଏକ ଅନୁମତିପତ୍ର । ଏହି କ୍ୟାମ୍ପସରୁ ଆପଣ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ଦକ୍ଷତା ନେଇ ଯାଉଛିନ୍ତି, ତାହା ହେଉଛି ଜୀବନ ସାରା ଶିଖିବା, ପୁରୁଣା ଜ୍ଞାନକୁ ଭୁଲିବା ଏବଂ ନୂତନ ଜ୍ଞାନ ଆହରଣ କରିବାର କ୍ଷମତା’ ।
ସେ ଆହୁରି କହିଥିଲେ, ‘ଏଆଇକୁ ଏକ ଉପକରଣ ଭାବେ ବ୍ୟବହାର କରନ୍ତୁ, କେବେହେଲେ ନିଜ ବିବେକର ବିକଳ୍ପ ଭାବେ ନୁହେଁ । ଏକ ଯନ୍ତ୍ର ଆପଣଙ୍କୁ ହଜାର ହଜାର ଉତର ଦେଇପାରେ, କିନ୍ତୁ ସେଥି ମଧ୍ୟରୁ କେଉଁଟି ସଠିକ୍, ନ୍ୟାୟସଙ୍ଗତ ଓ ମାନବିକ, ସେ ବିଷୟରେ ଆପଣଙ୍କୁ ନିଜେ ନିଷ୍ପତି ନେବାକୁ ପଡ଼ିବ । ନିଜ ଭିତରେ ମାନବିକତାକୁ ଜୀବନ୍ତ ରଖନ୍ତୁ । ସହାନୁଭୂତି, ନୈତିକତା, ସାହସ, ସୃଜନଶୀଳତା ଓ ଅନ୍ୟମାନଙ୍କ ପ୍ରତି ଯତ୍ନଶୀଳ ହେବାର ଗୁଣଗୁଡ଼ିକ ଦୁର୍ବଳତା ନୁହେଁ, ବରଂ ଏହି ଗୁଣ ଆପଣଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ କରିବ ।” ନମ୍ର ରହିବା ସହ କାର୍ଯ୍ୟରେ ଉତ୍କର୍ଷତା ହାସଲ କରିବାକୁ ସେ ପରାମର୍ଶ ଦେଇଥିଲେ ।
ଗବେଷଣା କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ ।
ଫିଜିକାଲ୍ ଏଆଇ ପାଇଁ ମାଟି ଓ ଇସ୍ପାତ ସମ୍ପର୍କରେ ଜ୍ଞାନ ରଖୁଥିବା ଇଞ୍ଜିନିୟର, ରୋଗୀଙ୍କୁ ବୁଝିପାରୁଥିବା ଡାକ୍ତର, ମାଟି ଓ ପରିବେଶକୁ ବୁଝିଥିବା ଚାଷୀ ଏବଂ ସମାଜକୁ ବୁଝୁଥିବା ଆଇନଜୀବୀଙ୍କ ଆବଶ୍ୟକତା ରହିବ ବୋଲି ମତ ପ୍ରକାଶ କରି ‘ବାସ୍ତବ ଦୁନିଆ ସହ ନିଜର ସମ୍ପର୍କ ଅତୁଟ ରଖନ୍ତୁ’ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ସମାନ ମତ ପୋଷଣ କରି ସୋଆର କୁଳାଧିପତି ପ୍ରଫେସର ବାନାର୍ଜୀ କହିଥିଲେ ଯେ ଏଆଇ ଯୁଗରେ ବିଫଳ ହେବାର ଦୁଇଟି ଉପାୟ ରହିଛି । ପ୍ରଥମଟି ହେଉଛି ଏଆଇକୁ ଅଣଦେଖା କରିବା । ଦ୍ୱିତୀୟଟି ହେଉଛି ଏହାର ସହଜତାରେ ଆକର୍ଷିତ ହୋଇ ଏହା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଯିବା ଯାହା ଅଧିକ ବିପଜ୍ଜନକ ।

‘ଏଆଇକୁ ଯଦି ଆପଣଙ୍କ ପାଇଁ ପଢ଼ିବାକୁ, ଲେଖିବାକୁ ଏବଂ ଧୀରେ ଧୀରେ ଚିନ୍ତା କରିବାକୁ ମଧ୍ୟ ଅନୁମତି ଦେବେ, ତେବେ ଦିନେ ଆପଣଙ୍କ ନିଜ ମସ୍ତିଷ୍କ ଚିନ୍ତା କରିବା ବନ୍ଦ କରିଦେବ ବୋଲି ସେ କହିଥିଲେ ।
ଏହାକୁ ଅତିକ୍ରମ କରିବାର ଉପାୟ ହେଉଛି ଏଆଇକୁ ଭଲ ଭାବରେ ଶିଖିବା, ସାହସର ସହ ଏହାର ବ୍ୟବହାର କରିବା ଏବଂ ପରେ ଏହାଠାରୁ ଉପରକୁ ଉଠିବା ବୋଲି ପ୍ରଫେସର ବାନାର୍ଜୀ କହିଥିଲେ ।
କୁଳାଧିପତି ପ୍ରଫେସର ବାନାର୍ଜୀ ଛାତ୍ରଛାତ୍ରୀଙ୍କୁ ଉନ୍ନତ ପ୍ରଶ୍ନ ପଚାରିବା, ମୌଳିକ ଚିନ୍ତାଧାରା ପାଇଁ ସାହସ ଦେଖାଇବା, ସତ୍ୟର ସୁରକ୍ଷା କରିବା ଏବଂ ଏଆଇକୁ ଏକ ଉପକରଣ ଭାବେ ବ୍ୟବହାର କରିବାକୁ କହି ଏହା ଉପରେ ନିର୍ଭରଶୀଳ ନ ହେବାକୁ ସତର୍କ କରାଇଥିଲେ ।
