ପରିବେଶ ସୁରକ୍ଷାର ବାର୍ତ୍ତା ମଧ୍ୟରେ ‘ଆମ ଖାଦ୍ୟ ଆମ ସଂସ୍କୃତି’ ପୁରସ୍କାରକୁ ନେଇ ପ୍ରଶ୍ନ
ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ବିଶ୍ୱ ଓଜୋନ ଦିବସ-୨୦୨୬ ଅବସରରେ ରାଉରକେଲା ଆଞ୍ଚଳିକ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରାଉରକେଲା ଇସ୍ପାତ କାରଖାନା ପରିସରସ୍ଥିତ ସିପିଟିଆଇ ଅଡିଟୋରିୟମରେ ‘ଶୀତଳ ପୃଥିବୀ ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।
ଆଲୋଚନାଚକ୍ରରେ ନୂତନ ପ୍ରଯୁକ୍ତି ଆପଣାଇବା ସହ ଓଜୋନ କ୍ଷୟକାରୀ ପଦାର୍ଥ (ODS)ର ବ୍ୟବହାର ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ବ୍ୟବସ୍ଥା ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ଅଧିକାରୀ ଡ. ଅନୁପ କୁମାର ମଲ୍ଲିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଅଭିଭାଷଣ ଦେଇଥିଲେ। ସେ ପୃଥିବୀର ତାପମାତ୍ରା ବୃଦ୍ଧି, ଓଜୋନ ସ୍ତର ଉପରେ ପ୍ରଭାବ ଏବଂ ଜଳବାୟୁ ପରିବର୍ତ୍ତନର ପରିଣାମ ନେଇ ଉଦବେଗ ପ୍ରକାଶ କରିଥିଲେ। ‘ଶୀତଳ ପୃଥିବୀ’ ପାଇଁ ସମସ୍ତ ସ୍ତରରେ ସମନ୍ୱିତ ଉଦ୍ୟମ ଆବଶ୍ୟକ ବୋଲି ସେ କହିଥିଲେ। ବିଭାଗ ପକ୍ଷରୁ ଓଜୋନ କ୍ଷୟକାରୀ ପଦାର୍ଥ ହ୍ରାସ ଓ ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା।
ସେଲ୍ ପରିଚାଳିତ ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ମହାପ୍ରବନ୍ଧକ ପ୍ରମୋଦ ଚନ୍ଦ୍ର ଦାଶ ‘ଶୀତଳ ପୃଥିବୀ ପାଇଁ ସବୁଜ ଇସ୍ପାତ ଉତ୍ପାଦନ’ ସମ୍ପର୍କରେ ଆଲୋଚନା କରିଥିଲେ।
ଜେଏସଡବ୍ଲୁ ଷ୍ଟିଲ ଲିମିଟେଡ୍, ଓଡ଼ିଶା ମାଇନିଂ ଡିଭିଜନ, ବଡ଼ବିଲର ଉପାଧ୍ୟକ୍ଷ ତଥା ମୁଖ୍ୟ-ପରିବେଶ ସୁରେଶ ମହାପାତ୍ର ‘ଲୁହାପଥର ଖଣି ଓ ପରିଷ୍କରଣରେ ପରିବେଶ ଅନୁକୂଳ ପଦ୍ଧତି’ ଉପରେ ଆଲୋକପାତ କରିଥିଲେ।
ଏନଆଇଟି ରାଉରକେଲାର ଖଣି ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଡ. ଏଚ୍.ବି. ସାହୁ ‘ଶୀତଳ ପୃଥିବୀ ପାଇଁ ଖଣି, ଜଳବାୟୁ କାର୍ଯ୍ୟାନୁଷ୍ଠାନ ପାଇଁ ପରିବେଶ ପରିଚାଳନା ଓ ସ୍ଥାୟୀ ଖଣି କାର୍ଯ୍ୟ’ ବିଷୟରେ ବକ୍ତବ୍ୟ ରଖିଥିଲେ। ରାଉରକେଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀମତୀ ସୁସ୍ମିତା ବେହେରା ‘ସ୍ଥାୟୀ ପରିବହନ ଓ ଯାନବାହନ ଧୂଆଁ ହ୍ରାସ’ ବିଷୟରେ ମତ ରଖିଥିଲେ।
କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ସ୍ମାରକୀ ଓ କପଡ଼ା ବ୍ୟାଗ ପ୍ରଦାନ କରାଯାଇଥିଲା। ଇଂରାଜୀ ଓ ହିନ୍ଦୀରେ ମିଶନ୍ ଲାଇଫ୍ ଶପଥ ପାଠ କରାଯାଇଥିଲା। ଏହାପରେ ‘ଆମ ଖାଦ୍ୟ ଆମ ସଂସ୍କୃତି’ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
ଉପ-ପରିବେଶ ଯନ୍ତ୍ରୀ ଇଂ. ବିଜୟ କୁମାର ଭୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଉପ-ପରିବେଶ ଯନ୍ତ୍ରୀ ଇଂ. ରମଣୀ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଉପ-ପରିବେଶ ଯନ୍ତ୍ରୀ ଇଂ. ଚନ୍ଦ୍ରଶେଖର ଚୌହାନ, ଇଂ. ରଜତ କୁମାର ସେଠୀ, ଓଏସଡି ବି.ବି. ମହନ୍ତ, ସହକାରୀ ପରିବେଶ ବୈଜ୍ଞାନିକ ପ୍ରଜ୍ଞା ଜ୍ୟୋତି ସେନାପତିଙ୍କ ସମେତ ସମସ୍ତ ଷ୍ଟାଫ୍ ସହଯୋଗ କରିଥିଲେ।
ତେବେ, ‘ଶୀତଳ ପୃଥିବୀ ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପ’ ଭଳି ପରିବେଶ ସଚେତନତାମୂଳକ କାର୍ଯ୍ୟକ୍ରମରେ ‘ଆମ ଖାଦ୍ୟ ଆମ ସଂସ୍କୃତି’ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବାକୁ ନେଇ ପ୍ରଶ୍ନ ଉଠିଛି। ପରିବେଶ ସୁରକ୍ଷା, ଓଜୋନ ସ୍ତର ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିବା ବେଳେ ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ ଓ ଆଲୋଚନାଚକ୍ର ସହ ଏହାର ସମ୍ପର୍କ କ’ଣ, ତାହାକୁ ନେଇ ସ୍ପଷ୍ଟତା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ଆୟୋଜକଙ୍କ ପକ୍ଷରୁ ‘ଆମ ଖାଦ୍ୟ ଆମ ସଂସ୍କୃତି’ ପ୍ରତିଯୋଗିତାକୁ ପରିବେଶ ସଚେତନତା ସହ କିପରି ଯୋଡ଼ାଯାଇଥିଲା ଏବଂ ଏହାର ଉଦ୍ଦେଶ୍ୟ କ’ଣ ଥିଲା, ସେନେଇ ସ୍ପଷ୍ଟିକରଣ ଦିଆଗଲେ ଏହି ପ୍ରଶ୍ନର ଉତ୍ତର ମିଳିପାରିବ।