ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ଓଡ଼ିଶାର ପ୍ରସିଦ୍ଧ ଐତିହାସିକ, ପ୍ରାକୃତିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ର ଗନ୍ଧମାର୍ଦ୍ଧନ ପର୍ବତମାଳାର ସୁରକ୍ଷା ପାଇଁ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଗଭୀର ଚିନ୍ତା ପ୍ରକଟ କରିବା ସହ ଏହାର ସଂରକ୍ଷଣ ପାଇଁ ଦୃଢ଼ ଦାବି କରିଛନ୍ତି। ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ତଥା ବରଗଡ଼ ଓ ବଲାଙ୍ଗିର ଜିଲ୍ଲାକୁ ସଂଯୋଗ କରୁଥିବା ଏହି ପବିତ୍ର ପର୍ବତର ପରିବେଶ ଏବଂଜୈବବିବିଧତାକୁ ରକ୍ଷା କରିବା ପାଇଁ ସେ ଏକ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଗନ୍ଧମାର୍ଦ୍ଧନ ପର୍ବତ କେବଳ ଏକ ପାହାଡ଼ ନୁହେଁ, ବରଂ ଏହା ଆମର ସାଂସ୍କୃତିକ ପରମ୍ପରା, ଆୟୁର୍ବେଦୀୟ ଔଷଧୀୟ ବୃକ୍ଷବିଶେଷ ଏବଂ ଲକ୍ଷାଧିକ ଲୋକଙ୍କ ଆସ୍ଥାର ପ୍ରତୀକ ନୃସିଂହନାଥ ଓ ହରିଶଙ୍କର ପୀଠର ମୂଳ ଆଧାର ଅଟେ।

ପୂର୍ବତନ ସାଂସଦ ଶ୍ରୀ ବିଶି ମତବ୍ୟକ୍ତ କରିଛନ୍ତି ଯେ, ଏହି ଅଞ୍ଚଳର ପ୍ରାକୃତିକ ସନ୍ତୁଳନ ଏବଂ ପରିବେଶକୁ କୌଣସି ପ୍ରକାରେ ବିପନ୍ନ ହେବାକୁ ଦିଆଯିବ ନାହିଁ। ଗନ୍ଧମାର୍ଦ୍ଧନର ସୁରକ୍ଷା ପାଇଁ ସ୍ଥାନୀୟ ଜନସାଧାରଣ ଏବଂ ପ୍ରକୃତି ପ୍ରେମୀମାନେ ଯେପରି ଦୀର୍ଘ ଦିନରୁ ସଂଘର୍ଷ କରିଆସୁଛନ୍ତି, ତାହାକୁ ଗୁରୁତ୍ୱର ସହ ନେଇ ସରକାର ଏହାର ସଂରକ୍ଷଣ ନିମନ୍ତେ ଏକ ସ୍ୱତନ୍ତ୍ର ଓ କଠୋର କାର୍ଯ୍ୟପନ୍ଥା ଗ୍ରହଣ କରନ୍ତୁ ବୋଲି ପଦ୍ମପୁର ଗସ୍ତ ରେ ଆସିଥିବା ବେଳେ ଦାବି ଜଣାଇଛନ୍ତି l ସେହିପରି ରାୟଗଡା ର କୁଟ୍ରୁମାଳି-ସିଜିମାଳି ଅଞ୍ଚଳରେ ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମି ସୁରକ୍ଷା ପାଇଁ ପୂର୍ବତନ ସାଂସଦ ନିରଞ୍ଜନ ବିଶି ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।