ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାହାଡ଼ସ୍ଥିତ କଇଁପୁର ଗ୍ରାମରେ ଚାଲିଥିବା ୨୩ତମ ଜାତୀୟ ଏମ୍ ଟି ବି ସାଇକ୍ଲିଂ ଚାମ୍ପିଅନଶିପ୍ର ଦ୍ୱିତୀୟ ଦିନ ଉତ୍ସାହ ଓ ରୋମାଞ୍ଚ ମଧ୍ୟରେ ସଫଳତାର ସହ ସମ୍ପନ୍ନ ହୋଇଛି।
ଦ୍ୱିତୀୟ ଦିନର ମୁଖ୍ୟ ଆକର୍ଷଣ ଥିଲା XCE (Cross-Country Eliminator) ପ୍ରତିଯୋଗିତା। ଏହା ପ୍ରାୟ ୮୦୦ ମିଟରର ଏକ ସ୍ୱଳ୍ପ ଦୂରତା ଓ ଦ୍ରୁତଗତିର ପ୍ରତିଯୋଗିତା , ଯେଉଁଥିରେ ରାଇଡରମାନେ ନିଜର ଗତି, କୌଶଳ ଓ ତତ୍ପରତାର ପ୍ରଦର୍ଶନ କରିଥିଲେ।
ଆଜି ବିଭିନ୍ନ ବୟସ ଓ ଲିଙ୍ଗ ବର୍ଗକୁ ନେଇ ମୋଟ ୬ଟି XCE ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଇଡରମାନେ ମୋଟ ୧୮ଟି ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କଠିନ ମହେନ୍ଦ୍ରଗିରି ଟ୍ରାକ୍ରେ ଅଳ୍ପ ସମୟ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇଡରମାନଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା।

ଦିନର ପ୍ରତିଯୋଗିତା ଶେଷରେ ଆୟୋଜିତ ପଦକ ବିତରଣ ସମାରୋହରେ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ଯୁଗ୍ମ ସମ୍ପାଦକ ଶ୍ରୀ ନୀରଜ ତନୱାର , ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ର ଉପସଭାପତି ଶ୍ରୀ ନୃସିଂହ ଚରଣ ସାହୁ , ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ର ବରିଷ୍ଠ ସଦସ୍ୟ ଶ୍ରୀ ଆର୍.କେ. ଦାସ , ଭାରତୀୟ ବାୟୁସେନାର ଆଡଭେଞ୍ଚର ସେଲ୍ର ଗ୍ରୁପ୍ କ୍ୟାପ୍ଟେନ୍ ଶ୍ରୀ ନମିତ ରାୱତ ଏବଂ କଇଁପୁର SSD ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଜଗନ୍ନାଥ ରାଓ , ଓଡ଼ିଶା ଶିକ୍ଷା ସେବା ଯୋଗଦେଇ ବିଜେତା ରାଇଡରମାନଙ୍କୁ ପଦକ ପ୍ରଦାନ କରିଥିଲେ।
ଦ୍ୱିତୀୟ ଦିନର ପ୍ରତିଯୋଗିତା ସଫଳ ଭାବେ ସମ୍ପନ୍ନ ହେବା ସହ ମହେନ୍ଦ୍ରଗିରି ଏବେ ଚାମ୍ପିଅନଶିପ୍ର ତୃତୀୟ ଦିନକୁ ଅପେକ୍ଷା କରୁଛି। ଆସନ୍ତାକାଲି ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରେଷ୍ଠ ସାଇକ୍ଲିଷ୍ଟମାନେ ମହେନ୍ଦ୍ରଗିରିର ଚ୍ୟାଲେଞ୍ଜିଂ ଟ୍ରାକ୍ରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ।