8

କଳିଙ୍ଗା ଘାଟି ପରିଦର୍ଶନ କଲେ ମନ୍ତ୍ରୀ ଶ୍ରୀ ଜେନା: ଦୁର୍ଗାପ୍ରସାଦ–ଭାଲିଆପଟା ବିକଳ୍ପ ରାସ୍ତା ପାଇଁ DPR ପ୍ରସ୍ତୁତି ନିର୍ଦ୍ଦେଶ

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ​କଳିଙ୍ଗା ଘାଟିରେ ଲଗାଣ ବର୍ଷା ଓ ଭୂସ୍ଖଳନ ଜନିତ ସ୍ଥିତିର ସମୀକ୍ଷା କଲେ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣିଜ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା। ଭବିଷ୍ୟତରେ ଯାତାୟାତ ସୁଗମ ଓ ସୁରକ୍ଷିତ କରିବା ପାଇଁ ଦୁର୍ଗାପ୍ରସାଦ–ଭାଲିଆପଟା ବିକଳ୍ପ ରାସ୍ତାର ‘ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ’ (DPR) ଅତିଶୀଘ୍ର ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ।
କଳିଙ୍ଗା ଘାଟିରେ ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିର ସ୍ଥିତି ସମୀକ୍ଷା କରିବା ସହ ରାସ୍ତାର ସୁରକ୍ଷା ଓ ଯାତାୟାତ ବ୍ୟବସ୍ଥା ଅନୁଧ୍ୟାନ କରିବା ନିମନ୍ତେ ଆଜି ଅର୍ଥାତ୍ ଶନିବାର ୨୬ ତାରିଖ ସେପ୍ଟେମ୍ବର ୨୦୨୬ ଦିବସ ରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣିଜ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା କଳିଙ୍ଗା ଘାଟି ପରିଦର୍ଶନ କରିଛନ୍ତି।
ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଶ୍ରୀ ଭି. କୀର୍ତ୍ତି ଭାସନ, ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ଟୁଲିଆମା, ଘୁମୁସର ଉତ୍ତର ବନଖଣ୍ଡର ଡିଏଫ୍ଓ ଶ୍ରୀ ହିମାଂଶୁ ଶେଖର ମହାନ୍ତି, ବିଡିଓ ଶ୍ରୀମତୀ ଭାରତୀ ଦେବୀ, ଉପଖଣ୍ଡ ପୋଲିସ ଅଧିକାରୀ ଡ. ଦୀପକ କୁମାର ମିଶ୍ର, ଅତିରିକ୍ତ ତହସିଲଦାର ଅବିନାଶ ମାହାର, ଭାରତୀୟ ଜନତା ପାର୍ଟିର ସହରାଞ୍ଚଳ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକଙ୍କ ସମେତ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏବଂ ସମ୍ପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
​ପରିଦର୍ଶନ ସମୟରେ ମନ୍ତ୍ରୀ ଘାଟି ରାସ୍ତାର ବିଭିନ୍ନ ପ୍ରଭାବିତ ସ୍ଥାନ ବୁଲି ଦେଖିବା ସହ ଭୂସ୍ଖଳନ ଯୋଗୁଁ ହୋଇଥିବା କ୍ଷୟକ୍ଷତି, ରାସ୍ତାର ବର୍ତ୍ତମାନର ସ୍ଥିତି ଏବଂ ଯାତାୟାତର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅଧିକାରୀମାନଙ୍କ ଠାରୁ ସବିଶେଷ ବିବରଣୀ ନେଇଥିଲେ। ଏଥିସହ ଘାଟି ଅଞ୍ଚଳରେ ଯାନବାହାନ ଚଳାଚଳକୁ ସମ୍ପୂର୍ଣ୍ଣ ନିରାପଦ ଓ ସୁଗମ କରିବା ନିମନ୍ତେ ଆବଶ୍ୟକ ଜରୁରୀ ପଦକ୍ଷେପ ସମ୍ପର୍କରେ ଉପସ୍ଥିତ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।
​ଏହି ଅବସରରେ, ବର୍ତ୍ତମାନର କଳିଙ୍ଗା ଘାଟି ରାସ୍ତାର ଏକ ସ୍ଥାୟୀ ଓ ବିକଳ୍ପ ଯୋଗାଯୋଗ ପଥ ଭାବେ ‘ଦୁର୍ଗାପ୍ରସାଦ–ଭାଲିଆପଟା’ ରାସ୍ତା ନିର୍ମାଣ ଉପରେ ମନ୍ତ୍ରୀ ବିଶେଷ ଗୁରୁତ୍ୱାରୋପ କରିଥିଲେ। ଉକ୍ତ ବିକଳ୍ପ ରାସ୍ତାର ନିର୍ମାଣ ପାଇଁ ଅତିଶୀଘ୍ର ଏକ ‘ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ’ (DPR) ପ୍ରସ୍ତୁତ କରିବାକୁ ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
​କଳିଙ୍ଗା ଘାଟିରେ ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବା ସହ ଭବିଷ୍ୟତରେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେପରି ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଏହି ବିକଳ୍ପ ରାସ୍ତା ନିର୍ମାଣ ଏକ ଯୁଗାନ୍ତକାରୀ ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଏହି ମାର୍ଗରେ ଯାତାୟାତ କରୁଥିବା ପଥଚାରୀଙ୍କ ପାଇଁ ଗମନାଗମନ ଅଧିକ ସୁରକ୍ଷିତ, ସହଜ ଓ ସୁଗମ ହୋଇପାରିବ।

Leave A Reply

Your email address will not be published.