ଡିଏଭିରେ ‘ବିହନ ଗୋଳା ପ୍ରସ୍ତୁତି’ ନେଇ କ୍ଷମତା ବିକାଶ କର୍ମଶାଳା

7

ଝାରସୁଗୁଡ଼ା ୨୬/୦୯/୨୦୨୬: ଭାରତ ସରକାରଙ୍କ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ପରିବେଶ ସୁରକ୍ଷା, ଜୈବ ବିବିଧତାର ସଂରକ୍ଷଣ ତଥା ସବୁଜ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ବରେ ପରିବେଶ ଶିକ୍ଷାଧର୍ମୀ କାର୍ଯ୍ୟକ୍ରମ ‘ବିହନ ଗୋଳା ପ୍ରସ୍ତୁତି’ ବିଷୟକ ଏକ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅଭିନବ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଡ. ରାଧାକାନ୍ତ ଗଡ଼ତିଆ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରକୃତି ସହ ନିବିଡ଼ତା ରଖିବା ସହିତ ତାର ଯତ୍ନ ନେବା ପାଇଁ ଶିକ୍ଷକ ପ୍ରଶିକ୍ଷାର୍ଥୀମାନଙ୍କୁ ଆହ୍ୱାନ କରିଥିବା ବେଳେ ଝାରସୁଗୁଡ଼ା ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ସଦାକର କୁମ୍ଭାର ସମ୍ମାନିତ ଅତିଥି ଭାବରେ ଯୋଗଦାନପୂର୍ବକ ଅଧିକରୁ ଅଧିକ ଚାରା ରୋପଣ କରିବା ସାଙ୍ଗକୁ ସେଗୁଡ଼ିକର ତଥା ପରିବେଶର ଯତ୍ନ ନେବା ନିତାନ୍ତ ଜରୁରୀ ବୋଲି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

କର୍ମଶାଳାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ସର୍ବମୋଟ ୫୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ଏନ.ସି.ଏନ.ଏଫ.ରୁ ରାଜ୍ୟ ସମନ୍ୱୟକ ମହମ୍ମଦ ଇମ୍ରାନ ଅଲୀ ମୁଖ୍ୟ ପ୍ରଶିକ୍ଷକ ଯୋଗ ଦେଇ କର୍ମଶାଳାରେ ପରିବେଶ ସୁରକ୍ଷା, ସ୍ୱଚ୍ଛତା, ଜଳ ସଂରକ୍ଷଣ, ଜୈବ ବିବିଧତା, ବୀଜ ଗୋଳା ପ୍ରସ୍ତୁତି ଓ କ୍ରିୟାନ୍ଵୟନ ସନ୍ଦର୍ଭରେ ଆଲୋକପାତ କରିଥିଲେ। ଅଭିଜ୍ଞ ଶିକ୍ଷୟିତ୍ରୀ ନୀଳିମା ପଟେଲ ଓ ଆହ୍ଲାଦ ନାଏକ କର୍ମଶାଳାର ସଂଯୋଜନା କରିବା ସହିତ ପ୍ରଶିକ୍ଷାର୍ଥୀମାନେ ପ୍ରଶିକ୍ଷଣ ପରବର୍ତ୍ତୀ କ୍ରିୟାକଳାପ ଓ କ୍ରିୟାନ୍ଵୟନ ସାଙ୍ଗକୁ ନିଜ ନିଜ ବିଦ୍ୟାଳୟର ଇକୋ କ୍ଳବର କାର୍ଯ୍ୟକାରିତା ସମ୍ପର୍କରେ ଦଳଗତ ଆଲୋଚନା କରିଥିଲେ । ଉଦଯାପନୀ ଅବସରରେ ଝାରସୁଗୁଡ଼ା ବନ ମଣ୍ଡଳର ସହକାରୀ ବନ ସଂରକ୍ଷକ ଜ୍ଞାନେନ୍ଦ୍ର ଲିମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୀଜ ଗୋଳା ପ୍ରସ୍ତୁତି ମାଧ୍ୟମରେ ସ୍ଥାନୀୟ ଉଦ୍ଭିଦ ପ୍ରଜାତିର ବୀଜ ସଂରକ୍ଷଣ, ବୃକ୍ଷରୋପଣକୁ ପ୍ରୋତ୍ସାହନ, ଜୈବ ବିବିଧତାର ବିକାଶ, ଅକସିଜେନ ପରିମାଣ ବୃଦ୍ଧି ଲାଗି ପଦକ୍ଷେପ ଆଦି ବିଷୟବିନ୍ଦୁ ଉପରେ ଭାବବ୍ୟକ୍ତ କରିଥିଲେ ଓ ଲାଇକେରା ବ୍ଲକ ଶିକ୍ଷା ଅଧିକାରୀ ହିମାଂଶୁ ବାଗ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟକ୍ଷ ଶ୍ରୀ ଦେବତା ପରିବେଶୀୟ ଗୁରୁତ୍ୱ ଓ ସଚେତନତା ସମ୍ପର୍କରେ ନିଜ ବିଚାର ବ୍ୟକ୍ତ କରିଥିଲେ। ପ୍ରକୃତି ପ୍ରତି ଛାତ୍ରଛାତ୍ରୀଙ୍କ ଦାୟିତ୍ୱବୋଧତା ବୃଦ୍ଧି ଭଳି ବିଷୟ ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । “ଛୋଟ ପଦକ୍ଷେପ, ବଡ଼ ପରିବର୍ତ୍ତନ” ଭାବନାକୁ ଆଧାର କରି ପରିବେଶ ସୁରକ୍ଷା ଦିଗରେ ସାମୂହିକ ପ୍ରଚେଷ୍ଟା ଲାଗି ସମସ୍ତେ ପ୍ରତିଶ୍ରୁତି ଦେଇଥିଲେ । ଶିକ୍ଷକ ଆଶିଷ ପୂଜାରୀ, ଅକ୍ଷୟ କୁମାର ପାଣି, ମୋନିକା ଶ୍ରୀବାସ୍ତବ, ମଜୁମ ସାହୁ, ସ୍ମିତା ସାହୁ, ଶୁଭଦତ୍ତ ପ୍ରଧାନ, ନିକିତା ଗଡ଼ତିଆ, ଉମା ସିଂ ଚଣ୍ଡେଲ, ବିଜୟ ଦାଶ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଶାଳାର ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ । ବିଦ୍ୟାଳୟର ଏପରି ପରିବେଶମୁଖୀ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ମନରେ ପ୍ରକୃତି ପ୍ରତି ଭଲପାଇବା, ସଚେତନତା ଓ ସଂରକ୍ଷଣର ମନୋଭାବ ସୃଷ୍ଟି କରିବା ସହ ଏକ ସବୁଜ ଓ ସୁସ୍ଥ ଜୀବନ ଶୈଳୀ ଗଠନରେ ସହାୟକ ହେବ ବୋଲି ଆଶା କରାଯାଇଛି ।

Leave A Reply

Your email address will not be published.