ଶକ୍ତିଶ୍ରୀ ସଶକ୍ତିକରଣ କୋଷ ପକ୍ଷରୁ କ୍ୟାରିୟର କାଉନସେଲିଂ ଓ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା ଅନୁଷ୍ଠିତ

10

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତିକରଣ କୋଷ ପକ୍ଷରୁ ଛାତ୍ରୀମାନଙ୍କ ମଧ୍ୟରେ କ୍ୟାରିୟର ସଚେତନତା , ଆତ୍ମବିଶ୍ୱାସ ଓ ବ୍ୟକ୍ତିତ୍ୱ ବିକାଶ ଲକ୍ଷ୍ୟରେ ‘କ୍ୟାରିୟର କାଉନସେଲିଂ ଓ ପର୍ସନାଲିଟି ଡେଭଲପମେଣ୍ଟ’ ବିଷୟକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟର ପ୍ରିନସିପାଲ୍ ଇନ୍‌ଚାର୍ଜ ଡ଼.ରମାକାନ୍ତ ସାମଲ ରସାୟନିକ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗର ସହକାରୀ ପ୍ରଫେସର ଡ଼.ରାଜେନ୍ଦ୍ର ଗୌଡ଼ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସେ କ୍ୟାରିୟର ଚୟନ , ଭବିଷ୍ୟତ ଲକ୍ଷ୍ୟ ନିର୍ଦ୍ଧାରଣ , ସମୟ ପରିଚାଳନା , ଯୋଗାଯୋଗ ଦକ୍ଷତା ଓ ଆତ୍ମବିଶ୍ୱାସର ଗୁରୁତ୍ୱ ସମ୍ପର୍କରେ ଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ।
ଏହି ଅବସରରେ ପ୍ରିନସିପାଲ୍ ଇନ୍‌ଚାର୍ଜ ଶ୍ରୀ ସାମଲ କହିଥିଲେ ଯେ, ଶିକ୍ଷା ସହିତ ଛାତ୍ରୀମାନଙ୍କର ବ୍ୟକ୍ତିତ୍ୱ , ଆତ୍ମବିଶ୍ୱାସ ଓ ନେତୃତ୍ୱ ଦକ୍ଷତାର ବିକାଶ ମଧ୍ୟ ଅତ୍ୟନ୍ତ ଆବଶ୍ୟକ। ନିଜ ପ୍ରତିଭା ଓ ଦକ୍ଷତାକୁ ଚିହ୍ନଟ କରି ସଠିକ୍ ଦିଗରେ ଆଗକୁ ବଢ଼ିବାକୁ ସେ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସଠିକ୍ କ୍ୟାରିୟର ଚୟନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିବାରୁ ଏଥିପାଇଁ ଆଗୁଆ ପ୍ରସ୍ତୁତି ଓ ଲକ୍ଷ୍ୟଭିତ୍ତିକ ଯୋଜନା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।
ମୁଖ୍ୟବକ୍ତା ଶ୍ରୀ ଗୌଡ଼ କହିଥିଲେ ଯେ, ଆଜିର ପ୍ରତିଯୋଗିତାମୂଳକ ଯୁଗରେ କେବଳ ଶିକ୍ଷାଗତ ଯୋଗ୍ୟତା ଯଥେଷ୍ଟ ନୁହେଁ; ନିଜର କୌଶଳ , ବ୍ୟକ୍ତିତ୍ୱ ଓ ଯୋଗାଯୋଗ କ୍ଷମତାକୁ ମଧ୍ୟ ନିରନ୍ତର ବିକଶିତ କରିବା ଆବଶ୍ୟକ। ବିଫଳତାକୁ ଭୟ ନକରି ତାହାରୁ ଶିକ୍ଷା ନେଇ ଆଗକୁ ବଢ଼ିବା , ସମୟର ସଦୁପଯୋଗ କରିବା ଏବଂ ନିଜ ଲକ୍ଷ୍ୟ ପ୍ରତି ଦୃଢ଼ ରହିବାକୁ ସେ ଆହ୍ୱାନ କରିଥିଲେ। ଆତ୍ମବିଶ୍ୱାସ , ଶୃଙ୍ଖଳା ଓ ନିରନ୍ତର ପରିଶ୍ରମ ସଫଳ କ୍ୟାରିୟରର ମୂଳ ଆଧାର ବୋଲି ସେ ଉଲ୍ଲେଖ କରିଥିଲେ।
ଶକ୍ତିଶ୍ରୀ ସଂଯୋଜିକା ତଥା ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ଼. ଚାରୁପ୍ରଭା ନାୟକ ନିଜ ବକ୍ତବ୍ୟରେ କହିଥିଲେ ଯେ ପ୍ରତ୍ୟେକ ଛାତ୍ରୀ ନିଜର ରୁଚି , ଦକ୍ଷତା ଓ ଯୋଗ୍ୟତାକୁ ଚିହ୍ନଟ କରି ସଠିକ୍ କ୍ୟାରିୟର ବାଛିବା ଆବଶ୍ୟକ। କେବଳ ଶିକ୍ଷାଗତ ଡିଗ୍ରୀ ହାସଲ କରିବା ଯଥେଷ୍ଟ ନୁହେଁ; ଯୋଗାଯୋଗ ଦକ୍ଷତା , ନେତୃତ୍ୱ ଗୁଣ , ଆତ୍ମବିଶ୍ୱାସ ଓ ବ୍ୟକ୍ତିତ୍ୱ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେବା ଦରକାର। ପ୍ରତିଯୋଗିତାମୂଳକ ପରୀକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇଁ ଆଗୁଆ ପ୍ରସ୍ତୁତି, ସମୟର ସଠିକ୍ ପରିଚାଳନା ଓ ନିୟମିତ ଅଭ୍ୟାସ ଅତ୍ୟନ୍ତ ଜରୁରୀ। ବିଫଳତାକୁ ଭୟ ନକରି ସେଥିରୁ ଶିକ୍ଷା ଗ୍ରହଣ କରି ଲକ୍ଷ୍ୟ ପ୍ରତି ଦୃଢ଼ ରହିବାକୁ ସେ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ନିଜ ସ୍ୱପ୍ନକୁ ସ୍ପଷ୍ଟ ଲକ୍ଷ୍ୟରେ ପରିଣତ କରି ପରିଶ୍ରମ , ଶୃଙ୍ଖଳା ଓ ଆତ୍ମବିଶ୍ୱାସ ସହ ଆଗକୁ ବଢ଼ିଲେ ଛାତ୍ରୀମାନେ ନିଜ କ୍ୟାରିୟରରେ ସଫଳତା ହାସଲ କରିପାରିବେ।

Leave A Reply

Your email address will not be published.