ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହେନ୍ଦ୍ରଗିରି ପୌରପାଳିକା ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ–୨୦୨୬’ ଏବଂ ବରିଷ୍ଠ ନାଗରିକ ଦିବସ ପାଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ‘ବିକଶିତ ଭାରତ’ ଓ ‘୨୫ ବର୍ଷର ସେବା’ର ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତାକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ସହ ସେମାନଙ୍କ ସୃଜନଶୀଳତା , ଚିନ୍ତନଶକ୍ତି ଓ ଅଭିବ୍ୟକ୍ତି କୌଶଳର ବିକାଶ କରିବା ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ ଥିଲା।
ଉଦ୍ଘାଟନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ୱାଇ. କ୍ରିଷ୍ଣାରାଓ , ଅବସରପ୍ରାପ୍ତ ଗୋଷାଣୀ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବାଳକୃଷ୍ଣ ମାଝୀ , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ସାତ୍ମିକ ପଟ୍ଟନାୟକ , ସିଆରସିସି ସଂଗୀତା କୁମାରୀ ପାତ୍ର ଏବଂ ଆଲୁମିନି ସଦସ୍ୟ ଶ୍ରୀ ଭାଗବତ ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ଚୟନିତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
‘ବିକଶିତ ଭାରତ’ ଏବଂ ‘୨୫ ବର୍ଷର ସେବା’ ବିଷୟବସ୍ତୁକୁ ଆଧାର କରି ତିନିଟି ବର୍ଗରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଶିକ୍ଷାର୍ଥୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।
ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ବର୍ଗରେ ପିଏମ୍ ଶ୍ରୀ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡିର ଛାତ୍ରୀ ମାନିନୀ ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଆଶ୍ରମ ସ୍କୁଲ, ଅବାରସିଂର ଅଙ୍କିତା ଦଳାଇ ଦ୍ୱିତୀୟ ଏବଂ ମହେନ୍ଦ୍ରତନୟା ଆଶ୍ରମ ସ୍କୁଲ , କଇଁପୁରର ତେଜଶ୍ୱରୀ ଶବର ତୃତୀୟ ସ୍ଥାନ ହାସଲ କରିଥିଲେ।
ଷଷ୍ଠରୁ ଅଷ୍ଟମ ଶ୍ରେଣୀ ବର୍ଗରେ ପିଏମ୍ ଶ୍ରୀ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡିର ତେଜଶ୍ୱରୀ ଆପଟ ପ୍ରଥମ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଅଣ୍ଡରସିଂ, ଗୁମ୍ମା ବ୍ଲକ୍ର ଅଷ୍ଟମ ଶ୍ରେଣୀ ଛାତ୍ରୀ ରୁଚି ପରିଚ୍ଛା ଦ୍ୱିତୀୟ ଏବଂ ମହେନ୍ଦ୍ରତନୟା ଆଶ୍ରମ ବିଦ୍ୟାଳୟ, କଇଁପୁରର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶ୍ରୁତିରାଣୀ ପାଇକ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ବରିଷ୍ଠ ବର୍ଗରେ ପିଏମ୍ ଶ୍ରୀ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡିର ଦଶମ ଶ୍ରେଣୀ ଛାତ୍ର ଶ୍ରୀମାନ ସାଇ ରାମ ଦାସ ପ୍ରଥମ ସ୍ଥାନ ହାସଲ କରିଥିଲେ। ସରକାରୀ ଉଚ୍ଚ ବିଦ୍ୟାଳୟ, ଝାମି, ଗୁମ୍ମା ବ୍ଲକ୍ର ଦଶମ ଶ୍ରେଣୀ ଛାତ୍ର ଇରଫାନ୍ ଲିମା ଦ୍ୱିତୀୟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ତାବରସିଂ, ଆର୍. ଉଦୟଗିରିର ନବମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ।
ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାର ପ୍ରାଥମିକ ବର୍ଗରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରସିକରାଜପୁର, ଗୁମ୍ମା ବ୍ଲକ୍ର ପଞ୍ଚମ ଶ୍ରେଣୀ ଛାତ୍ର ନିତିନ୍ ଶବର ପ୍ରଥମ ସ୍ଥାନ ହାସଲ କରିଥିଲେ। ପଞ୍ଚମ ଶ୍ରେଣୀର ମନୋମୋହନ ଭୂୟାଁ ଦ୍ୱିତୀୟ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆର୍. ଉଦୟଗିରିର ପଞ୍ଚମ ଶ୍ରେଣୀ ଛାତ୍ରୀ ପ୍ରତୀକ୍ଷା ପ୍ରିୟଦର୍ଶିନୀ ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଷଷ୍ଠରୁ ଅଷ୍ଟମ ଶ୍ରେଣୀ ବର୍ଗରେ ଏସ୍.ଏସ୍.ଡି. ଦୋଘରିଆ, ନୂଆଗଡ଼ ବ୍ଲକ୍ର ସପ୍ତମ ଶ୍ରେଣୀ ଛାତ୍ରୀ ଟିକିନା ମଣ୍ଡଳ ପ୍ରଥମ, କେ.ଏମ୍.ଆର୍.ଏସ୍., ମହେନ୍ଦ୍ରଗଡ଼, ଆର୍. ଉଦୟଗିରିର ଅଷ୍ଟମ ଶ୍ରେଣୀ ଛାତ୍ରୀ ମଧୁସ୍ମିତା ନାୟକ ଦ୍ୱିତୀୟ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଦ୍ମପୁରର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶିଳ୍ପା ଭୂୟାଁ ତୃତୀୟ ସ୍ଥାନ ହାସଲ କରିଥିଲେ।
ବରିଷ୍ଠ ବର୍ଗରେ ମହେନ୍ଦ୍ରତନୟା ଆଶ୍ରମ ସ୍କୁଲ, କଇଁପୁରର ଦଶମ ଶ୍ରେଣୀ ଛାତ୍ର ଅଶୋକ ଶବର ପ୍ରଥମ, ସରକାରୀ ଉଚ୍ଚ ବିଦ୍ୟାଳୟ, ବୋମିକା, ଗୋଷାଣୀ ବ୍ଲକ୍ର ଦଶମ ଶ୍ରେଣୀ ଛାତ୍ରୀ ଅଞ୍ଜଳି ଭୂୟାଁ ଦ୍ୱିତୀୟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଆର୍. ଉଦୟଗିରିର ନବମ ଶ୍ରେଣୀ ଛାତ୍ରୀ ଅଙ୍କିତା ମଣ୍ଡଳ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଶିକ୍ଷକ ଶ୍ରୀ ରମାକାନ୍ତ ପଟ୍ଟନାୟକ, ଶ୍ରୀ ସୌମ୍ୟ ନାୟକ, ଶ୍ରୀ ରମାକାନ୍ତ ବରାଡ଼ ଓ ଶ୍ରୀ କିଶୋର ଦାସ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ।
ଉଦ୍ଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ସାମିନେନୀ ଗିରିଧର ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଦେଶର ଭବିଷ୍ୟତ ନିର୍ମାଣରେ ସେବା , ଦାୟିତ୍ୱବୋଧ ଓ ସୃଜନଶୀଳତାକୁ ଜୀବନର ଅବିଚ୍ଛିନ୍ନ ଅଂଶ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ‘ସେବା ସଂକଳ୍ପ ଅଭିଯାନ–୨୦୨୬’ ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।
ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁସ୍ମିତା ସାହୁ ସଂଯୋଜନା କରିଥିବା ବେଳେ ଉଦ୍ଯାପନୀ ଉତ୍ସବକୁ ଶିକ୍ଷକ ଶ୍ରୀ ରମାକାନ୍ତ ପଟ୍ଟନାୟକ ସଂଯୋଜନା କରିଥିଲେ।
ଏହି ଅବସରରେ ବରିଷ୍ଠ ନାଗରିକ ଦିବସ ମଧ୍ୟ ପାଳିତ ହୋଇଥିଲା। ଏଥିପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ପ୍ରତିଯୋଗୀମାନଙ୍କୁ ସୁସ୍ଥ , ସୁନ୍ଦର ଓ ଦାୟିତ୍ୱଶୀଳ ସମାଜ ଗଠନରେ ଅବଦାନ ରଖିବାକୁ ପ୍ରେରିତ କରାଯାଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ଅକ୍ଟୋବର ୧ ତାରିଖରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ପୁରସ୍କୃତ କରାଯିବ।
ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅତିଥିମାନଙ୍କ ସକ୍ରିୟ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା। ‘ସେବା ହିଁ ସଂକଳ୍ପ, ସଂକଳ୍ପ ହିଁ ବିକଶିତ ଭାରତର ଆଧାର’—ଏହି ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ସହ କାର୍ଯ୍ୟକ୍ରମର ଉଦ୍ଯାପନ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.