ମହାସମାରୋହରେ ହିନ୍ଦୀ ଦିବସ ପାଳିତ

8

‘ହିନ୍ଦୀ ହେଉ ହୃଦୟର ଭାଷା’ — ମୁଖ୍ୟ ଅତିଥି

ବଲାଙ୍ଗୀର,ତା.୨୬/୦୯/୨୦୨୬: ହିନ୍ଦୀ କେବଳ ଏକ ଭାଷା ନୁହେଁ,ଏହା ଭାରତୀୟ ଭାବନା, ସଂସ୍କୃତି ଓ ଏକତାର ଏକ ସଶକ୍ତ ସେତୁ।ଭାଷା ମାଧ୍ୟମରେ ମଣିଷ ମଣିଷ ସହ ଯୋଡ଼ି ହୁଏ,ଭାବନାର ଆଦାନପ୍ରଦାନ ହୁଏ ଏବଂ ଜାତୀୟ ଏକତା ଅଧିକ ସୁଦୃଢ଼ ହୁଏ।ଏହି ମହାନ ଭାବନାକୁ ହୃଦୟରେ ଧାରଣ କରି ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ତରଫରୁ ହିନ୍ଦୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିନ୍ଦୀ ଦିବସର ଉଦ୍‌ଘାଟନ କରିଥିଲେ।ପ୍ରାରମ୍ଭରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନେ ମଧୁର ସ୍ୱାଗତ ସଙ୍ଗୀତ ପରିବେଷଣ କରି ଅତିଥିମାନଙ୍କୁ ଭାବପୂର୍ଣ୍ଣ ସ୍ୱାଗତ ଜଣାଇଥିଲେ।ସଂଘର ସଭାପତି ସୁଶାନ୍ତ ନାୟକ ସ୍ୱାଗତ ଭାଷଣ ଦେଇ ହିନ୍ଦୀ ଭାଷାର ପ୍ରଚାର,ପ୍ରସାର ଓ ଶିକ୍ଷା କ୍ଷେତ୍ରରେ ହିନ୍ଦୀ ଶିକ୍ଷକମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।ସମ୍ପାଦକ ଜଗଦୀଶ ନାଗ ସଂଘର ବାର୍ଷିକ ବିବରଣୀ ପାଠ କରି ଗତ ବର୍ଷର ବିଭିନ୍ନ କାର୍ଯ୍ୟକଳାପ ଓ ଆଗାମୀ ଦିନର ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।ମୁଖ୍ୟ ଅତିଥି ଏଡିଇଓ ପ୍ରବୀର କୁମାର ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ ଯେ,ଭାଷା ହେଉଛି ଜ୍ଞାନ ଓ ଭାବନାର ପ୍ରମୁଖ ମାଧ୍ୟମ।ହିନ୍ଦୀ ଭାଷା ଦେଶର ବିଭିନ୍ନ ଅଞ୍ଚଳ ଓ ଭାଷାଭାଷୀ ଲୋକଙ୍କ ମଧ୍ୟରେ ଏକ ଯୋଗସୂତ୍ର ଭାବେ କାର୍ଯ୍ୟ କରୁଛି।ଛାତ୍ରଛାତ୍ରୀମାନେ ହିନ୍ଦୀକୁ କେବଳ ପାଠ୍ୟବିଷୟ ଭାବେ ନ ନେଇ ଏହାର ସାହିତ୍ୟ,ସଂସ୍କୃତି ଓ ମାନବୀୟ ମୂଲ୍ୟବୋଧକୁ ବୁଝିବା ଆବଶ୍ୟକ।ହିନ୍ଦୀ ଭାଷାର ବିକାଶ ପାଇଁ ଶିକ୍ଷକ,ଛାତ୍ର ଓ ସମାଜ ସମସ୍ତଙ୍କର ସକ୍ରିୟ ଭୂମିକା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ।ମୁଖ୍ୟ ବକ୍ତା ଜବାହାର ନବୋଦୟ ବିଦ୍ୟାଳୟ,ତରଭାର ହିନ୍ଦୀ ପ୍ରାଧ୍ୟାପକ ଗତିକୃଷ୍ଣ ପଟେଲ ହିନ୍ଦୀ ଭାଷାର ଐତିହ୍ୟ,ସାହିତ୍ୟିକ ସମୃଦ୍ଧି ଓ ଜାତୀୟ ଜୀବନରେ ଏହାର ଭୂମିକା ଉପରେ ବିସ୍ତୃତ ଆଲୋକପାତ କରିଥିଲେ।ସେ କହିଥିଲେ ଯେ,ଭାଷା ହେଉଛି ଏକ ଜାତିର ସଂସ୍କୃତିର ଦର୍ପଣ।ହିନ୍ଦୀ ସାହିତ୍ୟରେ ଭାରତର ବିବିଧତା,ମାନବୀୟ ସମ୍ବେଦନା,ତ୍ୟାଗ, ପ୍ରେମ ଓ ଦେଶପ୍ରେମର ଅନେକ ଅମୂଲ୍ୟ ଅଧ୍ୟାୟ ସଂରକ୍ଷିତ ହୋଇ ରହିଛି।