କୃତ୍ରିମ ବୁଦ୍ଧିମତ୍ତା, ସ୍ଥାୟୀତ୍ୱ, ଶୋଧନ ଓ ଗଳନ ପ୍ରଯୁକ୍ତି ସମେତ ବିଭିନ୍ନ କ୍ଷେତ୍ରରେ ୨୪ଟି ବୈଷୟିକ ପ୍ରବନ୍ଧ ଉପସ୍ଥାପନ କରାଯାଇଛି ।
ଝାରସୁଗୁଡ଼ା, ସେପ୍ଟେମ୍ବର ୨୧, ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ଅନୁଷ୍ଠିତ ୧୪ତମ ଆନ୍ତର୍ଜାତୀୟ ବକ୍ସାଇଟ୍, ଆଲୁମିନା ଓ ଆଲୁମିନିୟମ ସମ୍ମିଳନୀ ଏବଂ ପ୍ରଦର୍ଶନୀ ‘ଆଇବାସ୍ ୨୦୨୬’ରେ ନିଜର ଗବେଷଣା, ନବସୃଜନ ଓ ବୈଷୟିକ ଦକ୍ଷତା ପ୍ରଦର୍ଶନ କରିଛି। କମ୍ପାନୀ ପକ୍ଷରୁ କୃତ୍ରିମ ବୁଦ୍ଧିମତ୍ତା, ଡିଜିଟାଲୀକରଣ, ଆଲୁମିନା ଶୋଧନ, ଆଲୁମିନିୟମ ଗଳନ, ସ୍ଥାୟୀତ୍ୱ, ମିଶ୍ରଧାତୁ ବିକାଶ, ସମ୍ପଦ ପୁନରୁଦ୍ଧାର ଓ କାର୍ଯ୍ୟକ୍ଷମତା ବୃଦ୍ଧି ଭଳି ପ୍ରମୁଖ କ୍ଷେତ୍ରରେ ୨୪ଟି ବୈଷୟିକ ପ୍ରବନ୍ଧ ଉପସ୍ଥାପିତ ହୋଇଥିଲା।
ଏହି ବୈଷୟିକ ଅବଦାନ ମାଧ୍ୟମରେ ଆଲୁମିନିୟମ ମୂଲ୍ୟଶୃଙ୍ଖଳାରେ ଉତ୍ପାଦନ ଉତ୍କର୍ଷ, ସମ୍ପଦର ଦକ୍ଷ ବ୍ୟବହାର ଏବଂ ନୂତନ ପିଢ଼ିର ପ୍ରଯୁକ୍ତି ବିକାଶ ପ୍ରତି କମ୍ପାନୀର ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି।
‘ଗ୍ଲୋବାଲ୍ ଆଲୁମିନିୟମ ଆଉଟଲୁକ୍ ୨୦୩୦: ସୁରକ୍ଷିତ ସମ୍ପଦ, ଦକ୍ଷ ଶକ୍ତି ବ୍ୟବହାର ଓ ବର୍ଜ୍ୟରୁ ମୂଲ୍ୟ ସୃଷ୍ଟି’ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ସମ୍ମିଳନୀ ଆଲୁମିନିୟମ କ୍ଷେତ୍ର ସହ ଜଡ଼ିତ ଶିଳ୍ପପତି, ଗବେଷକ, ପ୍ରଯୁକ୍ତି ଯୋଗାଣକାରୀ, ନୀତି ନିର୍ମାତା ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏକାଠି କରିଥିଲା। ସମ୍ପଦ ସୁରକ୍ଷା ସୁଦୃଢ଼ କରିବା, ଶକ୍ତିର ଦକ୍ଷ ବ୍ୟବହାର ବଢ଼ାଇବା ଏବଂ ପରିପତ୍ର ଅର୍ଥନୀତି ମାଧ୍ୟମରେ ବର୍ଜ୍ୟରୁ ଅଧିକ ମୂଲ୍ୟ ସୃଷ୍ଟି ନେଇ ସମ୍ମିଳନୀରେ ଆଲୋଚନା ହୋଇଥିଲା।
