ଓଡ଼ଗାଁ,୨୨।୯(ଶ୍ରୀକାନ୍ତ କୁମାର ମିଶ୍ର): ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ପରିପ୍ରେକ୍ଷୀରେ କୁରାଳ ପଞ୍ଚାୟତ ଦଣ୍ଡୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ତିନିଟି ବର୍ଗରେ ଅନୁଷ୍ଠିତ ହୋଇଯାଇଛି। ଚିତ୍ରାଙ୍କନରେ ସବ୍-ଜୁନିଅର ବର୍ଗରେ ପିଏମ୍ଶ୍ରୀ ସୋଲପଟା ଉଚ୍ଚ ବିଦ୍ୟାଳୟର ସୁଭଦ୍ରା ବେହେରା, କନିଷ୍ଠ ବର୍ଗରେ ପିଏମ୍ଶ୍ରୀ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ପୁଷ୍ପଲତା ପ୍ରଧାନ ଏବଂ ବରିଷ୍ଠ ବର୍ଗରେ ଉକ୍ତ ବିଦ୍ୟାଳୟର ସ୍ନିତି ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ବକ୍ତୃତା ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ରାଧାକାନ୍ତ ଉଚ୍ଚ ବିଦ୍ୟାଳୟର ସୁଚିନ୍ତିକା ସାହୁ, କନିଷ୍ଠ ବର୍ଗରେ ଶୁଭଲକ୍ଷ୍ମୀ ରାଉତ ଏବଂ ସବ୍-ଜୁନିଅର ବର୍ଗରେ ପିଏମ୍ଶ୍ରୀ ସୋଲପଟା ଉଚ୍ଚ ବିଦ୍ୟାଳୟର ଶୁଭଲକ୍ଷ୍ମୀ ସଡଙ୍ଗୀ ପ୍ରଥମ ହୋଇ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି। ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ରାଜକିଶୋର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ କୁରାଳ ବିଜେପି ମଣ୍ଡଳ ସଭାପତି ପ୍ରଭାକର ବେହେରା, ମଣ୍ଡଳ ପ୍ରତିନିଧି, ଓଡ଼ଗାଁ ଗ୍ରାମୀଣ ମଣ୍ଡଳ ସଭାପତି ସୁଶାନ୍ତ କୁମାର ପାଲ, ରିକିନା ଗୌଡ଼, ଏନ୍ଏସି ମଣ୍ଡଳ ବିଜେପି ପ୍ରତିନିଧି ତପନ ସାମନ୍ତରା ଓ ଓଡ଼ଗାଁ ସିଆରସିସି ନରେଶ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତ୍ୟାଗ ଓ ସେବାମୟ ଜୀବନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଓ ଅତିଥିମାନେ ସେବା ମନୋଭାବ ନେଇ ଦେଶସେବା କରିବାକୁ ଶପଥ ଗ୍ରହଣ କରିଥିଲେ। ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ମଶାବାରୀ ସିଆରସିସି ଯଶୋବନ୍ତ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଭିନ୍ନ ସିଆରସିସି ଓ ଶିକ୍ଷକମାନେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.