- ସମ୍ୱଲପୁରବାସୀ ତଥା ପଶ୍ଚିମ ଓଡ଼ିଶାବାସୀଙ୍କୁ କାହିଁକି ଭ୍ରମିତ କରୁଛି ବିଜେପି?
- ବିଜେପିର ମିଥ୍ୟା ପ୍ରତିଶ୍ରୁତିର ଜବାବ ଠିକ୍ ସମୟରେ ଦେବେ ଜନତା
ଭୁବନେଶ୍ୱର, ୨୭/୦୯/୨୦୨୬: ସମ୍ୱଲପୁରରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନାଁରେ ବିଜେପି ସରକାର ଓ ବିଜେପି ନେତାମାନେ ଦୀର୍ଘ ଦିନ ଧରି ସମ୍ୱଲପୁର ଓ ପଶ୍ଚିମ ଓଡ଼ିଶାବାସୀଙ୍କୁ ଭ୍ରମିତ କରିଆସୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମ୍ୱଲପୁର ଜିଲ୍ଲା ସଭାପତି ଇଂ ରୋହିତ ପୂଜାରୀ ।
ଇଂ ପୂଜାରୀ କହିଛନ୍ତି ଯେ, ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ନିଜ ଇସ୍ତାହାରରେ ସମ୍ୱଲପୁରରେ ଓଡ଼ିଶାର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା କରିବାର ପ୍ରତିଶ୍ରୁତି ଦେଇଥିଲା । ସରକାର ଗଠନ ପରେ ଜୁନ୍ ୨୦୨୪ରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ କେନ୍ଦ୍ର ନିକଟରେ ସମ୍ୱଲପୁରରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଦାବି ରଖିଥିଲେ । ପରେ ୮ ସେପ୍ଟେମ୍ୱର ୨୦୨୪ରେ ନୂଆଖାଇ ଅବସରରେ ସମ୍ୱଲପୁର ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ ଯେ ଓଡ଼ିଶାର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ହେବ । ସେପ୍ଟେମ୍ୱର ୨୦୨୪ରେ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ସମ୍ୱଲପୁରରେ ଏମ୍ସ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଥିବା କହିଥିଲେ । ଏପରିକି ଏମ୍ସ ପାଇଁ ଜମି ଖୋଜାଯାଉଥିବା ନେଇ ମଧ୍ୟ ଖବର ପ୍ରକାଶ ପାଇଥିଲା । କିନ୍ତୁ ଏବେ ଆରଟିଆଇ ମାଧ୍ୟମରେ ସାମ୍ନାକୁ ଆସିଥିବା ତଥ୍ୟ ସମସ୍ତ ଘୋଷଣାକୁ ନେଇ ଆଶଙ୍କା ପ୍ରକାଶ ପାଇଛି ।
ଇଂ ପୂଜାରୀ ଆହୁରି ମଧ୍ୟ କହିଛନ୍ତି, “ଯଦି ୨୦୨୪ ଅକ୍ଟୋବରରେ କେନ୍ଦ୍ର ପକ୍ଷରୁ ଏମ୍ସ ପ୍ରତିଷ୍ଠା ନେଇ ସକାରାତ୍ମକ ଅନୁମୋଦନ ମିଳିନଥିଲା, ତେବେ ତା’ପରେ ବିଜେପିର ନେତାମାନେ ସମ୍ୱଲପୁରବାସୀଙ୍କୁ କାହିଁକି ବାରମ୍ୱାର ଏମ୍ସ ହେବ ବୋଲି କହି ଆସୁଛନ୍ତି? ୨୦୨୪ରେ ଭୋଟ ପାଇଁ ଏମ୍ସର ପ୍ରତିଶ୍ରୁତି, ନୂଆଖାଇରେ ଘୋଷଣା, ପରେ ଜମି ଖୋଜା, ୨୦୨୬ରେ ପୁଣି ନୂଆ କଥା । ଏହା କ’ଣ ପଶ୍ଚିମଓଡ଼ିଶା ବାସୀଙ୍କ ସହିତ ରାଜନୈତିକ ଛଳନା ନୁହେଁ? ବିଜେପିର ଜାତୀୟ ପ୍ରବକ୍ତା ଅଜୟ ଆଲୋକ ୧୧ ଫେବୃଆରୀ ୨୦୨୬ରେ ସମ୍ୱଲପୁର