ଗାନ୍ଧୀ ଜୟନ୍ତୀରେ ବିନୋଦିନୀ ବିଦ୍ୟାଳୟରେ ସ୍ୱଚ୍ଛତା ଅଭିଯାନ ଓ ପୁରସ୍କାର ବିତରଣ

14

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୁମ୍ମା ବ୍ଲକ୍‌ସ୍ଥିତ ପଦ୍ମପୁର ନିକଟସ୍ଥ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଜାତୀୟ ସେବା ଯୋଜନା ଓ ଯୁବ ରେଡ୍‌କ୍ରସ୍‌ ର ମିଳିତ ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି ଅବସରରେ ବିଦ୍ୟାଳୟ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀ, ଏନ ଏସ ଏସ ସ୍ୱେଚ୍ଛାସେବୀ , ୱାଇ ଆର ସି ସଦସ୍ୟ ଓ ବିଦ୍ୟାଳୟର କର୍ମକର୍ତ୍ତା ଏବଂ କର୍ମଚାରୀମାନେ ସ୍ୱଚ୍ଛତା ଅଭିଯାନରେ ଯୋଗଦେଇ ବିଦ୍ୟାଳୟ ପରିସରକୁ ପରିଷ୍କାର-ପରିଚ୍ଛନ୍ନ କରିଥିଲେ।
ସ୍ୱଚ୍ଛତା କାର୍ଯ୍ୟକ୍ରମ ପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୂର୍ବରୁ ଆୟୋଜିତ ବକ୍ତୃତା , ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ସତ୍ୟ , ଅହିଂସା , ସ୍ୱଚ୍ଛତା , ଶୃଙ୍ଖଳା ଓ ମାନବିକତାର ଆଦର୍ଶ ସମ୍ପର୍କରେ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀମାନେ ଗାନ୍ଧୀବାଦୀ ଚିନ୍ତାଧାରାକୁ ନିଜ ଜୀବନରେ ଅନୁସରଣ କରି ସମାଜରେ ସ୍ୱଚ୍ଛତା , ଶାନ୍ତି ଓ ସେବାର ବାର୍ତ୍ତା ପ୍ରସାର କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।
ଏନ୍ ଏସ୍ ଏସ୍ ଅଧିକାରୀ ଶ୍ରୀ ରବୀନ୍ଦ୍ର ପାଣିଗ୍ରାହୀ ଓ ୱାଇ ଆର ସି ସଂଯୋଜିକା ଶ୍ରୀମତୀ କଳ୍ପନା ପଣ୍ଡାଙ୍କ ମିଳିତ ପରିଚାଳନାରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଓ କର୍ମଚାରୀ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।

Leave A Reply

Your email address will not be published.