ଓଡ଼ଗାଁ,୨୧।୯(ଶ୍ରୀକାନ୍ତ କୁମାର ମିଶ୍ର) ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ସ୍ଥିତ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ସହକାରୀ ଶିକ୍ଷୟିତ୍ରୀ ଜୟନ୍ତୀ କୁମାରୀ ପଟ୍ଟନାୟକଙ୍କର ୧୯ ସେପ୍ଟେମ୍ବର ୨୦୨୬ ତାରିଖରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ସେ ୧୯୪୫ ମାର୍ଚ୍ଚ ୩୧ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ସ୍ବର୍ଗତ ସ୍ବାମୀଙ୍କ ହେଉଛନ୍ତି, ଗୌରୀଶଙ୍କର ପଟ୍ଟନାୟକ। ଶିକ୍ଷାଦାନ କ୍ଷେତ୍ରରେ ଜୟନ୍ତୀ କୁମାରୀ ପଟ୍ଟନାୟକ ଜଣେ ବିଜ୍ଞ, ବାଗ୍ମୀ ଓ ଅସାଧାରଣ ପ୍ରତିଭାସମ୍ପନ୍ନ ଶିକ୍ଷୟିତ୍ରୀ ଭାବେ ସୁନାମ ଅର୍ଜନ କରିଥିଲେ। ତାଙ୍କର ନିରଳସ ସାଧନା, ତ୍ୟାଗ, ସେବା, କର୍ତ୍ତବ୍ୟନିଷ୍ଠା ଓ ଶିକ୍ଷାଦାନ କୌଶଳ ବିଦ୍ୟାଳୟର ଶୈକ୍ଷିକ ପରିବେଶକୁ ସମୃଦ୍ଧ କରିଥିଲା। ଛାତ୍ରୀମାନଙ୍କ ପ୍ରତିଭାର ବିକାଶ ସହିତ ବିଦ୍ୟାଳୟକୁ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ତୋଳିବାରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ତାଙ୍କ ବିୟୋଗରେ ବିଦ୍ୟାଳୟ ପରିବାର ଓ ଶିକ୍ଷାପ୍ରେମୀ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଅବଦାନ ସର୍ବଦା ଚିରସ୍ମରଣୀୟ ହୋଇ ରହିବ। ମୃତ୍ୟୁ ସଜ୍ୟା ନିକଟରେ ୩ ପୁଅ ବୋହୂଙ୍କ ସହିତ ଜଣେ ଝିଅ ଉପସ୍ଥିତ ରହିଥିଲେ । ପୁରୀର ସ୍ବର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ଼ପୁଅ ଶ୍ରୀକାନ୍ତ ପଟ୍ଟନାୟକ ମୁଖାଗ୍ନି ପ୍ରଦାନ କରିଥିଲେ।