ସଂଘ ସାହିତ୍ୟ ଚର୍ଚ୍ଚା ଓ ଗୁରୁଜୀଙ୍କ ଜୀବନ ଚର୍ଯ୍ୟା ଆଲୋଚନାଚକ୍ର

10

ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ ): ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲାର ମାଧବ ନଗର ଶାଖା ଓ ରାଉରକେଲା ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ୱତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ନଗର ଶାଖା ସଭାପତି ବ୍ରଜେନ୍ଦ୍ର କୁମାର ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରର ଶୀର୍ଷକ ଥିଲା ‘ସଂଘ ସାହିତ୍ୟ ଚର୍ଚ୍ଚା ଓ ଗୁରୁଜୀଙ୍କ ଜୀବନ ଚର୍ଯ୍ୟା’।
ବିଶିଷ୍ଟ ସାହିତ୍ୟିକା ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଉରକେଲା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଜଗଦାର ସମ୍ପାଦକ ବୈଷ୍ଣବ ଚରଣ ମହାପାତ୍ର ଏବଂ ମୁଖ୍ୟବକ୍ତା ଭାବେ ସେକ୍ଟର-୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥି ଯୋଗଦେଇଥିଲେ।
ସଭାପତିତ୍ୱ ଅଭିଭାଷଣରେ ଡ. ଜେନା ଶ୍ରୀଗୁରୁଜୀ ମାଧବ ସଦାଶିବ ଗୋଲୱାଲକରଙ୍କ ଜୀବନ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ଶତପଥି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସୃଷ୍ଟି, ଶାଖାର ପ୍ରଚାର-ପ୍ରସାର ଏବଂ ସଂଘର ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ଆଲୋକପାତ କରିଥିଲେ। ତତ୍କାଳୀନ ସାମାଜିକ, ରାଜନୈତିକ, ସାଂସ୍କୃତିକ, ଧାର୍ମିକ ଓ ପର୍ଯ୍ୟାବରଣ ସମସ୍ୟାର ସମାଧାନ ଦିଗରେ ଶ୍ରୀଗୁରୁଜୀଙ୍କ ଅବଦାନ ସମ୍ପର୍କରେ ସେ ମତ ରଖିଥିଲେ। ବିଭାଜନ ସମୟରେ ପଶ୍ଚିମ ପାକିସ୍ତାନରେ ହିନ୍ଦୁମାନଙ୍କ ସୁରକ୍ଷା, କାଶ୍ମୀରର ଭାରତ ସହ ମିଶ୍ରଣ, ପାକିସ୍ତାନ ଓ ଚୀନ ଆକ୍ରମଣ ସମୟରେ ସଂଘର ଭୂମିକା ତଥା ଗୋଆ, ଦାମନ ଓ ଡିଉର ଭାରତ ସହ ମିଶ୍ରଣ ଆଦି ପ୍ରସଙ୍ଗରେ ସେ ଆଲୋଚନା କରିଥିଲେ।
ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ପୂର୍ତ୍ତି ଅବସରରେ ‘ପଞ୍ଚ ପରିବର୍ତ୍ତନ’ ଓ ପ୍ରତିଜ୍ଞା, ସାମାଜିକ ସମରସତା, ପର୍ଯ୍ୟାବରଣ ସୁରକ୍ଷା, ପରିବାର ପ୍ରବୋଧନ, ‘ସ୍ୱ’ର ଜାଗରଣ ଏବଂ ନାଗରିକ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ଏଥିସହ ଶ୍ରୀଗୁରୁଜୀ ମାଧବ ସଦାଶିବ ଗୋଲୱାଲକରଙ୍କ ସଂଘର୍ଷପୂର୍ଣ୍ଣ ଓ ପ୍ରେରଣାଦାୟୀ ଜୀବନ ସମ୍ପର୍କରେ ସୂଚନା ଦେଇ ତାଙ୍କ ଜୀବନ ରାଷ୍ଟ୍ରହିତ ପାଇଁ ଉତ୍ସର୍ଗୀକୃତ ଥିଲା ବୋଲି ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ସଂଘର ଦେଶାତ୍ମବୋଧକ ଗୀତ ପୁସ୍ତକ ‘ରାଷ୍ଟ୍ର ଝଙ୍କାର’ରୁ ଗୀତଗାନ ଓ ଆବୃତ୍ତି ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ପର୍ବରେ ବିଶିଷ୍ଟ କବି ତ୍ରିଲୋଚନ ସ୍ୱାଇଁ ସଭାପତିତ୍ୱ କରିଥିବାବେଳେ ଅଧ୍ୟାପକ ପ୍ରୀତମ ସାମଲ ଓ ଅଧ୍ୟାପିକା ଅଳକା ମହାନ୍ତି ସଂଯୋଜନା କରିଥିଲେ। ବିଶିଷ୍ଟ କବି ସୁସ୍ମିତା ମହାପାତ୍ର, ସୁମନ୍ତ ଉପାଧ୍ୟାୟ ଓ ଅଧ୍ୟାପକ ସୂର୍ଯ୍ୟକାନ୍ତ ଦାସ ପ୍ରମୁଖ ଏଥିରେ ସହଭାଗୀ ହୋଇଥିଲେ। ଶେଷରେ ଯୁବ କଣ୍ଠଶିଳ୍ପୀ ନ୍ୟାସା ଅଗ୍ରୱାଲ ବିଭିନ୍ନ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରି ଉପସ୍ଥିତ ଶ୍ରୋତାଙ୍କ ମନ ମୋହିଥିଲେ।
ସଭାରେ ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ସୌମ୍ୟରଞ୍ଜନ ପ୍ରଧାନ, ସୁଶାନ୍ତ ପଟେଲ, ଆରତୀ ଅଗ୍ରୱାଲଙ୍କ ସମେତ ରାଜଶ୍ରୀ ରାଉତିଆ, ପ୍ରୀତି ଘୁସି, ମଧୁମିତା କୁଜୁର, ବର୍ଷା ବଡାଇକ ଏବଂ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave A Reply

Your email address will not be published.