ଯୋଗ୍ୟ ହିତାଧିକାରୀଙ୍କୁ ୬୦ ବର୍ଷ ପୂରଣ ପରେ ଆବେଦନର ପରବର୍ତ୍ତୀ ମାସରୁ ମିଳିବ ଭତ୍ତା
ଓଡ଼ଗାଁ, ୧୬।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) କାର୍ଯ୍ୟାଳୟ ପରିସରରେ ସୋମବାର ଭତ୍ତା ଓ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏନ୍ଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ ଯୋଗଦେଇଥିଲେ। ଏହି ଅବସରରେ ଓଡ଼ଗାଁ ଏନ୍ଏସି ଅଞ୍ଚଳର ୧୬୦ ଜଣ ହିତାଧିକାରୀଙ୍କୁ ନୂତନ ଭତ୍ତା ମଞ୍ଜୁରୀ ପ୍ରଦାନ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଞ୍ଜୁର ହୋଇଥିବା ୨୦ଟି ଘର ମଧ୍ୟରୁ ଉପସ୍ଥିତ ଥିବା ୮ ଜଣ ହିତାଧିକାରୀଙ୍କୁ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳ କହିଥିଲେ ଯେ, ଏନ୍ଏସି ଅଞ୍ଚଳର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ବ୍ୟବସ୍ଥା କରାଯାଇଛି। ଏଣିକି ଯେଉଁ ଯୋଗ୍ୟ ବ୍ୟକ୍ତିଙ୍କୁ ୬୦ ବର୍ଷ ପୂରଣ ହେବ, ସେମାନେ ଭତ୍ତା ପାଇଁ ଆବେଦନ କଲେ ଆବେଦନର ପରବର୍ତ୍ତୀ ମାସରୁ ଭତ୍ତା ପାଇପାରିବେ। ଏହାଦ୍ୱାରା ଯୋଗ୍ୟ ହିତାଧିକାରୀମାନେ ସମୟୋଚିତ ଭାବେ ସାମାଜିକ ସୁରକ୍ଷା ଯୋଜନାର ସୁଫଳ ପାଇପାରିବେ। କାର୍ଯ୍ୟକ୍ରମରେ ପୁଷ୍ପାଞ୍ଜଳି ମହାନ୍ତି, ନୀଳମାଧବ ମିଶ୍ର ଓ ରାଜଶ୍ରୀ ମିଶ୍ର ସହଯୋଗ କରିଥିଲେ।