ବେଦାନ୍ତ ଆଲୁମିନିୟମର ମୁଖ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଲୁମିନିୟମ କ୍ଷେତ୍ରରେ ଉଦୀୟମାନ ସୁଯୋଗ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ମୂଲ୍ୟଶୃଙ୍ଖଳା ଗଠନର ଗୁରୁତ୍ୱ ଉପରେ ମତ ରଖିଥିଲେ। ସେ କହିଥିଲେ, ବିଦ୍ୟୁତ୍ଚାଳିତ ଯାନ, ଅକ୍ଷୟ ଶକ୍ତି, ଭିତ୍ତିଭୂମି ଓ ଉନ୍ନତ ଉତ୍ପାଦନ କ୍ଷେତ୍ରରେ ଚାହିଦା ବଢ଼ୁଥିବାରୁ ଦୃଢ଼, ପ୍ରଯୁକ୍ତିନିର୍ଭର ଓ ମୂଲ୍ୟବର୍ଦ୍ଧିତ ପରିବେଶ ଗଠନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ବେଦାନ୍ତ ଆଲୁମିନିୟମ ସମ୍ପଦ ଓ ଶୋଧନଠାରୁ ଆରମ୍ଭ କରି ଡିଜିଟାଲ କାର୍ଯ୍ୟପ୍ରଣାଳୀ, ପରିପତ୍ର ଅର୍ଥନୀତି ଓ ଡାଉନ୍ଷ୍ଟ୍ରିମ୍ ଉତ୍ପାଦନ ପର୍ଯ୍ୟନ୍ତ ମୂଲ୍ୟଶୃଙ୍ଖଳାର ପ୍ରତ୍ୟେକ ସ୍ତରକୁ ସୁଦୃଢ଼ କରୁଛି ବୋଲି ସେ କହିଥିଲେ।
ସମ୍ମିଳନୀରେ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡ଼ାର ସ୍ମେଲ୍ଟର କାରଖାନାର ମୁଖ୍ୟ ପରିଚାଳନା ଅଧିକାରୀ ବିଭବ ଉପାଧ୍ୟାୟ ‘ଆଲୁମିନିୟମ ମୂଲ୍ୟଶୃଙ୍ଖଳା ଓ ଏହାର ପ୍ରୟୋଗ: ହାଲୁକା ସମାଧାନ, ଶକ୍ତି ଦକ୍ଷତା ଓ ପରିବେଶ-ସାମାଜିକ-ପ୍ରଶାସନିକ ଲକ୍ଷ୍ୟକୁ ଆଗେଇ ନେବା’ ଶୀର୍ଷକରେ ବିଶେଷ ଅଭିଭାଷଣ ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ ହାଲୁକା, ଶକ୍ତି-ଦକ୍ଷ ଓ ସ୍ଥାୟୀ ସମାଧାନ ଯୋଗାଇବାରେ ଆଲୁମିନିୟମର ବଢ଼ୁଥିବା ଭୂମିକା ସହିତ ଶିଳ୍ପର ଭବିଷ୍ୟତ ଗଠନରେ ପ୍ରଯୁକ୍ତି, ନବସୃଜନ ଓ ଦାୟିତ୍ୱପୂର୍ଣ୍ଣ ଉତ୍ପାଦନର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ।
