ବିଚାରାଧୀନ ମାମଲାର ଆଇନଗତ ସମାଧାନ ପାଇଁ ଦେଶବ୍ୟାପୀ ଅଭିଯାନ ‘ଦେଶ ନିମନ୍ତେ ମଧ୍ୟସ୍ଥତା ୩.୦’ ।

11

କେନ୍ଦ୍ରାପଡ଼ା:୨୧/୦୯ (ପ୍ରଫୁଲ୍ଲ କୁମାର ମଲ୍ଲ) ବିଚାରାଧୀନ ମାମଲା ଗୁଡ଼ିକର ଶୀଘ୍ର, ସହଜ ଓ ସମ୍ମତିଭିତ୍ତିକ ଆଇନଗତ ସମାଧାନ ପାଇଁ ସମଗ୍ର ଦେଶରେ ‘ଦେଶ ନିମନ୍ତେ ମଧ୍ୟସ୍ଥତା ୩.୦’ ନାମକ ଏକ ଦେଶବ୍ୟାପୀ ମଧ୍ୟସ୍ଥତା ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି ଅଭିଯାନ ୦୧ ଅକ୍ଟୋବର ୨୦୨୬ ଠାରୁ ଆରମ୍ଭ ହେବ।ମଧ୍ୟସ୍ଥତା ହେଉଛି ମାମଲାର ପରିସମାପ୍ତି ପାଇଁ ଆଇନ ଅନୁମୋଦିତ ଏକ ବିକଳ୍ପ ବିବାଦ ସମାଧାନ ପଦ୍ଧତି। ଉଭୟ ପକ୍ଷଙ୍କ ସହମତିରେ କିମ୍ବା ଅଦାଲତଙ୍କ ନିର୍ଦ୍ଦେଶରେ ମଧ୍ୟସ୍ଥତା ମାଧ୍ୟମରେ ବିଚାରାଧୀନ ମାମଲାର ସମାଧାନ କରାଯାଇପାରେ। ଏହି ପ୍ରକ୍ରିୟାରେ ପକ୍ଷମାନେ କିମ୍ବା ସେମାନଙ୍କର କ୍ଷମତାପ୍ରାପ୍ତ ପ୍ରତିନିଧି ଓ ଆଇନ ପରାମର୍ଶଦାତା ମାନେ ସକ୍ରିୟ ଭାବେ ନିଜ ପକ୍ଷ ଉପସ୍ଥାପନ କରିବା ସହ ମାମଲାର ସମାଧାନ ନେଇ ଆଲୋଚନା କରିପାରିବେ। ଉଭୟ ପକ୍ଷଙ୍କ ସହମତିରେ ମାମଲାର ଚୂଡ଼ାନ୍ତ ସମାଧାନର ରୂପରେଖା ମଧ୍ୟ ନିର୍ଦ୍ଧାରଣ କରାଯାଇପାରିବ।ଏହି ଅଭିଯାନ ଅଧୀନରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଜିଲ୍ଲା ଅଦାଲତ ଓ ତାଲୁକ ଅଦାଲତରେ ବିଚାରାଧୀନ ଥିବା ବିଭିନ୍ନ ଉପଯୁକ୍ତ ମାମଲାର ମଧ୍ୟସ୍ଥତା ମାଧ୍ୟମରେ ପରିସମାପ୍ତି ପାଇଁ ପଦକ୍ଷେପ ନିଆଯାଇପାରିବ।
ମଧ୍ୟସ୍ଥତା ପାଇଁ ଉପଯୁକ୍ତ ମାମଲାଗୁଡ଼ିକ ମଧ୍ୟରେ—

  • ପାରିବାରିକ ଓ ବୈବାହିକ ବିବାଦ, ମଧ୍ୟସ୍ଥତା ଏବଂ ମିଳାମିଶା ଅଧିନିୟମ ଅଧୀନରେ ଥିବା ମାମଲା,ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ନିଯୁକ୍ତି ସମ୍ପର୍କୀୟ ମାମଲା, ଚେକ୍ ବାଉନ୍ସ ମାମଲା,ସମ୍ପତ୍ତି ବଣ୍ଟନ ସମ୍ପର୍କୀୟ ବିବାଦ,ରଫାଯୋଗ୍ୟ ଫୌଜଦାରୀ ମାମଲା, ଉଚ୍ଛେଦ ମାମଲା,ଖାଉଟି ଅଦାଲତରେ ବିଚାରାଧୀନ ବିବାଦ, ଭୂ- ଅଧିଗ୍ରହଣ ଜନିତ ମାମଲା,ଋଣ ପୁନରୁଦ୍ଧାର ଓ SARFAESI ସମ୍ପର୍କୀୟ ମାମଲା,ଶ୍ରମିକ ଅଧିନିୟମ ସମ୍ପର୍କୀୟ ମାମଲା, ନିଷ୍ପାଦନ କାର୍ଯ୍ୟବିଧି (Execution Proceedings),ବାଣିଜ୍ୟିକ ଅଦାଲତରେ ବିଚାରାଧୀନ ମାମଲା ଏବଂ ଅନ୍ୟାନ୍ୟ ଉପଯୁକ୍ତ ଦେୱାନୀ ମାମଲା ଅନ୍ତର୍ଭୁକ୍ତ ରହିଛି। ମଧ୍ୟସ୍ଥତା ପ୍ରକ୍ରିୟା ମାଧ୍ୟମରେ ପକ୍ଷମାନେ ନିଜ ମାମଲାର ସମାଧାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥାନ୍ତି। ଏହା ମାଧ୍ୟମରେ ଉଭୟ ପକ୍ଷଙ୍କ ସହମତି ଓ ଆଲୋଚନା ଆଧାରରେ ବିବାଦର ସମାଧାନ କରାଯାଇପାରେ। ଏହି ପରିପ୍ରେକ୍ଷୀରେ, ଉପରୋକ୍ତ ବର୍ଗରେ ଆସୁଥିବା ବିଚାରାଧୀନ ମାମଲାର ପକ୍ଷଭୁକ୍ତ ବ୍ୟକ୍ତି, ସଂସ୍ଥା କିମ୍ବା ସମ୍ପୃକ୍ତ ପକ୍ଷମାନେ ‘ଦେଶ ନିମନ୍ତେ ମଧ୍ୟସ୍ଥତା ୩.୦’ ଅଭିଯାନର ସୁଯୋଗ ନେଇ ନିଜ ମାମଲାର ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ପାଇଁ ସମ୍ପୃକ୍ତ ଅଦାଲତ କିମ୍ବା ନିକଟସ୍ଥ ଆଇନ ସେବା ସଂସ୍ଥା ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଉଛି।ଏହି ସମ୍ପର୍କରେ ଅଧିକ ବିବରଣୀ ପାଇଁ ଦେୟମୁକ୍ତ ହେଲ୍ପଲାଇନ୍ ନମ୍ବର ୧୫୧୦୦ ରେ ଯୋଗାଯୋଗ କରାଯାଇ ପାରିବ।
Leave A Reply

Your email address will not be published.