ଗାନ୍ଧୀ ଜୟନ୍ତୀରେ ଗଜପତି ଜିଲ୍ଲାର ୧୪୯ ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା

15

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆଜି ଗଜପତି ଜିଲ୍ଲାର ୧୪୯ଟି ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ ହୋଇଯାଇଛି। ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣ , ଜନସଚେତନତା ବୃଦ୍ଧି ଓ ଗ୍ରାମର ସାମଗ୍ରିକ ବିକାଶ ଏହି ଗ୍ରାମସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଗ୍ରାମସଭାରେ ଗ୍ରାମ ପଞ୍ଚାୟତ ଓ ବ୍ଲକ୍‌ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା , କାର୍ଯ୍ୟକ୍ରମ ଓ ଉପଲବ୍ଧ ସୁବିଧା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ।
ଗ୍ରାମର ବାସ୍ତବ ଆବଶ୍ୟକତା ଓ ଲୋକଙ୍କ ପ୍ରାଥମିକତାକୁ ବିକାଶ ଯୋଜନାରେ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ଗ୍ରାମ ଦାରିଦ୍ର୍ୟ ହ୍ରାସ ଯୋଜନା କିମ୍ବା ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ସହ ସମନ୍ୱିତ କରି ଗ୍ରାମର ସାମଗ୍ରିକ ବିକାଶ ପାଇଁ ଯୋଜନା ପ୍ରସ୍ତୁତି ନେଇ ଆଲୋଚନା କରାଯାଇଥିଲା।
ଏଥିସହିତ ସ୍ୱୟଂ ସହାୟକ ଗୋଷ୍ଠୀ ଓ ସି ଏଲ୍ ଏଫ୍ ସ୍ତରରୁ ଆସିଥିବା ବିଭିନ୍ନ ଦାବି ଓ ଆବଶ୍ୟକତାକୁ ଯୋଜନାରେ ସାମିଲ କରିବା ଉପରେ ଆଲୋଚନା ହୋଇଥିଲା। ପ୍ରାପ୍ୟ ଯୋଜନା , ଜୀବିକା ଯୋଜନା ଏବଂ ସାମାଜିକ ବିକାଶ ଯୋଜନା ମାଧ୍ୟମରେ ଗ୍ରାମୀଣ ପରିବାରଙ୍କ ଅଧିକାର , ଜୀବିକା ଓ ସାମାଜିକ ବିକାଶ ସମ୍ପର୍କିତ ଆବଶ୍ୟକତା ପୂରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଗ୍ରାମସଭାରେ ସ୍ୱଚ୍ଛ ଭାରତ ମିଶନ , ମ୍ୟାଲେରିଆମୁକ୍ତ ଗ୍ରାମ ଏବଂ ବାଲ୍ୟବିବାହମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ସମ୍ପର୍କରେ ମଧ୍ୟ ଜନସଚେତନତା ସୃଷ୍ଟି କରାଯାଇଥିଲା। ଏ ସମ୍ପର୍କିତ ପ୍ରସ୍ତାବ ଉପରେ ଗ୍ରାମସଭା ସଦସ୍ୟମାନଙ୍କ ମତାମତ ଗ୍ରହଣ ସହ ଭୋଟ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ଗ୍ରାମସଭାରେ ମହିଳାମାନଙ୍କ ଅଂଶଗ୍ରହଣ ବିଶେଷ ଭାବେ ଉଲ୍ଲେଖନୀୟ ଥିଲା। ବହୁ ସଂଖ୍ୟକ ମହିଳା ଗ୍ରାମର ମୌଳିକ ସୁବିଧା , ଜୀବିକା , ରୋଜଗାର , ସାମାଜିକ ସୁରକ୍ଷା ଓ ଅନ୍ୟାନ୍ୟ ବିକାଶମୂଳକ ଆବଶ୍ୟକତା ସମ୍ପର୍କରେ ନିଜ ଦାବି ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ।
ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସେମାନଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ଯୋଜନା ପ୍ରସ୍ତୁତି ମାଧ୍ୟମରେ ଗଜପତି ଜିଲ୍ଲାର ଗ୍ରାମଗୁଡ଼ିକର ସମାବେଶୀ ଓ ସାମଗ୍ରିକ ବିକାଶ ପାଇଁ ଏହି ସ୍ୱତନ୍ତ୍ର ଗ୍ରାମସଭା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ପରିଣତ ହୋଇଥିଲା।

Leave A Reply

Your email address will not be published.