ବରଗଡ଼ ଜିଲ୍ଲା ବିଜେପିର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

7


ସଙ୍ଗଠନ ସୁଦୃଢ଼ କରିବା ସହ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ୱ

ବରଗଡ଼, ୨୭।୯ : ବରଗଡ଼ ଜିଲ୍ଲା ବିଜେପିର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି ସଭାପତି ଡା. ଅରୂପାନନ୍ଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମୁଖ୍ୟଅତିଥି ଏବଂ ରାଜ୍ୟ ସାଧାରଣ ସମ୍ପାଦକ (ସଙ୍ଗଠନ) ମାନସ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦଳୀୟ ସଙ୍ଗଠନ, ଆଗାମୀ ନିର୍ବାଚନୀ ପ୍ରସ୍ତୁତି ଓ ଜନସମ୍ପର୍କ କାର୍ଯ୍ୟକ୍ରମ ସମ୍ପର୍କରେ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ।ବୈଠକରେ ରାଜ୍ୟ ସଭାପତି ଦଳର ତୃଣମୂଳ ସଙ୍ଗଠନକୁ ଆହୁରି ମଜଭୁତ କରିବା ସହ ପ୍ରତ୍ୟେକ ବୁଥ୍‌କୁ ସକ୍ରିୟ କରିବା ଏବଂ ଲୋକଙ୍କ ସହ ନିରନ୍ତର ଯୋଗାଯୋଗ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଏବେଠାରୁ ସମସ୍ତ କାର୍ଯ୍ୟକର୍ତ୍ତା ଏକଜୁଟ ହୋଇ ସଙ୍ଗଠନକୁ ତୃଣମୂଳସ୍ତରରେ ଅଧିକ ସୁଦୃଢ଼ କରିବାକୁ ସେ ଆହ୍ୱାନ ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ବରଗଡ଼ ଜିଲ୍ଲାବାସୀଙ୍କ ଆଶୀର୍ବାଦ ଦଳ ପ୍ରତି ରହିଛି। ଜିଲ୍ଲାର ୪ ଜଣ ବିଧାୟକଙ୍କ ସହ ସାଂସଦ ମଧ୍ୟ ବିଜେପିରୁ ବିଜୟୀ ହୋଇଥିବାରୁ ଏହା ସଙ୍ଗଠନର ଦୃଢ଼ ଭିତ୍ତିକୁ ପ୍ରତିଫଳିତ କରୁଛି ବୋଲି ସେ କହିଥିଲେ। ଲୋକମାନେ ଖୋଲା ମନରେ ବିଜେପିକୁ ସହଯୋଗ କରୁଥିବା ଏବଂ ବରଗଡ଼ ଜିଲ୍ଲା ଏକ ଅଗ୍ରଣୀ ଜିଲ୍ଲା ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ସେ ପ୍ରକାଶ କରିଥିଲେ।
ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଓଡ଼ିଶା ସରକାର ବିଭିନ୍ନ କ୍ଷେତ୍ରରେ ପଦକ୍ଷେପ ନେଉଥିବା ସେ କହିଥିଲେ। ବରଗଡ଼ ଜିଲ୍ଲା କୃଷି କ୍ଷେତ୍ରରେ ରାଜ୍ୟର ଏକ ପ୍ରମୁଖ ଜିଲ୍ଲା ହୋଇଥିବାରୁ ଚାଷୀଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଉଛି। କୃଷିଭିତ୍ତିକ ଶିଳ୍ପର ବିକାଶ ଓ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ।ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସାମଲ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ସମ୍ପର୍କରେ ମଧ୍ୟ ନିଜର ମତ ରଖିଥିଲେ। ଦଳର କାର୍ଯ୍ୟକର୍ତ୍ତାମାନେ ଉତ୍ସାହିତ ଥିବା ଏବଂ ସଙ୍ଗଠନକୁ ଆହୁରି ସୁଦୃଢ଼ କରି ସମସ୍ତେ ମିଳିତ ଭାବେ ନିର୍ବାଚନୀ ପ୍ରସ୍ତୁତି କରିବେ ବୋଲି ସେ କହିଥିଲେ।
ବୈଠକରେ ସଙ୍ଗଠନର ବିଭିନ୍ନ ସ୍ତରର କାର୍ଯ୍ୟକ୍ରମ, ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଭୂମିକା, ଜନସମ୍ପର୍କ ବୃଦ୍ଧି ଓ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ ଆଲୋଚନା ହୋଇଥିଲା। ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସଙ୍ଗଠନକୁ ସକ୍ରିୟ କରିବା ସହ ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଲୋକଙ୍କ ସମସ୍ୟା ଓ ଆବଶ୍ୟକତା ସହ ଜଡ଼ିତ ରହିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ ଅବସରରେ ଆୟୋଜିତ ‘ସେବା ସଂକଳ୍ପ ଅଭିଯାନ’ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲାର ବିଭିନ୍ନ ମଣ୍ଡଳ ଓ ବୁଥ୍‌ସ୍ତରରେ ଏହି ଅଭିଯାନକୁ ଅଧିକ ସକ୍ରିୟ କରିବା ସହ ଜନସେବାମୂଳକ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡ଼ତିଆ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗୋବର୍ଦ୍ଧନ ହୁଏ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିସହ ବିଜେପି ନେତା ଡି. ମୁରଲୀ କ୍ରିଷ୍ଣା, ସୁରେଶ୍ୱର ଶତପଥୀ, ପୂର୍ବତନ ସାଂସଦ ପ୍ରଭାସ ସିଂହଙ୍କ ସମେତ ଜିଲ୍ଲାର ବିଭିନ୍ନ ମଣ୍ଡଳର ସଭାପତି, ପଦାଧିକାରୀ, ଜନପ୍ରତିନିଧି ଓ ବହୁ ଆଗଧାଡ଼ିର ନେତା ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ବୈଠକ ମାଧ୍ୟମରେ ଆଗାମୀ ଦିନରେ ସଙ୍ଗଠନକୁ ଅଧିକ ଗତିଶୀଳ କରିବା ସହ ତୃଣମୂଳସ୍ତରରେ ଦଳୀୟ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନେଇ ଦଳ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା।

Leave A Reply

Your email address will not be published.