ଏହି ସମ୍ମିଳନୀରେ ବେଦାନ୍ତ ଆଲୁମିନିୟମର ବୈଷୟିକ ଅବଦାନକୁ ଦୁଇଟି ‘ଶ୍ରେଷ୍ଠ ପ୍ରବନ୍ଧ ପୁରସ୍କାର’ ମିଳିଛି। ଆଲୁମିନିୟମ ଗଳନ ବର୍ଗରେ ‘କାର୍ବନ ଆନୋଡ୍ର ଗୁଣବତ୍ତାରେ ଉନ୍ନତି’ ଶୀର୍ଷକ ପ୍ରବନ୍ଧକୁ ଆନୋଡ୍ର ଗୁଣବତ୍ତା ବଢ଼ାଇ ଗଳନ କାରଖାନାର କାର୍ଯ୍ୟଦକ୍ଷତା ସୁଧାରିବା ଲାଗି ନୂତନ ପଦକ୍ଷେପ ପାଇଁ ପୁରସ୍କୃତ କରାଯାଇଥିଲା।
ସେହିପରି ଶୋଧନ ବର୍ଗରେ ‘ବକ୍ସାଇଟ୍ ଅବଶିଷ୍ଟରୁ ସମ୍ପଦ: ବେଦାନ୍ତ ଓ ସାର ଶିଳ୍ପ ମଧ୍ୟରେ ପରିପତ୍ର ଅର୍ଥନୀତି ଭାଗୀଦାରି’ ଶୀର୍ଷକ ପ୍ରବନ୍ଧକୁ ଶ୍ରେଷ୍ଠ ସମ୍ମାନ ମିଳିଛି। ବକ୍ସାଇଟ୍ ଅବଶିଷ୍ଟକୁ କିପରି ଆନ୍ତଃକ୍ଷେତ୍ରୀୟ ସହଯୋଗ ମାଧ୍ୟମରେ ମୂଲ୍ୟବାନ ସମ୍ପଦରେ ପରିଣତ କରାଯାଇପାରିବ, ତାହା ଏହି ପ୍ରବନ୍ଧରେ ପ୍ରଦର୍ଶିତ ହୋଇଛି।
ଆଇବାସ୍ ୨୦୨୬ରେ ବେଦାନ୍ତ ଆଲୁମିନିୟମର ଅଂଶଗ୍ରହଣ ଶିଳ୍ପରେ ପରିବର୍ତ୍ତିତ ଆହ୍ୱାନ ଓ ସୁଯୋଗର ମୁକାବିଲା ପାଇଁ ଗବେଷଣା, ପ୍ରଯୁକ୍ତି ଓ ସହଯୋଗକୁ ବ୍ୟବହାର କରିବା ଦିଗରେ କମ୍ପାନୀର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରିଛି। ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଭାବେ ଦେଶର ମୋଟ ଆଲୁମିନିୟମ ଉତ୍ପାଦନର ଅର୍ଦ୍ଧାଧିକ ଅଂଶ ବେଦାନ୍ତ ଆଲୁମିନିୟମ ଯୋଗାଇଥାଏ। ୨୦୨୫-୨୬ ଆର୍ଥିକ ବର୍ଷରେ କମ୍ପାନୀ ପ୍ରାୟ ୨୪.୬ ଲକ୍ଷ ଟନ୍ର ରେକର୍ଡ ଉତ୍ପାଦନ କରିଛି।
ଲାଞ୍ଜିଗଡ଼ରେ ଥିବା ବିଶ୍ୱର ଅନ୍ୟତମ ବୃହତ୍ ଆଲୁମିନା ଶୋଧନ ପରିସର ଏବଂ ଝାରସୁଗୁଡ଼ାରେ ଥିବା ବିଶ୍ୱର ସର୍ବବୃହତ୍ ଏକକ-ସ୍ଥାନୀୟ ଆଲୁମିନିୟମ ଗଳନ କାରଖାନାର ସହାୟତାରେ ବେଦାନ୍ତ ଆଲୁମିନିୟମ ପ୍ରଯୁକ୍ତି, ଡିଜିଟାଲୀକରଣ ଓ ପରିପତ୍ର ଅର୍ଥନୀତିଭିତ୍ତିକ ପଦକ୍ଷେପକୁ ଆଗେଇ ନେଇ ଭବିଷ୍ୟତ ପାଇଁ ପ୍ରସ୍ତୁତ ଓ ବିଶ୍ୱସ୍ତରୀୟ ପ୍ରତିଯୋଗିତାକ୍ଷମ ଆଲୁମିନିୟମ ପରିବେଶ ଗଠନ କରୁଛି।