ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବିଶ୍ବ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି । ଫାର୍ମାସୀ କାଉନସିଲ୍ ଅଫ୍ ଇଣ୍ଡିଆ ଏବଂ ଏଫ.ଆଇ.ପି ର ମାର୍ଗଦର୍ଶିକା ଅନୁଯାୟୀ ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୫ ତାରିଖକୁ ବିଶ୍ବ ଫାର୍ମାସିଷ୍ଟ ଦିବସ ରୁପେ ପାଳନ କରାଯାଏ । “ସୁସ୍ଥ ଭବିଷ୍ୟତ ପାଇଁ ଫାର୍ମାସିଷ୍ଟମାନଙ୍କୁ ସଶକ୍ତ କରିବା” ବିଶୟକୁ ନେଇ ଆଜିର ଫାର୍ମାସୀ ଦିବସର ମୁଖ୍ୟ ଆଲୋଚନାର ବିଷୟବସ୍ତୁ ଥିଲା । ଅନୁଷ୍ଠାନର ଡାଇରେକ୍ଟର ଶ୍ରୀଯୁକ୍ତ ଡ଼ା: ମନୋରଜଂନ ସାହୁ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରୟାଲ କଲେଜ ଅଫ ଫାର୍ମାସୀ ବ୍ରହ୍ମପୁରରୁ ପ୍ରଫେସର ସୁଧୀର କୁମାର ସାହୁ, ଏବଂ ପ୍ରଫେସର ଘନଶ୍ୟାମ ପାଣିଗ୍ରାହୀ ଅତିଥିରୁପେ ଯୋଗଦେଇ ଫାର୍ମାସି ଦିବସ ର ଆଭିମୁଖ୍ୟ ସମ୍ପର୍କ ରେ ଉଦବୋଧନ ଦେଇଥିଲେ |
ମୁଖ୍ୟ ବକ୍ତା ଭାବେ ସି ପି ଏସ ମୋହୁଡ଼ା ବୈଷୟିକ ବିଦ୍ୟାଳୟ ର ପ୍ରଫେସର ସଂଜୀବ ପାତ୍ର ଯୋଗଦେଇ ରୋଗମୁକ୍ତ ଭବିଷ୍ୟତ ପାଇଁ ସଶକ୍ତ ଫାର୍ମାସିଷ୍ଟ ଙ୍କ ଭୂମିକା ସମ୍ପର୍କ ରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ ।
ପ୍ରାଧ୍ୟାପକ ଜଗଦିଶ ଖୁଣ୍ଟିଆ,ପ୍ରାଧ୍ୟାପିକା ପ୍ରିୟଙ୍କା ପଢ଼ି ପ୍ରମୁଖ ମଞ୍ଚାସୀନ ଥିଲେ ।
ଫାର୍ମାସିଷ୍ଟ ମାନଙ୍କ କାର୍ଯ୍ଯ ଓ ସମାଜ ପାଇଁ ସେମାନଙ୍କ ଅବଦାନ ବିଷୟରେ ଡାଇରେକ୍ଟର ଶ୍ରୀଯୁକ୍ତ ସାହୁ ଛାତ୍ରଛାତ୍ରୀମାନଙ୍କୁ ନିଜ ଅଭିଭାଷଣରେ କହିଥିଲେ । ସମସ୍ତଙ୍କ ସ୍ବାସ୍ଥ୍ୟ ସବୁସମୟରେ ଠିକ୍ ରୁହେନି, ବାରମ୍ବାର ରୋଗରେ ଆକ୍ରାନ୍ତ ହୋଇ ଅନେକ ଲୋକ ଜୀବନ ହରାଉଛନ୍ତି । ଏହାର ପ୍ରମୁଖ କାରଣ ହେଲା ନିୟମିତ ଠିକ୍ ରୋଗ ପାଇଁ ଠିକ୍ ଔଷଧର ସେବନ କରାନଯିବା । ଏହି ଦିଗରେ କେବଳ ଫାର୍ମାସିଷ୍ଟ ମାନେ କେଉଁ ରୋଗ ପାଇଁ କି ପ୍ରକାରର ଔଷଧ ଆବଶ୍ୟକ ତାହା ଉଦ୍ଭାବନ କରନ୍ତି ଓ ଏହାଦ୍ବାରା କିପରି ଅନ୍ୟଙ୍କ ଜୀବନ ରକ୍ଷା କରିବାରେ ସହାୟତା ହୋଇଥାଏ ବୋଲି ଅତିଥି ଓ ବକ୍ତା ନିଜ ଅଭିଭାଷଣରେ କହିଥିଲେ ।
କାର୍ଯ୍ୟକ୍ରମ ଶେଷରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଇଁ ହୋଇଥିବା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା ।
ମହାବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ଅକ୍ଷୟ ଦାସ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ଲୋକଙ୍କ ସେବା କ୍ଷେତ୍ରରେ ଫାର୍ମାସିଷ୍ଟ ମାନଙ୍କ ଅବଦାନ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜ ବାର୍ତ୍ତା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ ।