ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ତା. ୨୨.୦୯.୨୦୨୬ ରିଖ ଠାରୁ ତା.୨୪.୦୯.୨୦୨୬ରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ ରହିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟ ଗୁଡିକ ବନ୍ଦ ରହିବ । ସେହିଭଳି ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଏହି ତିନି ଦିନ ବନ୍ଦ ରହିବା ନେଇ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି।
ଜିଲ୍ଲାରେ ଲଘୁଚାପ ଜନିତ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ଗୁଡ଼ିକ ବନ୍ଦ ରହିବା ପାଇଁ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ଏହି ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ଆଜି ହେବାକୁ ଥିବା ପୂର୍ବ ନିର୍ଦ୍ଧାରିତ ଏନଆରଟିଏସ ପରୀକ୍ଷା ଅନୁଷ୍ଠିତ ହେବ । ସେହିଭଳି ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ । ଏହି ସମୟରେ ବିଦ୍ୟାଳୟ କୋଠା ଓ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଦ୍ୟାଳୟ ଗୁଡ଼ିକ ୨୪ ଘଣ୍ଟା ଖୋଲା ରଖିବା ପାଇଁ ରୋଷ୍ଟର ଡ୍ୟୁଟି ପ୍ରଚଳନ ପାଇଁ ପ୍ରଧାନଶିକ୍ଷକ ଏବଂ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ତୁରନ୍ତ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।