ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ବୟୋଜ୍ୟେଷ୍ଠ ଦିବସ ପାଳିତ

45

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ଉପଖଣ୍ଡ ପକ୍ଷରୁ ଆଜି ଅକ୍ଟୋବର ୧ ତାରିଖ ଗୁରୁବାର ସ୍ଥାନୀୟ ଟାଉନ୍ ହଲ୍, ଭଞ୍ଜନଗର ପୌରପାଳିକା ପରିସରରେ ଆନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ଶ୍ରଦ୍ଧା, ସମ୍ମାନ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରାଙ୍କ ସମେତ ଉପସ୍ଥିତ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ବୟୋଜ୍ୟେଷ୍ଠ ନାଗରିକମାନଙ୍କ ପ୍ରତି ସମ୍ମାନ ଓ ଶୁଭେଚ୍ଛା ଜଣାଇ କାର୍ଯ୍ୟକ୍ରମ ଆଗକୁ ବଢ଼ିଥିଲା। ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବୟୋଜ୍ୟେଷ୍ଠ ନାଗରିକମାନଙ୍କ ସମ୍ମାନ, ସୁରକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ଅଧିକାର ଓ ସରକାରୀ ସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ବେହେରା କହିଥିଲେ ଯେ, ବୟୋଜ୍ୟେଷ୍ଠ ମାନେ ପରିବାର ଓ ସମାଜର ଅମୂଲ୍ୟ ସମ୍ପଦ ତଥା ମାର୍ଗଦର୍ଶକ। ସେମାନଙ୍କ ଜୀବନର ଅନୁଭବ, ଜ୍ଞାନ ଓ ଜୀବନାଦର୍ଶ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ। ତେଣୁ ବୟୋଜ୍ୟେଷ୍ଠ ମାନଙ୍କ ପ୍ରତି ସମ୍ମାନ, ଯତ୍ନ ଓ ସହଯୋଗ ପ୍ରଦାନ କରିବା ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ ବୋଲି ସେ ପ୍ରକାଶ କରିଥିଲେ। ସେ ଆହୁରି କହିଥିଲେ ଯେ, ପୂର୍ବରୁ ଯୁକ୍ତ ପରିବାର ବ୍ୟବସ୍ଥା ପ୍ରଚଳିତ ଥିବାବେଳେ ବର୍ତ୍ତମାନ ତାହା ଧୀରେ ଧୀରେ ଏକକ ପରିବାରରେ ପରିଣତ ହେଉଛି। ଏହାର ପ୍ରଭାବରେ କେତେକ କ୍ଷେତ୍ରରେ ସେମାନେ ଅବହେଳାର ଶିକାର ହେଉଥିବା ଦେଖାଯାଉଛି। ସମ୍ପ୍ରତି ବୟୋଜ୍ୟେଷ୍ଠ ମାନଙ୍କ ଭରଣପୋଷଣ ସମ୍ପର୍କିତ ମାମଲା ବୃଦ୍ଧି ପାଇବା ଏକ ଚିନ୍ତାଜନକ ବିଷୟ। ଏଭଳି ପରିସ୍ଥିତି ନ ବଢ଼ିବା ପାଇଁ ପରିବାର ଓ ସମାଜର ପ୍ରତ୍ୟେକ ସଦସ୍ୟ ସେମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ଓ ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। ବୟୋଜ୍ୟେଷ୍ଠ ମାନଙ୍କ ସମ୍ମାନ ଓ କଲ୍ୟାଣକୁ ପ୍ରାଥମିକତା ଦେଇ ସରକାରଙ୍କ ପକ୍ଷରୁ ଉପଲବ୍ଧ ସମସ୍ତ ସୁବିଧା, ଯୋଜନା ଓ ସାମାଜିକ ସୁରକ୍ଷାର ସୁଯୋଗ ଯୋଗ୍ୟ ବୟୋଜ୍ୟେଷ୍ଠ ମାନଙ୍କୁ ତତ୍କାଳ ଓ ସୁବିଧାଜନକ ଭାବେ ଯୋଗାଇ ଦିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ବେହେରା କହିଥିଲେ। ଏହି ଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ରଚନା ଓ ବିତର୍କ ପ୍ରତିଯୋଗିତା ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତା ଗୁଡ଼ିକରେ ସଫଳତା ହାସଲ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଭଞ୍ଜନଗର ଉପଖଣ୍ଡର ୧୬ ଜଣ ବୟୋଜ୍ୟେଷ୍ଠ ନାଗରିକଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ଦୀର୍ଘ ଜୀବନର ଅନୁଭବ, ସାମାଜିକ ଅବଦାନ ଓ ଜୀବନାଦର୍ଶ କୁ ସମ୍ମାନ ଜଣାଇବା ସହ ସେମାନଙ୍କ ଅନୁଭବ ଆଗାମୀ ପିଢ଼ି ପାଇଁ ମାର୍ଗଦର୍ଶକ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ଟୁଲିଆମା, ସହକାରୀ ଉପଜିଲ୍ଲାପାଳ ଶ୍ରୀ ରାମ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ରଞ୍ଜନ ଦେ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବନ ସଂରକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ସମ୍ପୃକ୍ତ ଅଧିକାରୀ, ବରେଣ୍ୟ ବୟୋଜ୍ୟେଷ୍ଠ ନାଗରିକ, ଅତିଥିଗଣ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ କାର୍ଯ୍ୟକ୍ରମରେ ବୟୋଜ୍ୟେଷ୍ଠ ନାଗରିକମାନଙ୍କ କଲ୍ୟାଣ, ସେମାନଙ୍କ ଅଧିକାରର ସୁରକ୍ଷା ଏବଂ ସରକାରଙ୍କ ବିଭିନ୍ନ ସୁବିଧା ଓ ସାମାଜିକ ସୁରକ୍ଷା ଯୋଜନାର ସୁଯୋଗ ସମସ୍ତ ଯୋଗ୍ୟ ବୟୋଜ୍ୟେଷ୍ଠଙ୍କ ନିକଟରେ ପହଞ୍ଚାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମର ସଂଯୋଜନା ଶ୍ରୀ ଅରକ୍ଷିତ ପରିଚ୍ଛା କରିଥିବା ବେଳେ ଶେଷରେ ଶ୍ରୀ ସନ୍ତୋଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.