ଗାଙ୍ଗପୁରରେ ଐତିହାସିକ ନଳଯାତ୍ରା

9


ଦେବୀଙ୍କ ଆବାହନରେ ଗୁଞ୍ଜରିତ ହେଲା ହୁଳହୁଳି ଓ ହରିବୋଲ; ବର୍ଷା ସତ୍ତ୍ୱେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ବେଲଗୁଣ୍ଠା, ୨୨/୦୯: -(ଶିବରାମ ଚୌଧୁରୀ )-ପ୍ରାଚୀନ ପରମ୍ପରା ଓ ଲୋକବିଶ୍ୱାସର ଅନନ୍ୟ ପର୍ବ ଗାଙ୍ଗପୁରର ଐତିହାସିକ କୃଷିଭିତ୍ତିକ ନଳଯାତ୍ରା ମଙ୍ଗଳବାର ମହାସମାରୋହରେ ଅନୁଷ୍ଠିତ ହୋଇଛି। ଦିନସାରା ଝିପଝିପି ବର୍ଷା ସତ୍ତ୍ୱେ ଏହି ପାରମ୍ପରିକ ଯାତ୍ରାରେ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପ୍ରାଚୀନ ପରମ୍ପରା ଅନୁଯାୟୀ ଜଙ୍ଗଲରୁ ପ୍ରାୟ ୧୨ ଫୁଟ ଉଚ୍ଚତାର ତିନୋଟି ବାଉଁଶ ଆଣି ପୂଜାମଣ୍ଡପରେ ଗଙ୍ଗାଜଳରେ ଶୋଧନ କରାଯାଇଥିଲା। ପରେ ଏହି ତିନି ନଳକୁ ଗ୍ରାମର ଆରାଧ୍ୟା ମାଆ ବ୍ରାହ୍ମଣ ଦେବୀ, ମାଆ ରତ୍ନେଇ ଓ ମାଆ କାଳୀଙ୍କ ପ୍ରତିନିଧି ଭାବେ ରଙ୍ଗବେରଙ୍ଗ କପଡ଼ା ଓ ଫୁଲରେ ସୁସଜ୍ଜିତ କରାଯାଇଥିଲା। ସାରା ଗ୍ରାମରେ ଗଙ୍ଗାଜଳ ସିଞ୍ଚନ ପରେ ପୂଜାମଣ୍ଡପ ନିକଟରେ ହୋମକର୍ମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଗ୍ରାମର ଦେବ ଗୌଡ଼ଙ୍କ ଘରୁ ପାରମ୍ପରିକ ରୀତିନୀତିରେ ଦେବୀଙ୍କୁ ଆବାହନ କରାଯାଇଥିଲା। ଲୋକବିଶ୍ୱାସ ଅନୁଯାୟୀ, ପ୍ରାଚୀନ କାଳରୁ ଦେବ ଗୌଡ଼ଙ୍କ ଘରେ ଏକ ଦଣ୍ଡରେ ଦେବୀ ଅବସ୍ଥାନ କରିଆସୁଛନ୍ତି। ଦେବୀଙ୍କ ଆବାହନ ସମୟରେ ଦଣ୍ଡଟି ଆପେଆପେ ପୂଜକଙ୍କ ହାତକୁ ଆସିଥାଏ ବୋଲି ପରମ୍ପରା ରହିଛି। ଚଳିତ ବର୍ଷ ମଧ୍ୟ ଏହି ପ୍ରଥା ଅନୁସାରେ ଦେବୀଙ୍କ ଆବାହନ କରାଯାଇଥିଲା। ପରେ ଲଟେରୀ ମାଧ୍ୟମରେ ପୂର୍ବରୁ ମନୋନୀତ ହୋଇଥିବା ଗ୍ରାମର ଶ୍ୟାମସୁନ୍ଦର ବିଷୋୟୀ, ରତ୍ନାକର ସ୍ୱାଇଁ ଓ ଭେଜିପୁଟର କାହ୍ନୁ ବିଷୋୟୀ ଯଥାକ୍ରମେ ମାଆ ରତ୍ନେଇ, ମାଆ ବ୍ରାହ୍ମଣ ଦେବୀ ଓ ମାଆ କାଳୀଙ୍କ ପ୍ରତିନିଧି ରୂପକ ନଳ ଧାରଣ କରି ଜଙ୍ଗଲସ୍ଥିତ ଦେବୀ ପୀଠ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ବିଧିବିଧାନ ଅନୁଯାୟୀ ପୂଜା ସମ୍ପନ୍ନ ପରେ ତିନି ଦେବୀ ପାରମ୍ପରିକ ବାଦ୍ୟର ତାଳେ ତାଳେ ନୃତ୍ୟ କରି ଗ୍ରାମକୁ ଫେରିଥିଲେ। ପ୍ରତ୍ୟେକ ଘର ସମ୍ମୁଖରେ ଭୋଗ ଗ୍ରହଣ କରିବା ସହ ଦେବୀଙ୍କ ଆଶୀର୍ବାଦ କାମନା କରାଯାଇଥିଲା। ହୁଳହୁଳି ଓ ହରିବୋଲ ଧ୍ୱନିରେ ସମଗ୍ର ଗାଙ୍ଗପୁର ପ୍ରକମ୍ପିତ ହୋଇଉଠିଥିଲା। ଗ୍ରାମର କୃଷି, ପଶୁସମ୍ପଦ ଓ ଜନସାଧାରଣଙ୍କ ସୁରକ୍ଷା ତଥା ମଙ୍ଗଳ ପାଇଁ ଦେବୀଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଗ୍ରାମବାସୀ ଏହି ପରମ୍ପରାରେ ସାମିଲ ହୋଇଥିଲେ। ଉତ୍ସବର କର୍ତ୍ତା ଭାବେ ତ୍ରିନାଥ ସାହୁ ଓ ପୁରୋହିତ ଭାବେ ହରିହର ତ୍ରିପାଠୀ ଦାୟିତ୍ୱ ତୁଲାଇଥିଲେ। ଗ୍ରାମର ବାରିକ, ଜାନୀ, ଶିବମନ୍ଦିର ପୂଜକ, ଗ୍ରାମ୍ୟ ପରିଚାଳନା କମିଟି, ଶିଶୁ ସଂକୀର୍ତ୍ତନ ମଣ୍ଡଳୀ ଓ ଯୁବକ ସଂଘ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ୱରେ ଗାଙ୍ଗପୁର ପୁଲିସ ବାହିନୀ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।

Leave A Reply

Your email address will not be published.