ଆଜିର ଛାତ୍ର ସମାଜ ଯଦି ହିନ୍ଦୀ ସାହିତ୍ୟ ସହ ଯୋଡ଼ି ହେବେ,ତେବେ ସେମାନଙ୍କ ଚିନ୍ତନ ଓ ସୃଜନଶୀଳତା ଆହୁରି ସମୃଦ୍ଧ ହେବ ବୋଲି ସେ କହିଥିଲେ।ଏଡିଇଓ ରୀନା କୁମାରୀ ବେହେରା ହିନ୍ଦୀ ଶିକ୍ଷାର ଗୁଣାତ୍ମକ ବିକାଶ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷାପ୍ରତି ଆଗ୍ରହ ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲେ।ଶିକ୍ଷକମାନେ ନିଜର ସୃଜନଶୀଳ ଶିକ୍ଷଣ ପଦ୍ଧତି ମାଧ୍ୟମରେ ହିନ୍ଦୀକୁ ଛାତ୍ରଙ୍କ ପାଇଁ ଆନନ୍ଦଦାୟକ କରିବା ଉଚିତ ବୋଲି ସେ କହିଥିଲେ।ଏଡିଇଓ ସେବାଶ୍ରୀ ଭୋଇ ହିନ୍ଦୀ ଭାଷାର ସମୃଦ୍ଧ ସାହିତ୍ୟିକ ପରମ୍ପରା ଓ ଶିକ୍ଷା କ୍ଷେତ୍ରରେ ଏହାର ଗୁରୁତ୍ୱ ଉପରେ ମତ ରଖିଥିଲେ।ଛାତ୍ରଛାତ୍ରୀଙ୍କ ମନରେ ଭାଷାପ୍ରତି ଭଲପାଇବା ସୃଷ୍ଟି କରିବା ହିଁ ଶିକ୍ଷକଙ୍କ ପ୍ରମୁଖ ଦାୟିତ୍ୱ ବୋଲି ସେ ମତ ଦେଇଥିଲେ।ବଲାଙ୍ଗୀର ବ୍ଲକ ଶିକ୍ଷା ଅଧିକାରୀ ଦିଲୀପ ଯୋଶୀ ହିନ୍ଦୀ ଭାଷା ଶିକ୍ଷାକୁ ଆହୁରି ଲୋକପ୍ରିୟ କରିବା ସହ ଛାତ୍ରଛାତ୍ରୀଙ୍କୁ ହିନ୍ଦୀ ସାହିତ୍ୟ ପଠନ ପ୍ରତି ଆକୃଷ୍ଟ କରିବା ଉପରେ ଗୁରୁତ୍ୱ ଦେଇଥିଲେ।ପୂର୍ବତନ ବଲାଙ୍ଗୀର ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ ହିନ୍ଦୀ ଶିକ୍ଷକମାନଙ୍କ ଅବଦାନକୁ ସ୍ମରଣ କରି ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନରେ ଭାଷା ଶିକ୍ଷାର ଗୁରୁତ୍ୱ ବୁଝାଇଥିଲେ।ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ପାଣିଗ୍ରାହୀ ହିନ୍ଦୀ ଦିବସର ମହତ୍ତ୍ୱ ଉପରେ ମତ ରଖି ବିଦ୍ୟାଳୟରେ ଛାତ୍ରୀମାନଙ୍କ ଭାଷା ଓ ସାଂସ୍କୃତିକ ପ୍ରତିଭା ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମ ନିୟମିତ ଆୟୋଜନର ଆବଶ୍ୟକତା ଦର୍ଶାଇଥିଲେ।ଏହି ଅବସରରେ ଜିଲ୍ଲାର ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ସଂଘ ତରଫରୁ ଉତ୍ତରୀୟ,ମୋମେଣ୍ଟୋ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ସଭା ଶେଷରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମକୁ ଶିକ୍ଷକ ଅଶ୍ୱିନୀ ଷଡ଼ଙ୍ଗୀ ସଂଯୋଜନା କରିଥିବା ବେଳେ ଶିକ୍ଷକ ଭକ୍ତ ଚରଣ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।ଜିଲ୍ଲାର ବହୁ ହିନ୍ଦୀ ଶିକ୍ଷକ, ଶିକ୍ଷାବିତ୍‌,ଭାଷାପ୍ରେମୀ ଯୋଗଦେଇଥିଲେ।

Leave A Reply

Your email address will not be published.