ଗଭୀର ଅବପାତ ଆଶଙ୍କା : ୩ ଦିନ ଅଙ୍ଗନବାଡ଼ି ଓ ୨୨ରୁ ୨୪ ଯାଏଁ ସ୍କୁଲ ବନ୍ଦ

39

୨୨ରେ ହେବ ଏନ ଆର ଟି ଏସ ପରୀକ୍ଷା , ଆଶ୍ରୟସ୍ଥଳୀ ପାଇଁ ପ୍ରସ୍ତୁତ ରହିବ ସ୍କୁଲ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମ୍ଭାବ୍ୟ ଗଭୀର ଅବପାତ ଓ ଏହାର ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇଛି। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସମେତ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ୨୨ରୁ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ୩ ଦିନ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ପୃଥକ୍‌ ନିର୍ଦ୍ଦେଶ ଜାରି ହୋଇଛି। ତେବେ ୨୨ ସେପ୍ଟେମ୍ବରରେ ନିର୍ଦ୍ଧାରିତ ଏନ ଆର ଟି ଏସ ପରୀକ୍ଷା ବାତିଲ ହୋଇନାହିଁ। ଏହା ପୂର୍ବ ନିର୍ଦ୍ଧାରିତ କେନ୍ଦ୍ରରେ ଅନୁଷ୍ଠିତ ହେବ। ପ୍ରଧାନଶିକ୍ଷକମାନେ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ନିରାପଦ ସୁରକ୍ଷା ଏବଂ ପରିବହନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ, ଆବଶ୍ୟକ ପଡ଼ିଲେ ସ୍କୁଲ୍‌ ଭବନ ଗୁଡ଼ିକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ। ଏଥିପାଇଁ ବିଦ୍ୟାଳୟଗୁଡ଼ିକୁ ସୁଗମ ରଖିବା ସହ କ୍ଲାସ୍‌ରୁମ୍‌ର ଚାବି ସ୍ଥାନୀୟ ଶିକ୍ଷକ କିମ୍ବା ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନିକଟରେ ରଖିବାକୁ କୁହାଯାଇଛି। ପ୍ରଧାନଶିକ୍ଷକ ଓ ଶିକ୍ଷକମାନେ ମୋବାଇଲ୍‌ ଫୋନ୍‌ ଚାଲୁ ରଖି ଜରୁରୀକାଳୀନ ଦାୟିତ୍ୱ ପାଇଁ ସଜାଗ ରହିବେ। ସେହିପରି ୩ ଦିନ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଲେ ମଧ୍ୟ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ନିଜ ଅଞ୍ଚଳରେ ଉପସ୍ଥିତ ରହିବେ। ବନ୍ଦ ଅବଧିରେ ହିତାଧିକାରୀଙ୍କ ପାଇଁ ନିର୍ଦ୍ଧାରିତ ରାସନ ଓ ଦୈନିକ ଖାଦ୍ୟ ଘରଦୁଆରେ ପହଞ୍ଚାଇବାକୁ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ନିର୍ଦ୍ଦେଶ ଦେଇଛି। ଏହି ପଦକ୍ଷେପ ମାଧ୍ୟମରେ ଗଭୀର ଅବପାତଜନିତ ବର୍ଷା ସମୟରେ ଶିଶୁଙ୍କ ଯାତାୟାତଜନିତ ବିପଦକୁ ଏଡ଼ାଇବା ସହ ଆବଶ୍ୟକ ସମୟରେ ସ୍କୁଲ୍‌ ଭବନକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର ଏବଂ ଅଙ୍ଗନବାଡ଼ି ହିତାଧିକାରୀଙ୍କୁ ଆବଶ୍ୟକ ସେବା ଯୋଗାଣ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।

Leave A Reply

Your email address will not be published.