ଭକ୍ତିଭାବ ଆତ୍ମାକୁ ଶୁଦ୍ଧି କରେ

11

ପାରଳାଖେମୁଣ୍ଡି / ସ୍ଥାନୀୟ ବକ୍ସିସାହି ସ୍ଥିତ ଗୋପିନାଥ ମନ୍ଦିର କଲ୍ୟାଣ ମଣ୍ଡପଠାରେ ସପ୍ତାହବ୍ଯାପି ଭାଗବତ ପ୍ରବଚନ ଚାଲୁରହିଛି। ନବଦ୍ଵୀପର ଅନନ୍ତ ଦାସଜୀ ମହାରାଜ ଏହି ପ୍ରବଚନ ଦେଉଛନ୍ତି। ମହନ୍ତ ଯଶୋଦାନନ୍ଦଜୀ ମହାରାଜାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ମହନ୍ତ ରାମାନନ୍ଦ ଦାସଜୀ ଉପସ୍ଥିତ ଥିଲେ।ନିଜ ଦୀକ୍ଷାନ୍ତ ପ୍ରବଚନରେ ଅନନ୍ତ ଦାସ ମହାରାଜ ଭାଗବତର ମୂଳଲକ୍ଷ୍ୟ ଯାହା ତ୍ୟାଗ ଓ ମହା ତ୍ୟାଗର ବିଶ୍ଳେଷଣ କରିଥାଏ, ତାହା ପ୍ରାଞ୍ଜଳ ଭାବେ ବୁଝାଇଥିଲେ। କାମ , ମୋହକୁ ନିୟନ୍ତ୍ରଣ କରିବା ଶକ୍ତି ମନୁଷ୍ଯ ନିଜ ହୃଦୟ ଓ ଆତ୍ମାକୁ ଶୁଦ୍ଧି କରିଥାଏ।ଅନ୍ଧକାର ଭିତରେ ଆଲୋକର ସନ୍ଧାନ କରିବାର ମହତ୍ବ ଉପଲବ୍ଧି କରିଥାଏ। ନିଜ ଭିତରେ ଆତ୍ମାର ସଂଚାର ଯାହା ବସ୍ତୁ ବିହିନ ଦୃଶ୍ୟକୁ ଅନୁଭବ କରିବାରେ ସକ୍ଷମ ହୋଇଥାଏ। ନିଜ ଭିତରେ ଐଶ୍ଵରିକ ଶକ୍ତିର ତତ୍ୱ ଅନୁଭବ କରିବାସହ ଆଧ୍ଯାତ୍ମିକତାର ସାରଣୀ ସୃଷ୍ଟି କରିଥାଏ। ଚୈତନ୍ୟ ସତ୍ତାର ଉଦ୍ଭୁଦ କରିବାକୁ ତ୍ୟାଗ ଦ୍ବାରା ନିଜ ଭିତରେ ଦେବତ୍ୱ ସୃଷ୍ଟି କରିବାକୁ ଆହ୍ବାନ କରିଥିଲେ। ନିଜର ଶାଶ୍ୱତ ଚିନ୍ତା ଧାରାରେ ଜୀବନର କର୍ମ ଓ ଭକ୍ତିର ମାର୍ଗ ଆବିଷ୍କାର କରି ଏକ ସଂପୂର୍ଣ୍ଣ ଆତ୍ମା ଅନୁଭବ କରିବାକୁ ସକ୍ଷମ ହେବାପାଇଁ କହିଥିଲେ। ଏହାଛଡା କର୍ମ , ଅକର୍ମ ଓ ବିକର୍ମ ବିଷୟରେ ତର୍ଜମା କରି ମାନବୀୟ ଗୁଣକୁ ଆଧାର ରଖି ନିଜ କର୍ମସ୍ଥଳରେ ସଂଯମତା ହେବାକୁ ନିଜ ମନ୍ତବ୍ୟରେ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ବେଣୁଗୋପାଳ ପାଢୀ , ଗୋବିନ୍ଦଚନ୍ଦ୍ର ଦାସ ଏବଂ କଲ୍ୟାଣ ମଣ୍ଡପର ପୃଷ୍ଠପୋଷକ ଗୋପିନାଥ ପାଢୀ ସହଯୋଗ କରିଥିଲେ। ଏହି ପ୍ରବଚନ କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଶେଷରେ ଆରତୀ ବନ୍ଦନା ରଶ୍ମିତା କୁମାରୀ ଦାଶ ଓ କୁସୁମ କୁମାରୀ ପଣ୍ଡା ଗାନ କରିଥିଲେ।

Leave A Reply

Your email address will not be published.