ସେ କହିଥିଲେ ଯେ ଜଳବାୟୁ ପରିବର୍ତନ, ଜନ ସ୍ୱାସ୍ଥ୍ୟ, ଦାରିଦ୍ର୍ୟ ଓ ଅସମାନତା କେବଳ ବୈଷୟିକ ସମସ୍ୟା ନୁହେଁ, ଏଗୁଡ଼ିକ ମାନବୀୟ ସମସ୍ୟା ମଧ୍ୟ । କୌଣସି ଆଲଗୋରିଥିମ ମଣିଷର ମର୍ଯ୍ୟାଦା, ଯନ୍ତ୍ରଣା ଓ ଆଶା ପ୍ରତି ଅ୍ରାମର ସମ୍ବେଦନଶୀଳତାର ବିକଳ୍ପ ହୋଇପାରିବ ନାହିଁ । ବିବେକ ବିନା ଦକ୍ଷତା ବିପଜ୍ଜନକ ଏବଂ କରୁଣା ବିନା ବୁଦ୍ଧିମତା ଅସମ୍ପୂର୍ଣ୍ଣ ।
ସୋଆର କୁଳପତି ପ୍ରଫେସର ନନ୍ଦ ତାଙ୍କ ବିବରଣୀରେ କହିଥିଲେ ଯେ ସାମାଜିକ ଅନ୍ତର୍ଭୁକ୍ତିକୁ ଗୁରୁତ୍ୱ ଦେଉଥିବା ଦେଶର ଅଗ୍ରଣୀ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ସ୍ଥାନ ପାଇବା ସୋଆର ଲକ୍ଷ୍ୟ । ଗୁଣାତ୍ମକ ଶିକ୍ଷାଦାନ ଓ ଅଭିନବ ଗବେଷଣା ମାଧ୍ୟମରେ ଭବିଷ୍ୟତ ପିଢ଼ିକୁ ପ୍ରସ୍ତୁତ କରିବା ଦିଗରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରୁଛି ।
୨୦୨୫ ମସିହାର ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁସନାଲ୍ ର୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆର୍ଏଫ୍) ର୍ୟାଙ୍କିଙ୍ଗରେ ଏହି ବିଶ୍ୱବିଦ୍ୟାଳୟ ଦେଶରେ ୧୫ତମ ସ୍ଥାନ ହାସଲ କରିଥିବା ସେ କହିଥିଲେ । ଏନ୍ଆଇଆରଏଫ ର୍ୟାଙ୍କିଙ୍ଗ ଆରମ୍ଭ ହେବା ପରଠାରୁ ସୋଆ ସର୍ବଦା ଦେଶର ଶ୍ରେଷ୍ଠ ୨୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକା ମଧ୍ୟରେ ରହିଆସିଛି ବୋଲି ସେ ସୂଚନା ଦେଇଥିଲେ ।
ଗୁଣାତ୍ମକ ଗବେଷଣା ଉପରେ ବିଶ୍ୱବିଦ୍ୟାଳୟ ଗୁରୁତ୍ୱ ଦେଉଥିବା ବେଳେ ଏଥିପାଇଁ ୧୮ଟି ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇଛି । ଏହି କେନ୍ଦ୍ରଗୁଡ଼ିକ ଜାତୀୟ ପ୍ରାଥମିକତା ସହ ସମ୍ପୃକ୍ତ ୨୭ଟି ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଛି । ସେଥିମଧ୍ୟରୁ ନାନୋ ବିଜ୍ଞାନ ଓ ନାନୋ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି ବ୍ୟବସ୍ଥା, ସାଇବର ସୁରକ୍ଷା, କୃତ୍ରିମ ବୁଦ୍ଧିମତା, ଡାଟା ସାଇନ୍ସ, କ୍ୱାଂଟମ୍ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଡିପ୍ ଲର୍ଣ୍ଣିଂ, ଔଷଧୀୟ ଉଦ୍ଭିଦର ଜୈବ ସମ୍ପଦ ଅନୁସନ୍ଧାନ, ମଲିକ୍ୟୁଲାର କ୍ଲୋନିଂ, ନୂତନ ଜିନ୍ର ଚରିତ୍ର ନିରୂପଣ ଏବଂ ସ୍ମାର୍ଟ କୃଷି ଆଦି ଅନ୍ତର୍ଭୁକ୍ତ ବୋଲି ସେ କହିଥିଲେ ।
ଏହି ସମାବର୍ତନ ଉତ୍ସବରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଅନ୍ୟ ଉପକୁଳପତି, ବିଭିନ୍ନ ଅନୁଷ୍ଠାନର ଡିନ୍, ନିର୍ଦ୍ଦେଶକ, ଅଧ୍ୟାପକ ଓ ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।