ମାଲକାନଗିରିରେ “ଆଙ୍ଗନ କି ଉତ୍ସବ” ପାଳିତ: ପୁଷ୍ଟି ଓ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ନେଇ ଗୁରୁତ୍ୱ

9

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:ଜିଲ୍ଲାର ପ୍ରତ୍ୟେକ ଅଙ୍ଗନବାଡ଼ି ସ୍ତରରେ କିଶୋରୀ, ପ୍ରସୂତି, ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ସଚେତନତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଆଡ଼ମ୍ବର ସହକାରେ ଆଙ୍ଗନ କି ଉତ୍ସବ ପାଳିତ ହୋଇଯାଇଛି।

ଏହି ଅବସରରେ ୧୧୯ କୋଲୋନି ଅଙ୍ଗନବାଡ଼ି କେନ୍ଦ୍ରଠାରେ ଏକ ଆକର୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ସୂଚିତା ପଣ୍ଡା, ପ୍ରକଳ୍ପ ଅଧିକାରିଣୀ ସଭ୍ୟାରାଣୀ ମାଝୀ, ମମତା ଜିଲ୍ଲା ପ୍ରକଳ୍ପ ସଂଯୋଜିକା ସ୍ମିତାରାଣୀ ବେହେରା, ଜାତିସଂଘ ଶିଶୁ ପଣ୍ଠି ଜିଲ୍ଲା ସଂଯୋଜିକା ମୀନାକ୍ଷୀ ପ୍ରଧାନ, ମାଲକାନଗିରି ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ରେଖା ଶୋଭା ସୁନ୍ଦର, ଅବସରପ୍ରାପ୍ତ ଆରକ୍ଷୀ କର୍ମଚାରୀ ଭାଗିରଥି ଦଳେଇ, ଅଙ୍ଗନବାଡ଼ି ପରିଚାଳନା କମିଟିର ସଦସ୍ୟ, ଅଧ୍ୟକ୍ଷା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତା ସହ ପରିଚାଳନା କରିଥିଲେ।

ସଭାରେ ଉପସ୍ଥିତ ଅତିଥିମାନେ ପୋଷଣ ଏବଂ ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ ଆଲୋକପାତ କରି ଦୈନନ୍ଦିନ ଜୀବନରେ ସୁଷମ ଖାଦ୍ୟର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପିତାମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ପ୍ରତିଯୋଗିତାର ଶ୍ରେଷ୍ଠ ୩ ଜଣ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା।

ଏହାସହ ନିଷ୍ଠାପର ସେବା ଓ ଉତ୍ତମ କାର୍ଯ୍ୟଦକ୍ଷତା ପାଇଁ ଅଙ୍ଗନବାଡ଼ି କର୍ମୀ ରେଖା ବେସରା, ଅଙ୍ଗନବାଡ଼ି ସହାୟିକା ଶାନ୍ତି କୁମାରୀ ଏବଂ ଆଶା କର୍ମୀ ପ୍ରତିମା ନାୟକଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଫଳ ଝୁଡ଼ି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ତ୍ରିରଙ୍ଗା ଖାଦ୍ୟର ପ୍ରଦର୍ଶନ। ଏହି ଖାଦ୍ୟକୁ ଦୈନନ୍ଦିନ ଆହାରରେ ସାମିଲ କରି ନିଜେ ଓ ନିଜ ପରିବାରକୁ ସୁସ୍ଥ ରଖିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା। ଶେଷରେ ଉପସ୍ଥିତ ସମସ୍ତ ଅତିଥି, ଗର୍ଭବତୀ, ପ୍ରସୂତି, କିଶୋରୀ ଓ ଶିଶୁମାନେ ତ୍ରିରଙ୍ଗା ଖାଦ୍ୟ ଗ୍ରହଣ କରିବା ପରେ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା।

Leave A Reply

Your email address will not be published.