କପିଳାସରେ ଯୁବତୀ ଯୁବକଙ୍କ ଉପରେ ନିର୍ଯାତନା ପ୍ରସଙ୍ଗ
- ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ
- ଏନସିଆରବି ରିପୋର୍ଟ ଅନୁଯାୟୀ, ମହିଳା ନିର୍ଯାତନାରେ ଓଡିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି
- ପର୍ଯ୍ୟଟନସ୍ଥଳୀ ଗୁଡିକରେ ମହିଳା ଅସୁରକ୍ଷିତ ରହୁଥିବା କାରଣରୁ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ୧୨% ହ୍ରାସ ପାଇଛି
ଭୁବନେଶ୍ୱର, ୨୩/୦୯/୨୦୨୬: ବିହାରରେ ଜଣେ ମହିଳାଙ୍କ ଉପରେ ଯୌନ ପିପାସୁ ମାନଙ୍କ ନିର୍ଯାତନା ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଏହାର ଗୋଟିଏ ଦିନ ପରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର କପିଳାସ ଠାରେ ଜଣେ ଯୁବତୀ ଓ ଜଣେ ଯୁବକଙ୍କ ଉପରେ ସମାନ ଘଟଣା ଘଟିବାକୁ ନେଇ ବିଜୁ ଜନତା ଦଳ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ବିଜେପି ସରକାର କ୍ଷମତାସୀନ ହେବା ପରଠାରୁ ଓଡ଼ିଶାରେ ମହିଳା ନିର୍ଯାତନା ଘଟଣାରେ ଅହେତୁକ ବୃଦ୍ଧି ପାଇଛି ଓ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକ ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇଛି, ଯାହା ରାଜ୍ୟ ପାଇଁ ଲଜ୍ଜାଜନକ ବିଷୟ ବୋଲି ବିଜେଡି କହିବା ସହିତ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଇସ୍ତଫା ଦାବି କରିଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ଓ ପୂର୍ବତନ ରାଜ୍ୟ ମହିଳା କମିଶନର ଶ୍ରୀମତୀ ମିନତୀ ବେହେରା ରାଜ୍ୟରେ ମହିଳା ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଭିଯୋଗ କରି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ ।
ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେ, ବିହାରରେ ଜଣେ ମହିଳାଙ୍କ ସହିତ ଯୌନ ନିର୍ଯାତନା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି ହେବାର ଗୋଟିଏ ଦିନ ପରେ କପିଳାସ ଠାରେ ଜଣେ ଯୁବତୀ ଓ ଜଣେ ଯୁବକଙ୍କୁ ଯେପରି ଭାବେ ନିର୍ଯାତନା ଦିଆଗଲା, ତାହା ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠାଇଛି । କପିଳାସ ଏକ ପର୍ଯ୍ୟଟନସ୍ଥଳୀ ଓ ହଜାର ହଜାର ଲୋକ ଏଠାକୁ ଆସିଥାନ୍ତି । ଏଠାରେ ଏଭଳି ଘଟଣା ଘଟିବା ରାଜ୍ୟ ପାଇଁ ଲଜ୍ଜାଜନକ । ବିଜେପି ସରକାର କ୍ଷମତାସୀନ ହେବା ପରଠାରୁ ରାଜ୍ୟରେ ନାରୀ ନିର୍ଯାତନା ଘଟଣା ଅହେତୁକ ବୃଦ୍ଧି ପାଇଛି । ବିଶେଷକରି ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକରେ ନିୟମିତ ବ୍ୟବଧାନରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭଳି ଲଜ୍ଜାଜନକ ଘଟଣା ଘଟି ଚାଲିଛି । ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଏହି ଘଟଣା ପରେ ଆମେରିକା ଏକ ଆଡ଼ଭାଇଜରି ଜାରି କରି ତାଙ୍କ ଦେଶର ମହିଳା ମାନଙ୍କୁ ଓଡିଶା ଆସିବା ପାଇଁ ବାରଣ କରିଥିଲା । ଏହି ଘଟଣା ରାଜ୍ୟକୁ ଦେଶ ବିଦେଶରେ ଲଜ୍ଜିତ ଓ ନିନ୍ଦିତ କରିଥଲା । ଏହାସତ୍ତ୍ୱେ ରାଜ୍ୟ ବିଜେପି ସରକାରଙ୍କର ଚୈତନ୍ୟ ଉଦୟ ହୋଇନଥିଲା । ଏହି ଘଟଣା ପରେ, ବାଲି ହରଚଣ୍ଡୀ, ଧଉଳି, ରାୟଗଡା ଇତ୍ୟାଦିରେ ନାରୀ ନିର୍ଯାତନା ଓ ଗଣଦୁଷ୍କର୍ମ ଭଳି ଘଟଣାମାନ ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ଏବେ କପିଳାସରେ ମଧ୍ୟ ସମାନ ଘଟଣା ଘଟିଛି । ନିଜକୁ ଲୋକଙ୍କ ସରକାର, ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଥିବା ସରକାର ରାଜ୍ୟରେ ନାରୀ ମାନଙ୍କୁ ସୁରକ୍ଷା ପ୍ରଦାନରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଏହି ବିଫଳତା ପାଇଁ ରାଜ୍ୟ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ନୈତିକ ଦାୟିତ୍ୱ ନେଇ ତୁରନ୍ତ ଇସ୍ତଫା ଦିଅନ୍ତୁ ।
ଶ୍ରୀମତୀ ମନୋରମା ମହାନ୍ତି କହିଥିଲେ ଯେ, ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି ଓ ମହିଳାଙ୍କୁ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ରାଜ୍ୟରେ ମହିଳା ସୁରକ୍ଷା ଏପରି ଭାବେ ବିପର୍ଯ୍ୟସ୍ତ ହୋଇପଡିଛି ଯେ, ପରିବାରର ଝିଅଟିଏ କୌଣସି କାରଣରୁ ଏକୁଟିଆ ବାହାରକୁ ଗଲେ, ସେ ଘରକୁ ନ ଫେରିବା ପର୍ଯ୍ୟନ୍ତ ପରିବାରର ସଦସ୍ୟ ମାନେ ଆତଙ୍କିତ ହୋଇ ରହୁଛନ୍ତି । ମହିଳା ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ରାଜ୍ୟ ସରକାର ଏବେ ଗାଦି ଛାଡ଼ନ୍ତୁ ।
ଶ୍ରୀମତୀ ମିନତୀ ବେହେରା କହିଥିଲେ ଯେ, ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିବା ପରେ ନାରୀ ନିର୍ଯାତନା ଘଟଣା ଅହେତୁକ ବୃଦ୍ଧି ପାଇଛି । ଏନସିଆରବି ରିପୋର୍ଟ ଅନୁଯାୟୀ, ନାରୀ ନିର୍ଯାତନା କ୍ଷେତ୍ରରେ ଓଡିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିଲା ବେଳେ ଘରୋଇ ହିଂସାରେ ଓଡିଶା ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ନବୀନ ସରକାରଙ୍କ ସମୟରେ ଓଡିଶାର ପର୍ଯ୍ୟଟନସ୍ଥଳକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତ ୨ ବର୍ଷର ବିଜେପି ଶାସନରେ ଓଡିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ୧୨% ହ୍ରାସ ପାଇଛି । ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକରେ ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ବିଜେପି ସରକାର ବିଫଳ ହେବା କାରଣରୁ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି । ମହିଳା ଓ ଶିଶୁଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ସରକାର ବିଫଳ ହେଉଥିବାରୁ ରାଜ୍ୟ ଦେଶରେ ଓ ଦେଶ ବାହାରେ ଲଜ୍ଜିତ ଓ ନିନ୍ଦିତ ହେଉଛି ।