ଆସି ଏମ୍ସ ପାଇଁ ରାଜ୍ୟ ସରକାର ଜମି ଯୋଗାଇବାକୁ ଯାଉଥିବା ଏବଂ ପ୍ରକଳ୍ପ ଆଗକୁ ବଢ଼ୁଥିବା କଥା କହିଥିଲେ । ବିଜେପି ନେତାମାନେ ସମ୍ୱଲପୁରକୁ ଆସି ମିଛ ପ୍ରତିଶ୍ରୁତିର ପୁରୁଣା କ୍ୟାସେଟ୍ ବଜାଇବା ବନ୍ଦ କରନ୍ତୁ । ଯଦି ଏମ୍ସ ହେବ, ତେବେ କେନ୍ଦ୍ର ସରକାରଙ୍କ ଅନୁମୋଦନ କେଉଁଠି? ମଞ୍ଜୁରୀ କେଉଁଠି? ବଜେଟ୍ କେଉଁଠି? ଡିପିଆର କେଉଁଠି? ଜମି ଚିହ୍ନଟ ହେଲେ ତା’ର ପରବର୍ତ୍ତୀ ପଦକ୍ଷେପ କ’ଣ ସ୍ପଷ୍ଟ କରନ୍ତୁ ।
ବିଜେପି ମିଛ କହିବା ଓ ଲୋକଙ୍କୁ ଭ୍ରମିତ କରିବାର ରାଜନୀତିରେ ପାରଙ୍ଗମ, କିନ୍ତୁ ସମ୍ୱଲପୁରବାସୀ ଏ ମିଛକୁ ଏତେ ସହଜରେ ଭୁଲିଯିବେ ନାହିଁ । ଏମ୍ସ କୌଣସି ନିର୍ବାଚନୀ ଲଲିପପ୍ ନୁହେଁ । ଏହା ପଶ୍ଚିମ ଓଡ଼ିଶାର କୋଟି କୋଟି ଲୋକଙ୍କ ସ୍ୱାସ୍ଥ୍ୟ ଅଧିକାରର ପ୍ରଶ୍ନ । ସରକାରକୁ ଆସିବା ପୂର୍ବରୁ ଗୋଟିଏ ରୂପ ଏବଂ ଆସିବା ପରେ ଅନ୍ୟ ଏକ ରୂପ ଦେଖାଇବା ବନ୍ଦ କରୁ ବିଜେପି । ଖାଲି ଏମ୍ସ ନୁହେଁ, ସେମାନେ ନିଜର ନିର୍ବାଚନୀ ପ୍ରତିଶୃତିରେ ହାଇକୋର୍ଟ ବେଞ୍ଚ, ଡବ୍ଲୁଓଡିସି ମୁଖ୍ୟାଳୟ ସ୍ଥାନାନ୍ତରଣ, ସମ୍ୱଲପୁରୀ ଭାଷାକୁ ସରକାରୀ ମାନ୍ୟତା ଭଳି ଅନେକ ସମ୍ୱଲପୁର ତଥା ପଶ୍ଚିମ ଓଡ଼ିଶା ବାସୀଙ୍କ ଭାବାବେଗ ସହିତ ଜଡ଼ିତ ରହିଥିବା ଦାବି ଗୁଡ଼ିକର ପ୍ରତିଶୃତି ଦେଇଥିଲେ, ବିଜେପି ସରକାର ତଥା ନେତୃବୃନ୍ଦ ଭୁଲିଯିବା ଉଚିତ ନୁହେଁ, ଜନସାଧାରଣ ସବୁ ମନେ ରଖିଛନ୍ତି ଏବଂ ଏହି ମିଥ୍ୟା ପ୍ରତିଶୃତି ଦେଇଥିବା ବିଜେପି ଦଳକୁ ଠିକ୍ ସମୟରେ ଜବାବ ଦେବେ । ସମ୍ୱଲପୁର ତଥା ପଶ୍ଚିମଓଡ଼ିଶାବାସୀଙ୍କୁ ଆଉ ଭାଷଣ ଦିଅନ୍ତୁ ନାହିଁ । ଏମ୍ସ ହେବ ବୋଲି କହିବା ପରିବର୍ତ୍ତେ କେନ୍ଦ୍ରର ଲିଖିତ ଅନୁମୋଦନ ଦେଖାନ୍ତୁ । ନହେଲେ ସ୍ୱୀକାର କରନ୍ତୁ ଯେ ୨୦୨୪ରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଆଜି ପର୍ଯ୍ୟନ୍ତ ପୂରଣ କରିପାରିନାହାନ୍ତି । ସମ୍ୱଲପୁର ଓ ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ଭାବାବେଗ ସହ ଖେଳିବା ବନ୍ଦ କରନ୍ତୁ । ଏମ୍ସ ଦରକାର, ନାଟକ ନୁହେଁ, ଘୋଷଣା ନୁହେଁ, ମିଛ ପ୍ରତିଶ୍ରୁତି ନୁହେଁ । ଦରକାର ହେଉଛି ସ୍ପଷ୍ଟ ଅନୁମୋଦନ, ପର୍ଯ୍ୟାପ୍ତ ପାଣ୍ଠି ଏବଂ କାର୍ଯ୍ୟାନ୍ୱୟନ । ଯେ ପର୍ଯ୍ୟନ୍ତ ସମ୍ୱଲପୁରରେ ଟ୍ରିପଲ୍ ଇଞ୍ଜିନ ସରକାର ଏମ୍ସ ନ କରିବେ ସେ ପର୍ଯ୍ୟନ୍ତ ଏହି ଲଢେଇ ଜନସାଧାରଣଙ୍କ ସହ ମିଶି ଜାରି ରହିବ ଏବଂ ଆଗକୁ ଆହୁରି ତୀବ୍ରତର ହେବ ବୋଲି ଇଂ ପୂଜାରୀ ଚେତାବନୀ ଦେଇଛନ୍ତି ।