ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ

30

  • ରାଜ୍ୟ ସ୍ୱାର୍ଥ ସମ୍ୱଳିତ ପ୍ରସଙ୍ଗ ବିଧାନସଭାରେ ଉଠାଯିବ: ବିଜେଡି
  • ଏମଏମଡିଆର ସଂଶୋଧନ ଆଇନକୁ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଆଣନ୍ତୁ
  • ପାଠ୍ୟ ପୁସ୍ତକର ତ୍ରୁଟି ସଂଶୋଧନ କରି ପୁସ୍ତକ ଦିଆଯାଇ ନାହିଁ


ଭୁବନେଶ୍ୱର, ୨୧/୦୯/୨୦୨୬: ଆସନ୍ତାକାଲି ବିଧାନସଭାର ବର୍ଷା କାଳୀନ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆଜି ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳର ବୈଠକ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ସ୍ୱାର୍ଥ ସମ୍ୱଳିତ ଓ ରାଜ୍ୟର ସାଢ଼େଚାରି କୋଟି ଲୋକ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକ ବିଧାନସଭାରେ ଉଠାଯିବ ବୋଲି ବିଜେଡି କହିଛି ।
ବିଧାୟକ ଦଳ ବୈଠକ ଶେଷ ହେବା ପରେ ବିଧାନସଭାରେ ଦଳର ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ ବୈଠକରେ ହୋଇଥିବା ନିଷ୍ପତ୍ତି ଉପରେ ସୂଚନା ଦେଇଥିଲେ ।
ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ, ବିନା ଆଲୋଚନାରେ ଏମଏମଡିଆର ସଂଶୋଧନ ଆଇନକୁ ପାରିତ କରାଗଲା, ଯାହା ଯୋଗୁଁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଦିଆଯାଇଥିବା ରାୟ ଅନୁଯାୟୀ ଓଡିଶାକୁ ମିଳିବାକୁ ଥିବା ରାଜସ୍ୱ ଆଉ ମିଳିବ ନାହିଁ । ଭାରତର ସମ୍ୱିଧାନରେ ରାଜ୍ୟକୁ ଦିଆଯାଇଥିବା ସ୍ୱାଧୀନତାକୁ ଛଡାଇ ନିଆଯାଇଛି । ଏହା ଦ୍ୱାରା ସଂଘୀୟ ବ୍ୟବସ୍ଥା ଉପରେ ଆଘାତ ଦିଆଯାଇଛି । ଏହି ସଂଶୋଧନ ଆଇନକୁ ଫେରାଇ ନେବା ପାଇଁ ରାଜ୍ୟ ସରକାର ଏକ ପ୍ରସ୍ତାବ ଆଣନ୍ତୁ, ଯାହାକୁ ବିଜୁ ଜନତା ଦଳ ସମର୍ଥନ କରିବ । ରାଜ୍ୟ ବିଜେପି ସରକାର ଏଥିପାଇଁ ରାଜି ନାହାନ୍ତି । ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ, ଏହି ପ୍ରସଙ୍ଗ ବିଧାନସଭାରେ ଆଲୋଚନା ହେବା ଜରୁରୀ ।
ସେହିପରି, ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ସେହି ତ୍ରୁଟିକୁ ସୁଧାରି ନୂତନ ପୁସ୍ତକ ଛାତ୍ରଛାତ୍ରୀ ମାନଙ୍କୁ ଏପର୍ଯ୍ୟନ୍ତ ଦିଆଯାଇ ନାହିଁ । କିନ୍ତୁ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହିଭଳି ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅନେକ ପ୍ରସଙ୍ଗ ରହିଛି, ଯାହା ବିଧାନସଭାରେ ଆଲୋଚନା ହେବ ।

Leave A Reply

Your email address will not be published.